୨-୩ ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ !
ମୌସୁମୀ ଆଗମନ ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ଥିବା କାରଣରୁ ଆସନ୍ତା ୨-୩ ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର: ଆସନ୍ତା ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ମୌସୁମୀ ଆଗମନ ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।
ଆସନ୍ତା ଜୁନ୍ ୧୩ ତାରିଖ ସୁଦ୍ଧା ରାଜ୍ୟର ଦିନର ତାପମାତ୍ରା ପ୍ରାୟ ୨ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ, ଯାହା ଫଳରେ ବର୍ତ୍ତମାନ ଜାରି ରହିଥିବା ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ। ତେବେ ମୌସୁମୀ ପ୍ରବେଶ କରିବା ପୂର୍ବରୁ ଦିନର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବନାହିଁ ଏବଂ ଗରମ ସହ ଗୁଳୁଗୁଳି ପରିସ୍ଥିତି ଜାରି ରହିବ। ଜୁନ୍ ୧୩ ତାରିଖରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ତାପମାତ୍ରା ଖସିବା ଆରମ୍ଭ ହେବ।
ଅନ୍ୟପଟେ, ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବାକୁ ଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ପବନ ବୋହିବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ପବନ ବୋହିବା ନେଇ ଆଲର୍ଟ ଜାରି କରିଛି।
ଏହା ସହିତ କୋରାପୁଟ, ମାଲକାନଗିରି ଏବଂ ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏହି ସବୁ ପ୍ରଭାବିତ ଜିଲ୍ଲାର ଲୋକମାନଙ୍କୁ ଏବଂ ବିଶେଷ କରି ଚାଷୀଭାଇମାନଙ୍କୁ ଘଡ଼ଘଡ଼ି ସମୟରେ ସତର୍କ ଓ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି।


