ପରିବାର ଲୋକଙ୍କୁ ଭେଟିଲା ବେଳେ ଭାବପ୍ରବଣ ହେଲେ ଇମ୍ରାନ୍!
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଭିନ୍ନ ମାମଲାରେ ଜେଲରେ ରହିଛନ୍ତି। ହେଲେ ସରକାର ତାଙ୍କ ପରିବାର ଓ ପାର୍ଟିର ଲୋକଙ୍କୁ ସାକ୍ଷାତ କରିବାକୁ ଦେଉନଥିଲେ
ଲାହୋର: ଜେଲରେ ବନ୍ଦୀ ଜୀବନ କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଙ୍ଗଳବାର ଆଦିଆଲା ଜେଲରେ ତାଙ୍କର ଦୁଇ ଭଉଣୀ ଓ ପତ୍ନୀଙ୍କୁ ଭେଟିଛନ୍ତି। ପ୍ରାୟ ୯ ମାସ ପରେ ପ୍ରଥମ ସେ ନିଜ ପାରିବାରିକ ଲୋକଙ୍କୁ ସାକ୍ଷାତ କରିଥିବାରୁ ଭାବପ୍ରବଣ ହୋଇଥିଲେ ଇମ୍ରାନ୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ପରିବାରକୁ ଏହି ସୁଯୋଗ ମିଳିଛି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଭିନ୍ନ ମାମଲାରେ ଜେଲରେ ରହିଛନ୍ତି। ହେଲେ ସରକାର ତାଙ୍କ ପରିବାର ଓ ପାର୍ଟିର ଲୋକଙ୍କୁ ସାକ୍ଷାତ କରିବାକୁ ଦେଉନଥିଲେ। ଯେଉଁଥିପାଇଁ ପରିବାର ପକ୍ଷରୁ ପାକିସ୍ତାନ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ମାମାଲକୁ ଶୁଣାଣି କରି କୋର୍ଟ ଇମ୍ରାନଙ୍କ ସପକ୍ଷରେ ରାୟ ଦେଇଥିଲେ। ପସ୍ତାହକୁ ଥରେ ପରିବାର ଲୋକଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ଦେଇଥିଲେ। ଏଥିସହ ଇମ୍ରାନ ଖାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏହି ସାକ୍ଷାତ ସମ୍ଭବ ହୋଇଛି।
ମିଳିଥିବା ସୂଚନା ଅନୁସାରେ ନୋରିନ ପ୍ରାୟ ୧୫ ମିନିଟ୍ ଧରି ଇମ୍ରାନ ଖାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ତାଙ୍କ ସ୍ୱାସ୍ଥ୍ୟ ଓ ଚାଲିଥିବା ଆଇନଗତ ମାମଲା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଇମ୍ରାନ ତାଙ୍କର ଦୁଇ ଭଉଣୀ ଆଲିମା ଖାନ ଓ ଉଜମା ଖାନଙ୍କ ସହ ଜେଲରୁ ବାହାରିଥିଲେ। ପରେ ଇମ୍ରାନ ଖାନ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟ ପ୍ରାୟ ଅଧଘଣ୍ଟା ଧରି ସାକ୍ଷାତ ଆଲୋଚନା ହୋଇଥିଲା। ଏହା ପୂର୍ବରୁ ବୁଶରା ବିବି ଅନ୍ୟ ପରିବାର ସଦସ୍ୟଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।
ଜେଲ କର୍ତ୍ତୃପକ୍ଷ ଦାଖଲ କରିଥିବା ଡାକ୍ତରୀ ରିପୋର୍ଟ ଓ ଇମ୍ରାନ ଖାନଙ୍କ ରକ୍ତଚାପକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ଏହି ହସ୍ତକ୍ଷେପ କରିଥିଲେ। ତିନିଜଣିଆ ଖଣ୍ଡପୀଠର ନେତୃତ୍ୱ ନେଉଥିବା ବିଚାରପତି ଶାହିଦ ୱାହିଦ ସ୍ପଷ୍ଟ କରିଥିଲେ ଯେ, ପରିବାର ସଦସ୍ୟଙ୍କୁ ଭେଟିବା ଏକ ମୌଳିକ ଅଧିକାର, କୌଣସି ଦୟା କିମ୍ବା ଅନୁଗ୍ରହ ନୁହେଁ।
ଆଲିମା ଖାନ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରି କହିଥିଲେ, “ମୁଁ କେତେ ଖୁସି ଅଛି, ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ।”


