ଆସୁଛି କି ବଡ଼ ଭୂକମ୍ପ, କୂଅରୁ ଆସୁଛି ରହସ୍ୟମୟ ଶବ୍ଦ, ଉଛୁଳୁଛି ପାଣି, ଉଠୁଛି ସମୁଦ୍ର ଭଳି ଜୁଆର
ଆସୁଛି କି ବଡ଼ ଭୂକମ୍ପ, କୂଅରୁ ଆସୁଛି ରହସ୍ୟମୟ ଶବ୍ଦ, ଉଛୁଳୁଛି ପାଣି
ଓଡ଼ିଶା ଭାସ୍କର ଡେସ୍କ: ଗୁଜରାଟର ମୋରବୀ ଜିଲ୍ଲାସ୍ଥିତ ବୀରପରଡ଼ା ଗାଁରେ ଗତ ୫ ଦିନ ଧରି ଗୋଟିଏ କୂଅର ପାଣି କ୍ରମାଗତ ଭାବେ ହଲଚଲ ହେଉଥିବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆଶ୍ଚର୍ଯ୍ୟର ପରିବେଶ ସୃଷ୍ଟି ହୋଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଜିଲ୍ଲା ଭୂ-ବିଜ୍ଞାନୀ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ବୀରପରଡ଼ା ଗାଁର ପ୍ରାଣଜୀବନଭାଇ ସାଦରିଆଙ୍କ ମାଲିକାନାରେ ଥିବା କୂଅରେ ରବିବାରଠାରୁ ପାଣି ହଲୁଥିବା ଦେଖିବାକୁ ମିଳିଥିଲା। ଖବର ପାଇବା କ୍ଷଣି ପ୍ରଶାସନ ସକ୍ରିୟ ହୋଇଥିଲା ଏବଂ ଜିଲ୍ଲା ଭୂ-ବିଜ୍ଞାନୀ ଜେ. ଏସ୍. ୱାଧେରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଅଞ୍ଚଳରେ କୌଣସି ପ୍ରକାରର ଭୂକମ୍ପଜନିତ ଗତିବିଧି ନାହିଁ।
ପାଣି ହଲିବାର କାରଣ ଦେଲେ ଅଧିକାରୀ: ଘଟଣାର କାରଣ ସମ୍ପର୍କରେ ଅଧିକାରୀମାନେ ଜଣାଇଛନ୍ତି ଯେ, କ୍ରମାଗତ ପ୍ରବଳ ବର୍ଷା ଯୋଗୁଁ ଭୂତଳ ଜଳ ସ୍ତର ବୃଦ୍ଧି ପାଉଛି । ବର୍ଷା ପାଣି ଜମି ଭିତରକୁ ଯିବା ସମୟରେ ପଥର ସନ୍ଧିରେ ଥିବା ଫାଙ୍କା ସ୍ଥାନଗୁଡ଼ିକରେ ବାୟୁ ଚାପି ହୋଇ ରହିଯାଏ ଏବଂ ପରେ ଚାପ ସହ ବାହାରକୁ ବାହାରିଥାଏ। ଏହି ବାୟୁର ଚାପ ଏବଂ ପ୍ରବଳ ପବନ ଯୋଗୁଁ କୂଅର ପାଣି ହଲୁଥିବା ଭଳି ଦେଖାଯାଉଛି।
ଜିଲ୍ଲାପାଳ ସ୍ୱପ୍ନିଲ ଖରେ କହିଛନ୍ତି ଯେ, ଭୂ-ବିଜ୍ଞାନୀ ଦଳ ସ୍ଥିତିର ଯାଞ୍ଚ କରିସାରିଛନ୍ତି। ବର୍ଷା ହେତୁ ମାଟି ତଳେ ଥିବା ଆକ୍ୱିଫରରେ ପବନ ଫସି ରହିଥିଲା, ଯାହାର ଗତି ଯୋଗୁଁ ପାଣିରେ ଏପରି ହଲଚଲ ଦେଖାଯାଉଛି।
ଭୂକମ୍ପ ସହ ନାହିଁ କୌଣସି ସମ୍ପର୍କ: ଜିଲ୍ଲାପାଳ କହିଛନ୍ତି, “ଏହି ଘଟଣାର ଭୂକମ୍ପ ସହ କୌଣସି ସମ୍ପର୍କ ନାହିଁ।” ଗତ କିଛି ଦିନ ହେବ ଗୁଜରାଟରେ କୌଣସି ଭୂକମ୍ପଜନିତ ଗତିବିଧି ରେକର୍ଡ କରାଯାଇନାହିଁ। ତେଣୁ ନାଗରିକମାନେ କୌଣସି ପ୍ରକାର ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ ଲୋକଙ୍କୁ ସେହି କୂଅ ପାଖକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।


