fbpx

‘ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବନି ମୋଦୀଙ୍କ ସାର୍ଟିଫିକେଟ୍’

ନୂଆଦିଲ୍ଲୀ: ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବନି ମୋଦୀଙ୍କ ସାର୍ଟିଫିକେଟ୍ ଏପରି ବୟାନ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଦିନିକିଆ ଉତ୍ତର ପ୍ରଦେଶ ଗସ୍ତରେ ରହିଥିବା ପ୍ରିୟଙ୍କା ଉଭୟ ମୋଦୀ ଏବଂ ଯୋଗୀଙ୍କୁ ସମାଲୋଚନା କରିଥିଲେ । କରୋନା ମୁକାବିଲାରେ ଉତ୍ତର ପ୍ରଦେଶ ସରକାର ଭୟଙ୍କର ଭାବରେ ବିଫଳ ହୋଇଛନ୍ତି । ସରକାର ଅତ୍ୟନ୍ତ ନିର୍ଦ୍ଦୟ ମନୋଭାବ ପୋଷଣ କରିଥିବା ବେଳେ କୋଭିଡ ପରିଚାଳନାରେ ତାଙ୍କର ଦୁର୍ବଳତା ସମସ୍ତଙ୍କ ସାମ୍ନାକୁ ଆସିଛି । କରୋନାର ଦ୍ୱିତୀୟ ଲହର ସମୟରେ ଯୋଗୀଙ୍କ ଶାସନ ବ୍ୟବସ୍ଥାର ଅସଲ ଚେହେରା ଦେଖିବାରେ ସମସ୍ତେ ସକ୍ଷମ ହୋଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି ।

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିଥିଲେ । ୧୫୦୦ କୋଟିର ପ୍ରକଳ୍ପ ଘୋଷଣା କରିବା ସହିତ କରୋନା ମୁକାବିଲାକୁ ନେଇ ଯୋଗୀ ସରକାରର ପ୍ରଶଂସା କରିଥିଲେ । ମୋଦୀ ଯେତେ ପ୍ରଶଂସାପତ୍ର ବାଣ୍ଟିଲେ ମଧ୍ୟ ଏହା ସରକାରଙ୍କ ବିଫଳତାକୁ ଲୁଚାଇ ପାରିବ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି । ହିନ୍ଦିରେ ଟ୍ୱିଟ୍ କରି ପ୍ରିୟଙ୍କା ଉଭୟ ମୋଦୀ ଓ ଯୋଗୀଙ୍କୁ ଟାର୍ଗେଟ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପ୍ରଦେଶର ଜନସଂଖ୍ୟା ଅଧିକ ରହିଥିବା ବେଳେ ଏଠାରେ କୋଭିଡ ପରିଚାଳନା ସୁରୁଖୁରୁରେ ହେଉଛି ବୋଲି ମୋଦୀ ମତ ଦେଇଥିଲେ ।

Get real time updates directly on you device, subscribe now.