ପୁଅକୁ ମାରି ହଜିବାର ନାଟକ କରୁଥିଲା ମାଆ; ପୋଲିସ ବିରୋଧରେ ହାଇକୋର୍ଟ ଯାଇଥିଲା
ଅଡୋନି ମଣ୍ଡଳର ଜି. ହୋସଲ୍ଲୀ ଗାଁରେ ବୀରେନ୍ଦ୍ରଙ୍କ ବୟସ ୧୫ ବର୍ଷ ହେବ। ତାଙ୍କ ମାଆ ହେଉଛନ୍ତି ଗଙ୍ଗମ୍ମା। ସେ ଦର୍ଗପ୍ପା ନାମକ ଜଣେ ବ୍ୟକ୍ତି ସହ ଅବୈଧ ସମ୍ପର୍କ ରଖିଥିଲା
ହାଇଦ୍ରାବାଦ: ଘରେ ୧୫ ବର୍ଷର ପୁଅ। ତଥାପି ମାଆ ରୋମାନ୍ସ ନିଶା ଯାଉନଥିଲା। ଅନ୍ୟ ପୁରୁଷ ସହିତ ରଖୁଥିଲା ଅବୈଧ ସମ୍ପର୍କ। ଯାହାକୁ ପୁଅ ବାରମ୍ବାର ବିରୋଧ କରୁଥିଲେ। ଯେଉଁଥିପାଇଁ ନିଜ ଜନ୍ମକଲା ପୁଅକୁ ପ୍ରେମିକ ସହ ମାରି ଶ୍ମଶାନରେ ପୋତିଦେଲା। ଆଉ ଥାନାରେ ହଜି ଯାଇଥିବାର ଅଭିଯୋଗ କରିଥିଲା। ପରବର୍ତ୍ତୀ ସମୟରେ ତଦନ୍ତ ବିଳମ୍ବ ନେଇ ହାଇକୋର୍ଟରେ ଅଭିଯୋଗ କରିଥିଲା। ଏପରି ଘଟଣା ଓଡ଼ିଶାର ପଡ଼ୋଶୀ ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ଘଟିଛି।
ଅଡୋନି ମଣ୍ଡଳର ଜି. ହୋସଲ୍ଲୀ ଗାଁରେ ବୀରେନ୍ଦ୍ରଙ୍କ ବୟସ ୧୫ ବର୍ଷ ହେବ। ତାଙ୍କ ମାଆ ହେଉଛନ୍ତି ଗଙ୍ଗମ୍ମା। ସେ ଦର୍ଗପ୍ପା ନାମକ ଜଣେ ବ୍ୟକ୍ତି ସହ ଅବୈଧ ସମ୍ପର୍କ ରଖିଥିଲା। ବୀରେନ୍ଦ୍ର ବାରମ୍ବାର ନିଜ ମାଆଙ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠାଇଥିଲେ। ସମ୍ପର୍କୀୟ ଓ ଗାଁ ଲୋକଙ୍କୁ ଏହି ଅବୈଧ ସମ୍ପର୍କ ବିଷୟରେ କହୁଥିଲେ। ଯେଉଁଥିପାଇଁ ଘରେ ମା ଓ ପୁଅଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଯାହାକୁ ନେଇ ଗଙ୍ଗମ୍ମା ଚିନ୍ତିତ ଥିଲେ। ତେଣୁ ପୁଅକୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକଙ୍କ ସହଯୋଗ ଲୋଡ଼ିଲେ।
ଗଙ୍ଗମ୍ମା ଓ ଦର୍ଗପ୍ପା ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ପରବର୍ତ୍ତୀ ସମୟରେ ପୁଅ ବୀରେନ୍ଦ୍ରଙ୍କୁ ହତ୍ୟା କରିଥିଲେ। ମୃତଦେହକୁ ନେଇ ଶ୍ମଶାନରେ ପୋତି ଦେଇଥିଲେ। କିଛି ନଜାଣିଲା ପରେ ଘରେ ରହିଥିଲେ। ପୋଲିସଙ୍କୁ ବିଭ୍ରାନ୍ତ କରିବା ପାଇଁ ମା’ ଗଙ୍ଗମ୍ମା ପୁଅ ନିଖୋଜ ହେବାର ଅଭିଯୋଗ କରିଥିଲା। ସେ ପୋଲିସ ସହ ତଦନ୍ତରେ ସାମିଲ ମଧ୍ୟ ହୋଇଥିଲା।
ସବୁଠାରୁ ମଜାର କଥା ହେଉଛି ତଦନ୍ତରେ ପୋଲିସ ବିଳମ୍ବ କରୁଛି ବୋଲି ଅଭିଯୋଗ କରି ଗଙ୍ଗମ୍ମା ହାଇକୋର୍ଟରେ ପହଞ୍ଚିଥିଲେ। ଅଦାଲତର ହସ୍ତକ୍ଷେପ ପରେ ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ(ଏସ୍ଆଇଟି) ଗଠନ କରାଯାଇଥିଲା। ତଦନ୍ତ ବେଳେ ତଦନ୍ତକାରୀଙ୍କ ନଜର ମାଆ ଗଙ୍ଗମ୍ମା ଓ ତାଙ୍କ ପ୍ରେମିକ ଦର୍ଗପ୍ପାଙ୍କ ଉପରେ ଯାଇଥିଲା।
ତେଣୁ ଉଭୟଙ୍କ ଅଲଗା ଅଲଗା ବାରମ୍ବାର ଜେରା କରିଥିଲା। ସେହି ସମୟରେ ଉଭୟ ଦେଇଥିବା ବୟାନରେ ଅନେକ ଅସଙ୍ଗତି ଦେଖାଦେଇଥିଲା। ଏଥିସହ ବୈଷୟିକ ପ୍ରମାଣ, କଲ୍ ରେକର୍ଡ ଓ ସ୍ଥାନୀୟ ସାକ୍ଷୀଙ୍କ ବୟାନ କଥିତ ଭାବେ ଦୁହିଁଙ୍କ ଉପରେ ସନ୍ଦେହ ସୃଷ୍ଟି କରିଥିଲା। ପରେ ଉଭୟ ନିଜ ଦୋଷ ସ୍ୱୀକାର କରିଥିଲେ। ହତ୍ୟା କରି ମୃତଦେହକୁ ପୋତି ଦେଇଥିବା ସ୍ୱୀକାର କରିଥିଲେ।
ଜୁନ୍ ୧ ତାରିଖରେ ପୋଲିସ, ରାଜସ୍ୱ ଅଧିକାରୀ, ମେଡିକାଲ ଟିମ କଡ଼ା ସୁରକ୍ଷା ବଳୟ ଭିତରେ ଶ୍ମଶାନରୁ ବୀରେନ୍ଦ୍ରର ମୃତଦେହ ବାହାର କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ପୋଲିସ ଦର୍ଗପ୍ପା ଓ ଗଙ୍ଗମ୍ମାଙ୍କୁ ହେପାଜତକୁ ନେଇଛି। ଅଧିକ ପ୍ରମାଣ ସଂଗ୍ରହ କରିବା ପାଇଁ ତଦନ୍ତ ଜାରି ରଖିଛି।

