fbpx

ମୋହଲ୍ଲା କ୍ଲାସ ଆରମ୍ଭ, ଯମୁନା ସାଜିଲେ ଆଦିବାସୀ ଅଞ୍ଚଳର ଆଶାର କିରଣ

ମାଲକାନଗିରି(ଓଡ଼ିଶା ଭାସ୍କର): କରୋନା କାଳରେ ସାରା ରାଜ୍ୟରେ ସ୍କୁଲ ଓ କଲେଜରେ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଅନଲାଇନ କ୍ଲାସ ଏତେଟା ଫଳପ୍ରଦ ହୋଇପାରି ନାହିଁ । କାରଣ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ଅଭାବ ରହିଛି । ଏଭଳି ପରିସ୍ଥିତିରେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡ଼ା ପଞ୍ଚାୟତ ସିନ୍ଧିଗୁଡା ଗ୍ରାମରେ ପ୍ରୟୋଗାତ୍ମକ ଭାବେ ଆରମ୍ଭ ହୋଇଛି ମୋହଲ୍ଲା କ୍ଲାସ ।

ଉକ୍ତ ଗାଆଁଠାରୁ ଅଳ୍ପ ଦୂରରେ ରହୁଥିବା ବାଲିଗୁଡାର ଶିକ୍ଷୟିତ୍ରୀ ଯମୁନା ମୁଦୁଲୀଙ୍କ ନିଜସ୍ୱ ପ୍ରୟାସ କ୍ରମେ ପିଲାମାନଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । କରୋନାର ସମସ୍ତ ନିୟମ ଓ କଟକରା ପାଳନ କରାଯିବା ସହ ପାଠପଢ଼ା ଆରମ୍ଭ ହୋଇଛି । ପିଲାମାନେ ତିନି ଫୁଟ ଅନ୍ତରରେ ବସିବା ସହ ମୁହଁରେ ମାସ୍କ ଲଗାଇ ପାଠ ପଢୁଥିବା ଦେଖିବାକୁ ମିଳିଛି । ଶିକ୍ଷୟିତ୍ରୀ ଯମୁନା ପିଲାଙ୍କ ସହ କିଛି ହସ କଥା କହି ପାଠପଢ଼ାଉଥିବା ବେଳେ ବିଭିନ୍ନ ଗୀତ ଓ ଗପ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ଏଭଳି ଶିକ୍ଷାଦାନ ପ୍ରଣାଳୀକୁ ଲାଗୁ କରାଗଲେ ପିଲାମାନଙ୍କ ପାଖରେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ଦେଖାଦେବ ଓ ଏହାର ସୁଫଳ ମଧ୍ୟ ତୁରନ୍ତ ମିଳିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷୟିତ୍ରୀ ଯମୁନାଙ୍କ ନିଜସ୍ୱ ପ୍ରୟାସ ନିହାତି ଭାବରେ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଥିସହ ଶିକ୍ଷୟିତ୍ରୀଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.