ଖୁବ୍‌ଶୀଘ୍ର ମୋଦୀଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ: କିଏ ବାଦ ପଡ଼ିବେ ଓ କିଏ ସାମିଲ ହେବେ?

ମିଡିଆ ରିପୋର୍ଟ ଅନୁସାରେ, ଗତ କିଛି ଦିନ ମଧ୍ୟରେ ଅନ୍ୟ ବିରୋଧୀ ଦଳରୁ ଏନଡିଏରେ ଯୋଗ ଦେଇଥିବା ବିଦ୍ରୋହୀ ସାଂସଦଙ୍କୁ ମୋଦୀ କ୍ୟାବିନେଟରେ ସାମିଲ କରାଯାଇପାରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଖୁବ୍‌ଶୀଘ୍ର ଅଦଳ ବଦଳ ହୋଇପାରେ। ସେଥିପାଇଁ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଛି। ତେବେ ଏନେଇ ବିଜେପି ତରଫରୁ କୌଣସି ଆଧିକାରିକ ବିବୃତି ଜାରି କରାଯାଇ ନାହିଁ। ମିଡିଆ ରିପୋର୍ଟ ଓ ରାଜନୈତିକ ବିଶ୍ଳେଷକଙ୍କ ମତ ଅନୁସାରେ, ମୌସୁମୀ ଅଧିବେଶନ ପୂର୍ବରୁ କ୍ୟାବିନେଟରେ ଅଦଳ ବଦଳ କରାଯାଇପାରେ। ତେବେ ଏଥିରେ ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ରାଘବ ଚଡ୍ଡା ଓ ସନ୍ଦୀପ ପାଠକଙ୍କୁ କ୍ୟାବିନେଟ୍‌ରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ; ମୋଦୀଙ୍କ କ୍ୟାବିନେଟ୍‌ରୁ ଅନେକ ନେତାଙ୍କୁ ବାଦ ଦିଆଯାଇପାରେ। ଏହାଛଡ଼ା ଅନେକ ମନ୍ତ୍ରଣାଳୟ ବଦଳା ଯାଇପାରେ। ଯେଉଁ ନେତାଙ୍କୁ ବାଦ ଦିଆଯାଇପାରେ ସେମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ହରଦୀପ ସିଂ ପୁରୀ, ରବନୀତ ସିଂ ବିଟ୍ଟୁ, ପଙ୍କଜ ଚୌଧୁରୀ, ହର୍ଷ ମଲହୋତ୍ରା ଓ ଜର୍ଜ କୁରିଆନଙ୍କ ନାଁ ରହିଛି। ସେହିପରି ନିର୍ମଳା ସୀତାରମଣ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଭାଗ ବଦଳା ଯାଇପାରେ।

କ’ଣ ରାଘବ ଓ ସନ୍ଦୀପ ପାଠକଙ୍କୁ ସୁଯୋଗ ମିଳିବ?

ମିଡିଆ ରିପୋର୍ଟ ଅନୁସାରେ, ଗତ କିଛି ଦିନ ମଧ୍ୟରେ ଅନ୍ୟ ବିରୋଧୀ ଦଳରୁ ଏନଡିଏରେ ଯୋଗ ଦେଇଥିବା ବିଦ୍ରୋହୀ ସାଂସଦଙ୍କୁ ମୋଦୀ କ୍ୟାବିନେଟରେ ସାମିଲ କରାଯାଇପାରେ। ଆମ୍ ଆଦମୀ ପାର୍ଟିରୁ ବିଜେପିରେ ଯୋଗଦେଇଥିବା ରାଘବ ଚଡ୍ଡା ଓ ସନ୍ଦୀପ ପାଠକଙ୍କ ନାଁ କ୍ୟାବିନେଟରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି। ତେବେ ରାଘବ ଚଡ୍ଡାଙ୍କ ନାମ ସବୁଠାରୁ ଆଗରେ ରହିଛି। କାରଣ ରାଘବ ଚଡ୍ଡାଙ୍କ ନେତୃତ୍ୱରେ ଆପର ୭ ଜଣ ସାଂସଦ ବିଜେପିରେ ମିଶିଥିଲେ।

ସେହିପରି ଆଗାମୀ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିରେ ବିଜେପି ରାଘବ ଚଡ୍ଡା ଓ ସନ୍ଦୀପ ପାଠକଙ୍କୁ କ୍ୟାବିନେଟରେ ସାମିଲ କରି ନିର୍ବାଚନରେ ଫାଇଦା ଉଠାଇବାକୁ ଚେଷ୍ଟା କରିବ। ବାସ୍ତବରେ ୨୦୨୨ ବିଧାନସଭା ନିର୍ବାଚନରେ ସନ୍ଦୀପ ପାଠକ ଓ ରାଘବ ଚଡ୍ଡା ଆପକୁ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହା ବ୍ୟତୀତ ପଞ୍ଜାବରୁ ଆସୁଥିବା ତରୁଣ ଚୁଘଙ୍କୁ ମଧ୍ୟ ମୋଦୀ କ୍ୟାବିନେଟରେ ସାମିଲ କରାଯାଇପାରେ। ବିଜେପି ତରୁଣ ଚୁଘଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇଛି। ସେହିପରି ପଞ୍ଜାବର ଆଉ ଜଣେ ନେତା ରବନୀତ ସିଂ ବିଟ୍ଟୁଙ୍କୁ ଏଥର ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ କରାଯାଇନଥିଲା।

ବିଜେପିକୁ କ’ଣ ଫାଇଦା ହୋଇପାରେ?

ସନ୍ଦୀପ ପାଠକଙ୍କୁ ଆପର ସାଇଲେଣ୍ଟ୍ ମାଷ୍ଟରମାଇଣ୍ଡ ଓ ନିର୍ବାଚନୀ ରଣନୀତିକାର ବୋଲି ମାନାଯାଉଥିଲା। ସେ ଡାଟା-ଭିତ୍ତିକ ରଣନୀତି, ଟିକେଟ୍ ବଣ୍ଟନ, ପ୍ରଚାର ଡିଜାଇନ୍ ଓ ସଂଗଠନ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ରାଘବ ଚଡ୍ଡା ପଞ୍ଜାବରେ ସୁପର ସିଏମ ଭାବେ ଜଣାଯାଉଥିଲେ। ସେ ଦିଲ୍ଲୀ ଓ ପଞ୍ଜାବ ୟୁନିଟ ମଧ୍ୟରେ ସେତୁ ଥିଲେ। ପବ୍ଲିକ୍ ଫେସ ଓ ମେସେଜିଂ ସମ୍ଭାଳୁଥିଲେ।

ସନ୍ଦୀପ ପାଠକ ଆପର ପଞ୍ଜାବ ମଡେଲ୍, ବିଧାୟକମାନଙ୍କ ସହ ସମ୍ପର୍କ ଓ ଦୁର୍ବଳତାକୁ ଭଲ ଭାବେ ଜାଣନ୍ତି। ସେ ବିଜେପିକୁ ପ୍ରଭାବଶାଳୀ ପ୍ରଚାର ଓ ସାଙ୍ଗଠନିକ ରଣନୀତି ଦେଇପାରିବେ। ସେହିପରି ଉଭୟଙ୍କ ପାଖରେ ଆମ ଆଦମୀ ପାର୍ଟିର ବିଧାୟକ ଓ କର୍ମୀଙ୍କ ନେଟୱର୍କ ରହିଛି। ଯାହା ସମ୍ଭାବିତ ଦଳ ବଦଳ କିମ୍ବା ଦୁର୍ବଳ କରିବାରେ ସାହାଯ୍ୟ କରିବ।