ଜେଲ୍ରୁ ବାହାରିବା ମାତ୍ରେ ହିରୋଗିରି! ବୋଲେରୋ ବନେଟ୍ରେ ବସି ସିଗାରେଟ୍ ଟାଣିଲା ହତ୍ୟା ଅଭିଯୁକ୍ତ
୧୪ ମାସ ଜେଲ୍ରେ ରହିବା ପରେ ଜାମିନ୍, ବାହାରକୁ ଆସି ଅଭିଯୁକ୍ତଙ୍କ ଏଭଳି କାରନାମା! ବୁଲେଟ୍ ରାଲି କରି ସମର୍ଥକଙ୍କ ସ୍ୱାଗତ।
ମଧ୍ୟପ୍ରଦେଶ: ଜେଲ୍ର ଚାରିକାନ୍ଥରୁ ବାହାରିବା ମାତ୍ରେ ଆରମ୍ଭ ହେଲା ଶକ୍ତି ପ୍ରଦର୍ଶନ। ଗାଡ଼ିର ବନେଟ୍ ଉପରେ ବସି ହାତରେ ସିଗାରେଟ୍ ଧରି ଧୂଆଁ ଉଡ଼ାଉଥିଲେ ଜଣେ ଯୁବକ। ପଛରେ ମୋଟରସାଇକେଲ୍ର ଲମ୍ବା ଧାଡ଼ି, ସମର୍ଥକଙ୍କ ନାରାବାଜି ଆଉ ରାସ୍ତାରେ ହୋହଲ୍ଲା।
ଯିଏ ଦେଖିବ ତାକୁ ଲାଗିବ ଯେମିତି ଜଣେ ନେତା ମନ୍ତ୍ରୀଙ୍କ ରାଲି ଚାଲିଛି। କିମ୍ୱା କୌଣସି ଫିଲ୍ମର ସୁଟିଂ ଚାଲିଛି। ହେଲେ ଏସବୁର ଭ୍ରମ ସୃଷ୍ଟି କରୁଥିବା ଦୃଶ୍ୟ ଅଲଗା କିଛି କହୁଥିଲା।
ହଁ ଆଜ୍ଞା ଏହା ଜଣେ ହତ୍ୟା ଅଭିଯୁକ୍ତଙ୍କ ଜେଲ୍ରୁ ମୁକୁଳିବା ପରର ଦୃଶ୍ୟ ଥିଲା। ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ନାବାଳକ ହତ୍ୟା ମାମଲାରେ ଅଭିଯୁକ୍ତ ମାନ ସିଂହ ଓରଫ୍ ବେଟୁ ଗତ ୧୪ ମାସ ଧରି ଜେଲ୍ରେ ବନ୍ଦୀ ଥିଲେ। ତାଙ୍କ ସହ ଅନ୍ୟ ୪ ଜଣ ସହଯୋଗୀ ମଧ୍ୟ ଏହି ମାମଲାରେ ଜେଲ୍ରେ ଥିଲେ। ତେବେ ଅଦାଲତରୁ ଜାମିନ ମିଳିବା ପରେ ମାନ ସିଂହ ଜେଲ୍ରୁ ବାହାରିଥିଲେ। ହେଲେ ତାଙ୍କୁ ସ୍ୱାଗତ କରିବାର ଢଙ୍ଗ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଜେଲ୍ରୁ ବାହାରିବା ପରେ ସମର୍ଥକମାନେ ଫୁଲମାଳ ପିନ୍ଧାଇ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ଏକ ବୋଲେରୋ ଗାଡ଼ିର ବନେଟ୍ ଉପରେ ବସି ପଡ଼ିଥିଲେ ମାନ ସିଂହ।
ହାତରେ ସିଗାରେଟ୍ ଧରି ଚଳନ୍ତା ଗାଡ଼ି ଉପରେ ବସି ଧୂଆଁ ଉଡ଼ାଉଥିବାର ଦୃଶ୍ୟ ଏବେ ଚର୍ଚ୍ଚାରେ ରହିଛି। ତାଙ୍କ ପଛରେ ଅନେକ ମୋଟରସାଇକେଲ୍ରେ ସମର୍ଥକମାନେ ନାରାବାଜି କରି ଏକ ବଡ଼ ଶୋଭାଯାତ୍ରାରେ ବାହାରିଥିଲେ।
ଥାନା ସାମ୍ନା ଦେଇ ଗଲା ଶୋଭାଯାତ୍ରା: ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତା ଦେଇ ଯିବା ସହ କୋଲଗୱା ଥାନା ସାମ୍ନା ଦେଇ ମଧ୍ୟ ଅତିକ୍ରମ କରିଥିଲା।
ଚଳନ୍ତା ଗାଡ଼ିର ବନେଟ୍ ଉପରେ ବସିବା ଏବଂ ମୋଟରସାଇକେଲ୍ରେ ଦଳଦଳ ହୋଇ ଶୋଭାଯାତ୍ରା କରିବା ଭଳି ଦୃଶ୍ୟ ସତ୍ତ୍ୱେ ପୁଲିସ ଏହାକୁ ଅଟକାଇ ନଥିବା ଅଭିଯୋଗ ହୋଇଛି। ଏହି ଶୋଭାଯାତ୍ରା ଶେଷରେ ସିଦ୍ଧାର୍ଥ ନଗରରେ ପହଞ୍ଚିଥିଲା। ସେଠାରେ ଏହି ଶକ୍ତି ପ୍ରଦର୍ଶନ ଶେଷ ହୋଇଥିଲା।
ଭିଡିଓ ଭାଇରାଲ୍ ପରେ ପୁଲିସକୁ ଘେରିଲେ ଲୋକେ: ଏହି ପୂରା ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଜଣେ ହତ୍ୟା ମାମଲାର ଅଭିଯୁକ୍ତ ଜାମିନରେ ମୁକୁଳିବା ପରେ ଏଭଳି ଖୋଲାଖୋଲି ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ପୁଲିସ କାହିଁକି ନିରବ ରହିଲା ବୋଲି ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି।
ତେବେ ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ପ୍ରଶାସନ ଅଭିଯୁକ୍ତ ଓ ତାଙ୍କ ସମର୍ଥକଙ୍କ ବିରୋଧରେ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।


