ଛକ ଛକରେ ଲାଗିଲା ପୋଷ୍ଟର; ପୋଷଣା ହେଲା ପୁରସ୍କାର

ଶ୍ରୀନଗର ପ୍ରେସ ଏନକ୍ଲେଭ୍ ସମେତ ସହରର ଅନେକ ବ୍ୟସ୍ତବହୁଳ ଅଞ୍ଚଳରେ ସୁରକ୍ଷା ବଳ ମହମ୍ମଦ ଲତିଫ ଭଟ୍‌ଙ୍କ ପୋଷ୍ଟର ଲଗାଇଛନ୍ତି

କଶ୍ମୀର: କାଶ୍ମୀରରେ ଘଟିଥିବା ଟାର୍ଗେଟ କିଲିଂ ଘଟଣା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛି। ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରାଯାଇଛି। ଏହି କ୍ରମରେ ଲଶ୍କର-ଏ-ତୈୟବା (ଏଲଇଟି)ର ୱାଣ୍ଟେଡ ଆତଙ୍କବାଦୀ ମହମ୍ମଦ ଲତିଫ ଭଟ୍‌ଙ୍କ ସନ୍ଧାନକୁ ତୀବ୍ର କରାଯାଇଛି। ତାଙ୍କୁ ଧରାଇ ଦେବା ପାଇଁ ସୁରକ୍ଷା ବଳ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି। ଶ୍ରୀନଗରର ଅନେକ ପ୍ରମୁଖ ସ୍ଥାନରେ ତାଙ୍କର ୱାଣ୍ଟେଡ୍ ପୋଷ୍ଟର ଲଗାଯାଇଛି।

ଶ୍ରୀନଗର ପ୍ରେସ ଏନକ୍ଲେଭ୍ ସମେତ ସହରର ଅନେକ ବ୍ୟସ୍ତବହୁଳ ଅଞ୍ଚଳରେ ସୁରକ୍ଷା ବଳ ମହମ୍ମଦ ଲତିଫ ଭଟ୍‌ଙ୍କ ପୋଷ୍ଟର ଲଗାଇଛନ୍ତି। ଏହି ପୋଷ୍ଟରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ମହମ୍ମଦ ଲତିଫଙ୍କୁ ଗିରଫ କରିବାରେ ସହାୟକ କଲେ ୧୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ।

ପୋଷ୍ଟରରେ ସ୍ଥାନୀୟ ଲୋକମାନଙ୍କୁ ଅନୁରୋଧ କରାଯାଇଛି; ଯଦି ସେମାନଙ୍କ ପାଖରେ ଏହି ଆତଙ୍କବାଦୀ ସମ୍ପର୍କିତ କୌଣସି ନିର୍ଭରଯୋଗ୍ୟ ସୂଚନା ଥାଏ, ତେବେ ତୁରନ୍ତ ସୁରକ୍ଷା ଏଜେନ୍ସିଙ୍କ ସହ ଯୋଗାଯୋଗ କରନ୍ତୁ।

Uttarakhand Govt.

ସୁରକ୍ଷା ଏଜେନ୍ସିଙ୍କ କହିବା ଅନୁସାରେ, ମହମ୍ମଦ ଲତିଫ ଭଟ୍‌ଙ୍କୁ ଦକ୍ଷିଣ କାଶ୍ମୀରରେ ସମ୍ପ୍ରତି ଘଟିଥିବା ଟାର୍ଗେଟ କିଲିଂ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଧରାଯାଉଛି। ତା’ ନିର୍ଦ୍ଦେଶରେ ଘଟିଥିବା ଏହି ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଓ ଦୁଇଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ପରେ କାଶ୍ମୀର ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଆତଙ୍କବାଦୀ ନେଟୱର୍କକୁ ଧ୍ୱଂସ କରିବା ପାଇଁ ଲଗାତାର ଅଭିଯାନ ଚାଲିଛି।

ସୁରକ୍ଷା ବଳର ବିଶ୍ୱାସ ଯେ, ସାଧାରଣ ଲୋକଙ୍କଠାରୁ ମିଳୁଥିବା ଛୋଟରୁ ଛୋଟ ସୂଚନା ମଧ୍ୟ ଆତଙ୍କବାଦୀଙ୍କ ପର‌୍ୟ୍ୟନ୍ତ ପହଞ୍ଚିବାରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହି କାରଣରୁ ପୋଷ୍ଟର ମାଧ୍ୟମରେ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି। ବିଶ୍ୱାସ ଦିଆଯାଇଛି; ସୂଚନା ଦେଉଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ।

ସୁରକ୍ଷା ଏଜେନ୍ସିମାନେ ବିଭିନ୍ନ ଅଞ୍ଚଳରେ ଲଗାତାର ତଲାସି ଅଭିଯାନ ଚଳାଇଥିବା ବେଳେ ମହମ୍ମଦ ଲତିଫ ଭଟ୍‌ଙ୍କୁ ଗିରଫ କରିବା ପାଇଁ ପ୍ରତ୍ୟେକ ସମ୍ଭାବ୍ୟ ସୁରାକ୍ ଉପରେ କାମ କରୁଛନ୍ତି।