fbpx

ପୁଣି ମହଙ୍ଗା ହେବ ପ୍ରିପେଡ୍ ପ୍ଲାନ୍, ଦର ବଢ଼ାଇବାକୁ ଯୋଜନା କରୁଛନ୍ତି ଟେଲିକମ୍ କମ୍ପାନୀ

ନୂଆଦିଲ୍ଲୀ: କିଛି ମାସ ପୂର୍ବରୁ ଭୋଡାଫୋନ ଆଇଡିଆ, ଏୟାରଟେଲ ଓ ରିଲାଏନ୍ସ ଜିଓ ପ୍ରିପେଡ ପ୍ଲାନ୍ସ ଦର ବୃଦ୍ଧି କରିଥିଲେ । ଯାହାଫଳରେ ଗ୍ରାହକମାନେ ଏହି ବର୍ଦ୍ଧିତ ଦରରେ ଅତ୍ୟନ୍ତ ଅସନ୍ତୁଷ୍ଟ ଅବସ୍ଥାରେ ରହିଛନ୍ତି । ତେବେ ଗ୍ରାହକଙ୍କ ପାଇଁ ପୁଣି ଏକ ଜବରଦସ୍ତ ଝଟକା ଆସିବାକୁ ଯାଉଛି । ଯଦି ଏପରି ହୁଏ ତେବେ ଗ୍ରାହକଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ ।

ଜଣାପଡ଼ିଛି ଯେ, ଭୋଡ଼ାଫୋନ ଆଇଡିଆ ଖୁବଶୀଘ୍ର ପ୍ରିପେଡ ପ୍ଲାନ ସେବାର ଦାମ୍ ବଢ଼ାଇବାକୁ ଯାଉଛି । ଏନେଇ କମ୍ପାନୀର ସିଇଓ କହିଛନ୍ତି ଯେ, ଚଳିତ ବର୍ଷ କିମ୍ବା ଆସନ୍ତାବର୍ଷ ପ୍ରିପେଡ୍ ଟାରିଫ୍ ବୃଦ୍ଧି ନେଇ କମ୍ପାନୀ ଯୋଜନା କରୁଛି । ପୂର୍ବରୁ ପ୍ରିପେଡ ଟାରିଫ୍ ବୃଦ୍ଧିର ସମୟ ବ୍ୟବଧାନ ଦୁଇବର୍ଷ ରହିଥିଲା, ମାତ୍ର ବର୍ତ୍ତମାନ ଉକ୍ତ ସମୟସୀମା ହ୍ରାସ ପାଇବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭୋଡ଼ାଫୋନ ଆଇଡିଆର ଗ୍ରାହକଙ୍କ ସଂଖ୍ୟା ଏୟାରଟେଲ ଓ ଜିଓ ଅପେକ୍ଷା ବହୁତ କମ୍ ହୋଇଥିବା କାରଣରୁ କମ୍ପାନୀକୁ ଏଥିପାଇଁ କ୍ଷତି ସହିବାକୁ ପଡ଼ୁଛି । ତେଣୁ କମ୍ପାନୀ ପ୍ଲାନର ଦର ବୃଦ୍ଧି କରିବା ନେଇ ସଙ୍କେତ ଦେଇଛି । ଏକ ବର୍ଷ ମଧ୍ୟରେ କମ୍ପାନୀର ଗ୍ରାହକ ସଂଖ୍ୟା ୨୬.୯୮ କୋଟିରୁ ହ୍ରାସ ପାଇଁ ୨୪.୭୨ରେ ପହଞ୍ଚି ଯାଇଛି । ଏହାଫଳରେ ପ୍ରତ୍ୟେକ ୟୁଜରଙ୍କ ପିଛା ରେଭିନ୍ୟୁ ୫ ପ୍ରତିଶତ ହ୍ରାସ ପାଇଛି । ୨୦୨୦-୨୧ରେ କମ୍ପାନୀ ଏଆରପିୟୁ ୧୨୧ ଟଙ୍କା ଥିବାବେଳେ ଏବେ ୧୧୫ରେ ପହଞ୍ଚି ଯାଇଛି । ଗତ ତିନି ମାସ ମଧ୍ୟରେ କମ୍ପାନୀର ୭ ହଜାର କୋଟିରୁ ଅଧିକ ଆର୍ଥିକ କ୍ଷତି ଘଟିଛି । ତେବେ ଆଗାମୀ ଦିନରେ ଅନ୍ୟ କମ୍ପାନୀମାନେ ଯେ ଟାରିଫ୍ ପ୍ଲାନ୍ ବୃଦ୍ଧି ନ କରିବେ, ତାହା କହିହେବ ନାହିଁ । ତେଣୁ ଗ୍ରାହକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ ।

Get real time updates directly on you device, subscribe now.