IPL ୨୦୨୬ ପୂର୍ବରୁ ଏମ୍‌ଏସ୍‌ ଧୋନିଙ୍କ ଅବସରକୁ ନେଇ ବଢ଼ିଲା ଚର୍ଚ୍ଚା, ବଡ଼ ଭବିଷ୍ୟବାଣୀ କଲେ ରୋବିନ ଉଥପ୍ପା

IPL ୨୦୨୬ ପୂର୍ବରୁ ଏମ୍‌ଏସ୍‌ ଧୋନିଙ୍କ ଅବସରକୁ ନେଇ ବଢ଼ିଲା ଚର୍ଚ୍ଚା

MS Dhoni: IPL ୨୦୨୬ ଆରମ୍ଭ ହେବାକୁ ଆଉ କେବଳ ଦୁଇ ସପ୍ତାହ ବାକୀ ରହିଛି। ଏହା ପୂର୍ବରୁ ପୁଣି ଏମ୍‌ଏସ୍‌ ଧୋନିଙ୍କ ରିଟାୟରମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି ଯେ, ଧୋନି ଏହି ସିଜନର ସମସ୍ତ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ। କିନ୍ତୁ ପୂର୍ବତନ ଭାରତୀୟ କ୍ରିକେଟର ରୋବିନ ଉଥପ୍ପା ଧୋନିଙ୍କ ଭବିଷ୍ୟତକୁ ନେଇ ବଡ଼ ମତ ପ୍ରକାଶ କରିଛନ୍ତି।

ଏହିଥର ଷ୍ଟାର ଉଇକେଟକିପର ବ୍ୟାଟର ସଞ୍ଜୁ ସାମସନ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଅଂଶ ହୋଇଛନ୍ତି। ତାଙ୍କ ଆଗମନରେ ଦଳରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ସଞ୍ଜୁ ସାମସନ ଆସିବାରୁ ଧୋନିଙ୍କ ଉପରେ ଥିବା ଚାପ କମିପାରେ।

ଷ୍ଟାର ସ୍ପୋର୍ଟସର ଏକ ଆଲୋଚନା କାର୍ଯ୍ୟକ୍ରମରେ କଥାହେବା ସମୟରେ ରୋବିନ ଉଥପ୍ପା କହିଥିଲେ ଯେ, IPL ୨୦୨୬ ଧୋନିଙ୍କ ପାଇଁ ଶେଷ ସିଜନ ହୋଇପାରେ। ତାଙ୍କ ମତାନୁସାରେ ଏହି ସିଜନରେ ଧୋନି ଖେଳାଳି ଭାବେ ନୁହେଁ, ବରଂ ଏକ ମେଣ୍ଟର ଭାବେ ଅଧିକ ଭୂମିକା ନିଭାଇପାରନ୍ତି।

ଉଥପ୍ପା ଏହାମଧ୍ୟ କହିଥିଲେ ଯେ ସେ ଧୋନିଙ୍କୁ ସପ୍ତମ ସ୍ଥାନରେ ନୁହେଁ, ବରଂ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରୁଥିବା ଦେଖିପାରନ୍ତି। ଏହା ଦଳର ଯୁବ ଖେଳାଳିମାନଙ୍କୁ ଅଧିକ ସୁଯୋଗ ଦେଇପାରିବ।

ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ମଧ୍ୟ କହିଥିଲେ ଯେ, ୨୦୨୬ ପରେ ଧୋନି IPL ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଏଥିସହ ସେ କହିଥିଲେ ଯେ ଧୋନି ବିନା ଚେନ୍ନାଇ ସୁପର କିଙ୍ଗ୍ସ ଓ IPL କୁ କଳ୍ପନା କରିବା ଖୁବ କଷ୍ଟକର।

IPL ୨୦୨୪ ଠାରୁ ଏପର୍ଯ୍ୟନ୍ତ ମାତ୍ର ତିନିଥର ଏମିତି ଘଟିଛି ଯେତେବେଳେ ଧୋନି ପଞ୍ଚମ ସ୍ଥାନ କିମ୍ବା ତାଠାରୁ ଉପରେ ବ୍ୟାଟିଂ କରିଥିଲେ। IPL ୨୦୨୫ରେ ସେ ଦୁଇଥର ନବମ ସ୍ଥାନରେ ବ୍ୟାଟିଂ କରିଥିଲେ, ଯେଉଁଠାରେ ସାଧାରଣତଃ ବୋଲରମାନେ ବ୍ୟାଟିଂ କରିବାକୁ ଆସନ୍ତି।

ଏହା ସହିତ ଏବେ ସମସ୍ତଙ୍କ ଦୃଷ୍ଟି IPL ୨୦୨୬ ଉପରେ ରହିଛି। ଏହି ସିଜନ ଧୋନିଙ୍କ IPL କ୍ୟାରିୟରର ଶେଷ ସିଜନ ହେବ କି ନାହିଁ, ସେଥିପାଇଁ ଫ୍ୟାନ୍ସମାନେ ଅପେକ୍ଷା କରିଛନ୍ତି।