ହାତୀଙ୍କ ଉତ୍ପାତରୁ ଜନ୍ମ ନେଲା ମନ୍ଦିର; ଆଜି ମନସ୍କାମନା ନେଇ ଛୁଟି ଆସନ୍ତି ଭକ୍ତ
ସ୍ଥାନୀୟ ଲୋକକଥା ଅନୁସାରେ ଦିନେ ଏହି ଅଞ୍ଚଳରେ ହାତୀଙ୍କ ଉତ୍ପାତ ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଥିଲା।
ରାଞ୍ଚି: ଆସ୍ଥାର କୌଣସି ନିର୍ଦ୍ଦିଷ୍ଟ ରୂପ ନାହିଁ। କେଉଁଠି ଦେବାଦେବୀଙ୍କୁ ପୂଜା କରାଯାଏ, ତ ଆଉ କେଉଁଠି ପ୍ରକୃତି ଓ ଜୀବଜନ୍ତୁଙ୍କ ଭିତରେ ଲୋକେ ଦେବତ୍ୱ ଦେଖନ୍ତି। ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବୋଡ଼ାମ ଅଞ୍ଚଳରେ ଥିବା ‘ହାତୀ ଖେଦା’ ମନ୍ଦିର ଏହି ଅନନ୍ୟ ଆସ୍ଥାର ଏକ ଉଦାହରଣ। ଏଠାରେ ହାତୀ ପୂଜା ପାଆନ୍ତି। ହେଲେ ଏଠି ମିଳୁଥିବା ପ୍ରସାଦ ମହିଳାମାନେ ଖାଇପାରିବେ ନାହିଁ। ଏପରିକି କୌଣସି ଭକ୍ତ ପ୍ରସାଦ ଘରକୁ ନେଇପାରିବ ନାହିଁ।
ଜମଶେଦପୁରଠାରୁ ପ୍ରାୟ ୫୦ କିଲୋମିଟର ଦୂର ଗଲେ ପଡ଼ିବ ‘ହାତୀ ଖେଦା’ ମନ୍ଦିର। ଏଠାରେ ପୂଜା ପାଆନ୍ତି ‘ହାତୀ’। ମନ୍ଦିର ପରିସରରେ ରହିଛି ହାତୀଙ୍କ ଅନେକ ମୂର୍ତ୍ତି। ଦୂରଦୂରାନ୍ତରୁ ଭକ୍ତ ଏଠାକୁ ଆସି ପୂଜା କରନ୍ତି। ଚୁନରୀ ଓ ନଡ଼ିଆ ବାନ୍ଧନ୍ତି। ଭକ୍ତଙ୍କ ବିଶ୍ୱାସ, ପ୍ରାର୍ଥନା କଲେ ମନୋସ୍କାମନା ପୂରଣ ହୋଇଥାଏ।
ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବା ବଣ ଜଙ୍ଗଲ ଘେରା ଅଞ୍ଚଳରେ ହାତୀ କାହିଁକି ପୂଜା ପାଆନ୍ତି? ସ୍ଥାନୀୟ ଲୋକକଥା ଅନୁସାରେ ଦିନେ ଏହି ଅଞ୍ଚଳରେ ହାତୀଙ୍କ ଉତ୍ପାତ ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଥିଲା। ଦଲମା ଜଙ୍ଗଲ ନିକଟରେ ଥିବାରୁ ହାତୀ ପ୍ରାୟତଃ ଗାଁରେ ପ୍ରବେଶ କରନ୍ତି। ଚାଷଜମି ନଷ୍ଟ କରନ୍ତି। ବେଳେ ହାତୀ ଓ ମଣିଷ ଭିତରେ ଲଢ଼େଇ ହେଉଥିଲା। ଆଉ ସେଥିରେ ମଣିଷଙ୍କ ଜୀବନ ଯାଉଥିଲା।
ଦୀର୍ଘ ଦିନ ଧରି ଚାଲିଥିବା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜଣେ ସାଧୁଙ୍କ ପରାମର୍ଶରେ ମାଟିରେ ତିଆରି ହାତୀ ମୂର୍ତ୍ତିକୁ ପୂଜା କରିବା ଆରମ୍ଭ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ, ପୂଜା କରିବା ପରେ ଏଠାକୁ ହାତୀ ଆସିବା କମିଗଲା। ପରେ ସେଠାରେ ମନ୍ଦିର ନିର୍ମାଣ କରାଗଲା। ଆଉ ନାଁ ରଖାଗଲା ‘ହାତୀ ଖେଦା’।
‘ହାତୀ ଖେଦା’ ମନ୍ଦିରର ସବୁଠାରୁ ଚର୍ଚ୍ଚିତ ପରମ୍ପରା ହେଉଛି ଏଠାର ପ୍ରସାଦକୁ ନେଇ। ମହିଳାମାନେ ଏଠାର ପ୍ରସାଦ ଖାଇପାରନ୍ତି ନାହିଁ। କେବଳ ସେତିକି ନୁହେଁ, ମନ୍ଦିରର ପ୍ରସାଦ ଘରକୁ ନେଇଯିବା ମଧ୍ୟ ପରମ୍ପରା ବିରୋଧୀ ବୋଲି କୁହାଯାଏ। ମନ୍ଦିରରେ ପ୍ରସ୍ତୁତି ହେଉଥିବା ପ୍ରସାଦ ପୁରୁଷମାନେ ବେଢ଼ା ଭିତରେ ବସି ଖାଆନ୍ତି। କୌଣସି ପରିସ୍ଥିତିରେ ପ୍ରସାଦ ମନ୍ଦିର ବାହାରକୁ ଯାଇପାରିବ ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩୦୦ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି।
ମନ୍ଦିରର ପୁଜାରୀଙ୍କ କହିବା ଅନୁସାରେ, ଏହା କୌଣସି ନୂଆ ନିୟମ ନୁହେଁ। ପୂର୍ବପୁରୁଷଙ୍କ ସମୟରୁ ଚାଲିଆସୁଥିବା ଏକ ପରମ୍ପରା। ତେବେ ଏହି ନିୟମ କାହିଁକି ତିଆରି ହୋଇଥିଲା, ତାହାର କାରଣ ଆଜି ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ମନ୍ଦିରଟି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶରେ ରହିଛି। ପ୍ରତିଦିନ ଓ ବିଶେଷ କରି ରବିବାର ଝାଡ଼ଖଣ୍ଡ, ଓଡ଼ିଶା, ବିହାର ଏବଂ ସୀମାବର୍ତ୍ତୀ ପଶ୍ଚିମବଙ୍ଗରୁ ହଜାର ହଜାର ଭକ୍ତ ଏଠାକୁ ଆସନ୍ତି। ବିଶ୍ୱାସ ମନ୍ଦିରରେ ଚୁନରୀ ଓ ନଡ଼ିଆ ବାନ୍ଧିଲେ ମନୋସ୍କାମନା ପୂରଣହୁଏ। ଏଠାରେ ମେଣ୍ଢା ବଳିର ପରମ୍ପରା ରହିଛି।
ହାତୀଙ୍କ ଉତ୍ପାତରୁ ଯେଉଁ ପୂଜାର ଆରମ୍ଭ, ସେହି ପୂଜା ଆଜି ଲୋକଙ୍କ ଆସ୍ଥାର ଏକ ବଡ଼ କେନ୍ଦ୍ର ପାଲଟିଛି। ଜଙ୍ଗଲ ଓ ମଣିଷର ସମ୍ପର୍କ, ଭୟ ଓ ବିଶ୍ୱାସର ଏହି ଅନନ୍ୟ କାହାଣୀ ହାତୀ ଖେଦା ମନ୍ଦିରକୁ ଅନ୍ୟ ସବୁ ଧାର୍ମିକ ସ୍ଥଳଠାରୁ ଅଲଗା ପରିଚୟ ଦେଇଛି।

