ବାକି ଟଙ୍କା ନଦେବାରୁ ଅପରେସନ୍ କରିଥିବା ଗୋଡ଼କୁ ଭାଙ୍ଗିଦେଲେ ଡାକ୍ତର!
ମେଡିକାଲ୍ରୁ ନିରାଶ ହେବା ପରେ ରେଶମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁହାରୀ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ହସ୍ତକ୍ଷେପ କରିଥିଲା
ମୁଜାଫରନଗର: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ। ହେଲେ ସେହି ଭଗବାନ ଆଜି ପାଲଟିଛନ୍ତି ସୈତାନ। ମାଗଣା ଚିକିତ୍ସା ସେବା ଯୋଗାଇଦେବା ବଦଳରେ ଟଙ୍କା ନେଲେ। ପୂରା ଟଙ୍କା ନପାଇଲେ ବୋଲି ଅପରେସନ୍ କରି ଯୋଡ଼ିଥିବା ହାଡ଼କୁ ଭାଙ୍ଗିଦେଲେ। ଏପରି ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ।
ପୀଡ଼ିତ ମହିଳାଙ୍କ ନାଁ ହେଉଛି ରେଶମା। ସେ ଜଣେ ବିଧାବା ଓ ଅସହାୟ। ତାଙ୍କ ୧୪ ବର୍ଷର ଝିଅର ଡାହାଣ ଗୋଡ଼ରେ ସମସ୍ୟା ଦେଖା ଦେଇଥିଲା। ତେଣୁ ସେ ଝିଅକୁ ଧରି ପ୍ରାୟ ଦେଢ଼ ମାସ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଦାୟିତ୍ୱରେ ଥିବା ଡାକ୍ତର ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଝିଅ ଗୋଡ଼ ଅପରେସନ୍ ହେବ ବୋଲି ଡାକ୍ତର କହିଥିଲେ।
ସେଥିପାଇଁ ମେଡିକାଲ କର୍ମଚାରୀମାନେ ତାଙ୍କୁ ୨୫,୦୦୦ ଟଙ୍କା ମାଗିଥିଲେ। ମହିଳା ଜଣକ ନିଜକୁ ବିଧବା ଦର୍ଶାଇ ଟଙ୍କା ଦେବା ପାଇଁ ଅସମର୍ଥ ହୋଇଥିଲେ। ମେଡିକାଲ କର୍ମଚାରୀଙ୍କୁ ଗୁହାରୀ କରିଥିଲେ। ହେଲେ ମେଡିକାଲ୍ କର୍ମଚାରୀମାନେ କିଛି ଶୁଣିନଥିଲେ। ଚିକିତ୍ସା କରିବାକୁ ମନା କରିଦେଇଥିଲେ।
ମେଡିକାଲ୍ରୁ ନିରାଶ ହେବା ପରେ ରେଶମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁହାରୀ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ହସ୍ତକ୍ଷେପ କରିଥିଲା। ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସିଏମ୍ଓଙ୍କ ନିର୍ଦ୍ଦେଶ ପରେ ରେଶମା ଝିଅକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ଏହା ସତ୍ତ୍ୱେ ମେଡିକାଲ କର୍ମଚାରୀମାନେ ତାଙ୍କଠାରୁ ୮,୦୦୦ ଟଙ୍କା ନେଇଥିଲେ। ଅପରେସନ୍ ପରେ ବାକି ଟଙ୍କା ମାଗିଥିଲେ।
ରେଶମା ଟଙ୍କା ଦେବା ପାଇଁ ମନା କରିଥିଲେ। ଏହା ପରେ ଝିଅକୁ ମେଡ଼ିକାଲ୍ କର୍ମଚାରୀ ଡିସ୍ଚାର୍ଜ କରିଥିଲେ। କିଛି ଦିନ ପରେ ଚେକ୍ଅପ୍ ପାଇଁ ଆସିବାକୁ ରେଶମାଙ୍କୁ ଡାକ୍ତର କହିଥିଲେ। ଡାକ୍ତରଙ୍କ ପରାମର୍ଶରେ ରେଶମା ଝିଅକୁ ଧରି ପୁଣି ଥରେ ମେଡିକାଲ୍ରେ ପହଞ୍ଚିଥିଲେ। ଅପରେସନ କରିଥିବା ଡାକ୍ତର ଚତୁର୍ବେଦୀ ଝିଅର ଆଣ୍ଠୁ ଯାଞ୍ଚ କରିଥିଲେ। ଅପରେସନ୍ ସମୟରେ ବାକି ଟଙ୍କା ଦେଇନଥିବାରୁ ଡାକ୍ତର ଝିଅର ଆଣ୍ଠୁ ଜବରଦସ୍ତି ମୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ଗୋଡ଼ର ହାଡ ଭାଙ୍ଗି ଯାଇଥିଲା।
ଡାକ୍ତର ମୋଡ଼ି ଦେବା ପରେ ନିଷ୍ପାପ ଝିଅଟି ଯନ୍ତ୍ରଣାରେ ଚିତ୍କାର କରୁଥିଲା। ହେଲେ ନିର୍ଦ୍ଦୟ ଡାକ୍ତରମାନେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ସେଠାରୁ ତଡ଼ି ଦେଇଥିଲେ। ପରେ ଯେତେବେଳେ ଗୋଡ଼ର ଏକ୍ସ’ରେ କରାଗଲା, ସେଥିରେ ହାଡ଼ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ହତାଶ ମା’ ବଡ଼ ଡାକ୍ତରମାନଙ୍କ ନିକଟରେ ଅଭିଯୋଗ କଲେ, କିନ୍ତୁ କେହି ହେଲେ ଶୁଣିଲେ ନାହିଁ।

