୬ ଦିନ ଧରି ମୃତ ଛୁଆର ଶବକୁ ମୁଣ୍ଡରେ ଧରି ପହଁରୁଛି ମା’, ଭାରତ ମହାସାଗରରୁ ସାମ୍ନାକୁ ଆସିଲା ମା’ ଡଲଫିନ୍‌ର ହୃଦୟବିଦାରକ ଚିତ୍ର

୬ ଦିନ ଧରି ମୃତ ଶିଶୁକୁ ପିଠିରେ ବୋହି ଭାସିଲା ଡଲଫିନ୍ ମା', ଭାବୁକ କଲା ଡ୍ରୋନ୍ ଭିଡିଓ

ଓଡ଼ିଶା ଭାସ୍କର ଡେସ୍କ: ମା’ର ଭଲପାଇବା ଏବଂ ଗଭୀର ଦୁଃଖର କୌଣସି ସୀମା ନଥାଏ, ତାହା ମଣିଷ ହେଉ କି ପଶୁପକ୍ଷୀ! ଭାରତ ମହାସାଗରର ଗଭୀର ଜଳରାଶିରୁ ସାମ୍ନାକୁ ଆସିଛି ଏକ ଏଭଳି ଭାବବିହ୍ୱଳ କରୁଥିବା ଦୃଶ୍ୟ, ଯାହା ସାରା ବିଶ୍ୱର ଲୋକଙ୍କ ଆଖିକୁ ଓଦା କରିଦେଇଛି।

‘ଫ୍ରାଗଲ୍’ ନାମକ ଏକ ‘ବୋଟଲନୋଜ୍ ଡଲଫିନ୍’ ନିଜର ମାତ୍ର ୨ ସପ୍ତାହର ମୃତ ଛୁଆର ଶବକୁ ନଫିଙ୍ଗି, ପ୍ରାୟ ୬ ଦିନ ଧରି ନିଜ ପିଠି ଓ ମୁଣ୍ଡରେ ସମ୍ଭାଳି ପାଣିରେ ପହଁରୁଥିବାର ନଜର ଆସିଛି। ଏହି ସମ୍ପୂର୍ଣ୍ଣ ଦୁଃଖଦ ଦୃଶ୍ୟର ଡ୍ରୋନ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ନେଟିଜେନ୍ସଙ୍କ ହୃଦୟ ବିଗଳିତ ହୋଇପଡ଼ିଛି।

ପୂର୍ବରୁ ମଧ୍ୟ ହରାଇସାରିଛି ୪ଟି ଛୁଆ: ଅଷ୍ଟ୍ରେଲିୟ ସଂରକ୍ଷଣ ସଂସ୍ଥା ‘ଜିଓଗ୍ରାଫ୍ ମେରାଇନ୍ ରିସର୍ଚ୍ଚ’ ଏହି ଶୋକାକୁଳ ସମୟର ଫୁଟେଜ୍ କ୍ୟାପଚର କରିଛି। ଗବେଷକମାନେ ଏକ ଦୁଃଖଦ ଖୁଲାସା କରି କହିଛନ୍ତି ଯେ, ଫ୍ରାଗଲ୍ ନାମକ ଏହି ଡଲଫିନ୍ ପୂର୍ବରୁ ମଧ୍ୟ ନିଜର ୪ଟି ଛୁଆକୁ ହରାଇସାରିଛି।

ଏହା ତା’ର ୫ମ ଛୁଆ ଥିଲା, ଯାହାର ମୃତ୍ୟୁ ପରେ ବି ସେ ସାହସ ହରାଇନଥିଲା ଏବଂ ତା’ର ମୃତଦେହକୁ ପାଣିର ପୃଷ୍ଠଭାଗରେ ଭାସିବାରେ ସାହାଯ୍ୟ କରୁଥିଲା। ସାମୁଦ୍ରିକ ଜୀବବିଜ୍ଞାନୀଙ୍କ ଅନୁସାରେ, ଡଲଫିନ୍ ମା’ମାନେ ନିଜ ମୃତ ଛୁଆକୁ ଅଲଗା ନକରି ଅନେକ ଦିନ ପର୍ଯ୍ୟନ୍ତ ନିଜ ଆଗିଆ ବା ପିଠିରେ ରଖି ଶୋକ ପାଳନ କରିଥାନ୍ତି।

Uttarakhand Govt.

ସାଥ୍ ଛାଡ଼ିନଥିଲା ପୂରା ଡଲଫିନ୍ ଦଳ: ଏହି ଭିଡିଓର ସବୁଠାରୁ ଭାବପୂର୍ଣ୍ଣ ଅଂଶ ଏହା ଥିଲା ଯେ ଫ୍ରାଗଲ୍ ଏହି କଠିନ ସମୟରେ ଏକା ନଥିଲା। ତା’ର ଡଲଫିନ୍ ଦଳର ଅନ୍ୟ ସଦସ୍ୟମାନେ ଛାଇ ଭଳି ତା’ ସହିତ ପହଁରୁଥିଲେ, ତାକୁ ନିଜ ମଝିରେ ସୁରକ୍ଷିତ ସ୍ଥାନ ଦେଇଥିଲେ ଏବଂ ତା’ର ମାନସିକ ସହାରା ପାଲଟିଥିଲେ।

ଏଥିରୁ ସ୍ପଷ୍ଟ ହେଉଛି ଯେ ଡଲଫିନ୍ ଏବଂ ହୁଏଲ୍ ଭଳି ଜୀବଙ୍କଠାରେ ମଣିଷଙ୍କ ଭଳି ହିଁ ଗଭୀର ସାମାଜିକ ସମ୍ପର୍କ ଏବଂ ଦୁଃଖ ପ୍ରକାଶ କରିବାର ସମ୍ବେଦନଶୀଳତା ରହିଛି।

ଦୁଃଖ ଉପରେ କେବଳ ମଣିଷର ଅଧିକାର ନାହିଁ: ଇଣ୍ଟରନେଟ୍‌ରେ ଏହି ଭିଡିଓ ଭାଇରାଲ୍ ହେବା ପରେ କମେଣ୍ଟର ସୁଅ ଛୁଟିଛି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହା ପ୍ରମାଣ କରୁଛି ଯେ ପଶୁମାନଙ୍କଠାରେ ମଧ୍ୟ ଗଭୀର ଭାବନା ଥାଏ ଏବଂ ସେମାନେ ମୃତ୍ୟୁର ଯନ୍ତ୍ରଣା ବୁଝିପାରନ୍ତି।

ସେହିପରି ଅନ୍ୟ ଜଣେ କହିଛନ୍ତି, ସବୁଠାରୁ ସୁନ୍ଦର କଥା ହେଉଛି ତା’ର ପୂରା ଗ୍ରୁପ୍ ତା’ର ସାଥ୍ ଛାଡ଼ିନଥିଲା। ଡଲଫିନ୍ ସତରେ ବହୁତ ଅଦ୍ଭୁତ ଜୀବ। ତୃତୀୟ ଜଣେ ଲେଖିଛନ୍ତି, ଏହା ଦେଖି ଆଖି ଓଦା ହୋଇଗଲା। ଦୁଃଖ ଓ ଶୋକ କେବଳ ମଣିଷର ଏକଚାଟିଆ ସମ୍ପତ୍ତି ନୁହେଁ, ପଶୁମାନେ ମଧ୍ୟ ଏହାକୁ ଗଭୀର ଭାବେ ଅନୁଭବ କରନ୍ତି।