fbpx

‘ସ୍ୱପ୍ନ ପରି ଥିଲା ସ୍ୱର୍ଣ୍ଣ ପଦକ ଜିତିବା, ଏବେ ୯୦ ମିଟର ଫିଙ୍ଗିବା ମୋର ଲକ୍ଷ୍ୟ’

ନୂଆଦିଲ୍ଲୀ : ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ସେ ଭାରତକୁ ଦୌଡକୁଦରେ ପ୍ରଥମ ଅଲିମ୍ପିକ୍ସ ମେଡାଲ ଜିତାଇଛନ୍ତି । ନୀରଜ ଜାଭେଲିନ ଫିଙ୍ଗାର ଫାଇନାଲରେ ଦ୍ୱିତୀୟ ପ୍ରୟାସରେ ୮୭.୫୮ ମିଟର ବର୍ଚ୍ଛା ଫିଙ୍ଗି ପ୍ରଥମ ସ୍ଥାନ ହାସଲ କରିଥିଲେ । କିନ୍ତୁ ପରେ ତାଙ୍କର ବାକି ଥ୍ରୋ ଖରାପ ରହିଥିଲା । ଏହି ବିଷୟରେ ନୀରଜ କହିଛନ୍ତି ଯେ, ଦ୍ୱିତୀୟ ଥ୍ରୋ ପରେ ସେ ଆହୁରି ଅଧିକ ଦୂର ଫିଙ୍ଗିବାକୁ ଉଦ୍ୟମ କରିିଥିଲେ । ଏହି କାରଣରୁ ବାକି ଥ୍ରୋ ଖରାପ ରହିଥିଲା ।

ଏହା ପଛରେ କେଉଁଠି ନା କେଉଁଠି ଟେକନିକ ବଡ କାରଣ ଥିଲା । ଟୋକିଓରୁ ଫେରିବା ପରେ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ନୀରଜ କହିଛନ୍ତି, ମୁଁ ଦ୍ୱିତୀୟ ପ୍ରୟାସରେ ଜାଭେଲିନକୁ ୮୭.୫୮ ମିଟର ପର୍ଯ୍ୟନ୍ତ ଫିଙ୍ଗିଥିଲି। ଏହା ପରେ ପରବର୍ତ୍ତୀ ଥ୍ରୋ ଆହୁରି ଭଲ କରିବାକୁ ଉଦ୍ୟମ କରିଥିଲି । ମୋତେ ଲାଗୁଥିଲା ମୁଁ ୯୦ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ପାରିବି । ଏହି କାରଣରୁ ବାକି ସବୁ ଥ୍ରୋ ଆଶାନୁରୂପ ରହିନଥିଲା । ୯୦ମିଟରର ସେ ନିକଟତର ଥିଲେ ବୋଲି ନୀରଜ କହିଛନ୍ତି । ସେ କୋଚଙ୍କ ସହ ମିଶି ଏହା ଉପରେ କାମ କରିବେ । ୯୦ ମିଟର ଫିଙ୍ଗିବା ତାଙ୍କର ସ୍ୱପ୍ନ । ଏହାକୁ ପୂରା କରିବାକୁ ଉଦ୍ୟମ କରିବେ ବୋଲି ନୀରଜ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ନୀରଜଙ୍କ ଶେଷ ଥ୍ରୋ ପୂର୍ବରୁ ସ୍ୱର୍ଣ୍ଣ ସୁନିଶ୍ଚିତ ହୋଇ ଯାଇଥିଲା । ଏହି ବିଷୟରେ ନୀରଜ କହିଛନ୍ତି, ପ୍ରତିପକ୍ଷ ଖେଳାଳିଙ୍କ ଶେଷ ଥ୍ରୋ ପରେ ସେ ସଂପୂର୍ଣ୍ଣ ଆଶ୍ୱସ୍ତ ହୋଇଥିଲେ । ନିଜର ଶେଷ ପ୍ରୟାସରେ ସେ ଆରାମର ସହ ଦୌଡିଥିଲେ ଏବଂ ବର୍ଚ୍ଛା ଫିଙ୍ଗିଥିଲେ । ତାଙ୍କର ଶେଷ ପ୍ରୟାସ ପୂର୍ବଠୁ ଠିକ୍ ଥିଲା । ନୀରଜ କହିଛନ୍ତି, ମୁଁ ଯେତେବେଳେ ସ୍ୱର୍ଣ୍ଣ ପଦକ ଜିତିଲି ତାହା ସ୍ୱପ୍ନ ପରି ଲାଗୁଥିଲା । ନିଜକୁ ବିଶ୍ୱାସ ହେଉନଥିଲା । ମାତ୍ର ଏବେ ସ୍ୱର୍ଣ୍ଣ ପଦକ ଦେଖିଲେ ତାହା ନିଜର ଲାଗୁଛି ବୋଲି ନୀରଜ କହିଛନ୍ତି । ଦେଶକୁ ଫେରିବା ପରେ ସମ୍ମାନ ଓ ଲୋକଙ୍କ ଉତ୍ସାହ ଦେଖି ଲାଗିଲା ଯେ ବାସ୍ତବରେ ମୁଁ କିଛି କରିଛି । ସ୍ୱର୍ଣ୍ଣ ପଦକଠୁ ବଳି ଆଉ କିଛି ନୁହେଁ ବୋଲି ନୀରଜ କହିଛନ୍ତି ।

ନୀରଜ ଚୋପ୍ରାଙ୍କ ମୁଣାରେ ଏସୀୟ କ୍ରୀଡା ଓ ରାଜ୍ୟଗୋଷ୍ଠୀ କ୍ରୀଡା ପରେ ଏବେ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ମଧ୍ୟ ଆସି ଯାଇଛି । ଆଗାମୀ ଲକ୍ଷ୍ୟ ବିଷୟରେ ସେ କହିଛନ୍ତି, ବିଶ୍ୱ ଚାମ୍ପିଅନଶିପ ଟାଇଟଲ୍ ଜିତିବା ଏବେ ବାକି ରହିଛି। ସେ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସୀୟ କ୍ରୀଡାରେ ନିଜର ପୂର୍ବ ପ୍ରଦର୍ଶନକୁ ଦୋହରାଇବାକୁ ଚାହିଁବେ । ଏତିକିରେ ସେ ସନ୍ତୁଷ୍ଟ ନାହାନ୍ତି ବୋଲି ନୀରଜ କହିଛନ୍ତି ।

Get real time updates directly on you device, subscribe now.