ଅଧା ରହିଗଲା ଡାକ୍ତର ହେବା ସ୍ଵପ୍ନ, NEET ପାଶ୍ କରିପାରିବିନି କହି ଜୀବନ ହାରିଦେଲେ ଛାତ୍ରୀ
NEET ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରହସ୍ୟ! କାଉନ୍ସେଲିଂରେ MBBS ସିଟ୍ ମିଳିଥିବା ରିପୋର୍ଟ
ଉତ୍ତରପ୍ରଦେଶ: କେତେ ସ୍ଵପ୍ନ ଦେଖିଥିଲେ ହେବେ ଡାକ୍ତର। ଲହୁଲୁହାଣକୁ ଏକାଠି କରି କେତେ କଷ୍ଟ କରିଥିଲେ ବାପା-ମା । କିନ୍ତୁ ମାତ୍ର ଗୋଟେ ନିଷ୍ପତ୍ତି ସତେ ଯେମିତି ସବୁକିଛି ବଦଳେଇଦେଲା । ଡାକ୍ତର ହେବାର ସ୍ଵପ୍ନରେ ଲାଗିଗଲା ବ୍ରେକ୍ । ପ୍ରୟାଗରାଜର ଝୂନ୍ସି ଥାନା ଅନ୍ତର୍ଗତ ତ୍ରିବେଣୀପୁରମ ଅଞ୍ଚଳରୁ ଆସିଛି ଏକ ଏପରି ଘଟଣା ଯାହା ଶୁଣିଲେ ଆପଣ ବି କାନ୍ଦି ପକେଇବେ ।
ଗତକାଲି ଜଣେ ୧୮ ବର୍ଷୀୟା NEET ଆଶାୟୀ ଋତୁ ଶର୍ମା ନିଜ ପିତାଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ପ୍ରାରମ୍ଭିକ ତଥ୍ୟ ଏବଂ ପରିବାର ଓ ପୋଲିସର ସୂଚନା ମୁତାବକ, ଋତୁ ପରୀକ୍ଷାରେ ଫେଲ୍ ହେବା କିମ୍ବା ଆଶାନୁରୂପକ ସଫଳତା ନ ମିଳିବା ଭୟ ଏବଂ ମାନସିକ ଚାପ କାରଣରୁ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି।
ଋତୁଙ୍କ ପିତା ଦେବରାଜ ଶର୍ମା ଭାରତୀୟ ଜାତୀୟ ସଡ଼କ ପ୍ରାଧିକରଣର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର ଅଟନ୍ତି। ତାଙ୍କ ପରିବାର ମୂଳତଃ ଗାଜିପୁରର ବାସିନ୍ଦା ହୋଇଥିବାବେଳେ ପ୍ରାୟ ୬ ବର୍ଷ ପୂର୍ବରୁ ପ୍ରୟାଗରାଜର ଝୂନ୍ସି ସ୍ଥିତ ତ୍ରିବେଣୀପୁରମର ଗଙ୍ଗା ସେକ୍ଟରରେ ନିଜର ଘର କରି ରହୁଥିଲେ। ତାଙ୍କ ପରିବାରରେ ପତ୍ନୀ ଏବଂ ଯମଜ ସନ୍ତାନ (ଋତୁ ଏବଂ ଋଷିରାଜ) ଅଛନ୍ତି। ଋଷିରାଜ ବର୍ତ୍ତମାନ ଡେରାଦୂନରେ ବି.ଟେକ୍ ପାଠପଢ଼ୁଛନ୍ତି।
ଋତୁ ପ୍ରୟାଗରାଜର ଡିପିଏସ୍ ରୁ ୨୦୨୨ରେ ଦଶମ ଏବଂ ୨୦୨୪ରେ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ NEET ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ୨୦୨୬ ମସିହାରେ ହୋଇଥିବା NEET ପରୀକ୍ଷାରେ ସେ All India Rank ୧୦, ୭୪, ୨୭୨ ହାସଲ କରିଥିଲେ।
ସୋମବାର ଦିନ NEET କାଉନସେଲିଂର ତୃତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଥିଲା, ଯେଉଁଥିରେ ସୋନଭଦ୍ର ସ୍ଥିତ ସରକାରୀ ମେଡିକାଲ୍ କଲେଜରେ EWS-PwD କୋଟା ଅନ୍ତର୍ଗତ ତାଙ୍କୁ ଏମ୍ବିବିଏସ୍ ସିଟ୍ ଆବଣ୍ଟନ କରାଯାଇଥିଲା। ଏପରିକି ତାଙ୍କ ନାମ ମଧ୍ୟ ତାଲିକାରେ ଥିଲା। ତଥାପି, ପୂର୍ବ କାଉନସେଲିଂ ପର୍ଯ୍ୟାୟ ଏବଂ ପରୀକ୍ଷାଗତ ଚାପକୁ ନେଇ ସେ ଗଭୀର ମାନସିକ ଚିନ୍ତାରେ ଥିଲେ।
ପୋଲିସ ଏବଂ ପରିବାର ବର୍ଗଙ୍କ କହିବାନୁସାରେ, ଋତୁ ରାତିସାରା ପଢ଼ାଶୁଣା କରୁଥିଲେ ଏବଂ ସକାଳେ ଶୋଇ ଦିନ ପ୍ରାୟ ୨ ରୁ ୩ଟା ସମୟରେ ଉଠୁଥିଲେ। ସୋମବାର ଦିନ ଦ୍ୱିପ୍ରହର ୩ଟା ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ପରିବାର ଲୋକେ ବାରମ୍ବାର ଡାକିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ପାଇ ନଥିଲେ।
ପରେ କୋଠରୀର ଝରକା ଭାଙ୍ଗି ଭିତରକୁ ଯାଇ ଦେଖିବା ବେଳକୁ ସେ ମୃତ ଅବସ୍ଥାରେ ପଡ଼ିଥିଲେ ଏବଂ ତାଙ୍କ ପାଖରେ ଏକ ପିସ୍ତଲ ପଡ଼ିଥିଲା। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଛି, ଯେଉଁଥିରେ ସେ ଲେଖିଥିଲେ, “ମୁଁ କେବେବି NEET ପରୀକ୍ଷା ପାସ୍ କରିପାରିବି ନାହିଁ, ମତେ କ୍ଷମା କରିଦେବ।”
ଡେପୁଟି କମିଶନର୍ ଅଫ୍ ପୋଲିସ ସାଗର ଜୈନ ଏବଂ ଏସିପି ଅରୁଣ କୁମାର ପାରାଶରଙ୍କ ସୂଚନା ମୁତାବକ, ଋତୁଙ୍କ ପିତାଙ୍କ ପାଖରେ ଏକ .୩୨-ବୋର ପିସ୍ତଲ ଏବଂ ଏକ .୩୧୫-ବୋର ରାଇଫଲ୍ ରହିଛି, ଯାହା ଗୃହ ମନ୍ତ୍ରାଳୟ ଏବଂ ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ପ୍ରଶାସନ ଦ୍ୱାରା ଅଲ୍-ଇଣ୍ଡିଆ ଲାଇସେନ୍ସପ୍ରାପ୍ତ ଥିଲା।
ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ତଥା ଅନ୍ୟାନ୍ୟ ପ୍ରମାଣ ଆଧାରରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


