ବର ଠିଆ ହୋଇଛି ମଣ୍ଡପରେ; କନିଆଁ ଆସିଲା ନାହିଁ…
ଗୁଜରାଟର ଭାବନଗର ୩୧ ବର୍ଷୀୟ ଯୁବକ ରାହୁଲ(ଛଦ୍ମନାମ) ବିବାହ ପାଇଁ ଝିଅ ଖୋଜୁଥିଲେ
ନାଗପୁର: ବେର ବେଶରେ ମଣ୍ଡପରେ ପହଞ୍ଚିଲା ବର। ହେଲେ ଆସିଲା ନାହିଁ କନିଆଁ। ଦୀର୍ଘ ସମୟ ଧରି ଅପେକ୍ଷା କରି ଥାନାରେ ପହଞ୍ଚିଲା ବର। ହେଲେ ଯାଞ୍ଚ ବେଳେ ଜଣାପଡ଼ିଲା, ବାହାଘର ପାଇଁ ମଧ୍ୟସ୍ତି ସାଜିଥିବା ମହିଳା ହେଉଛନ୍ତି ମହାଠକ। ଏପରି ଏକ ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି। ପୋଲିସ ମହାଠକ ମହିଳାଙ୍କୁ ଗିରଫ ଘଟଣାର ତଦନ୍ତ ଚଳାଇଛି।
ପୂରା ଘଟଣା ଏମିତି। ଗୁଜରାଟର ଭାବନଗର ୩୧ ବର୍ଷୀୟ ଯୁବକ ରାହୁଲ(ଛଦ୍ମନାମ) ବିବାହ ପାଇଁ ଝିଅ ଖୋଜୁଥିଲେ। ଏଥିପାଇଁ ସେ ନାଗପୁରରେ ରହୁଥିବା ଜଣେ ପରିଚିତଙ୍କ ସାହାଯ୍ୟ ମାଗିଥିଲେ। କିଛି ଦିନ ପରେ ତାଙ୍କ ପାଖକୁ ଗୋଟିଏ ଫୋନ କଲ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ରାହୁଲଙ୍କୁ କହିଥିଲେ, ଝିଅ ମିଳିଯାଇଛି, ନାଗପୁର ଆସନ୍ତୁ।
ରାହୁଲ ଏକଥା ଶୁଣିବା ପରେ ମନ କୁତୁକୁତୁ ହୋଇଥିଲା। ଖୁସିରେ ତାଙ୍କ ପାଦ ତଳେ ଲାଗୁନଥିଲା। କାଳ ବିଳମ୍ବ ନକରି ନାଗପୁର ଚାଲିଗଲେ। ନାଗପୁରରେ ତାଙ୍କର ସାକ୍ଷାତ ହୋଇଥିଲା ରାନୀ ଓରଫ କୋମଳ ପାଣ୍ଡେଙ୍କ ସହ। ସେ ଜଣେ ଯୁବତୀଙ୍କ ଫଟୋ ରାହୁଲଙ୍କୁ ଦେଖାଇଥିଲେ। ଯୁବତୀଙ୍କ ନାଁ ନମ୍ରତା ମାଲବୀୟ ବୋଲି କହିଥିଲେ। ଫଟୋ ପସନ୍ଦ ହେବା ପରେ ରାହୁଲଙ୍କୁ କୋରାଡ଼ି ଅଞ୍ଚଳର ଏକ ଘରକୁ ନିଆଯାଇଥିଲା। ସେଠାରେ ନମ୍ରତା ମଧ୍ୟ ଉପସ୍ଥିତ ଥିଲେ। ସେହି ସ୍ଥାନରେ ଉପସ୍ଥିତ ଥିବା କିଛି ଲୋକ ନିଜକୁ ତାଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲେ। ଆଲୋଚନା ପରେ ବିବାହ ପ୍ରସ୍ତାବ ପ୍ରାୟ ଚୂଡ଼ାନ୍ତ ହୋଇଯାଇଥିଲା।
Uttarakhand Govt.
ତା’ପରେ ଆସିଲା ଆସଲ କଥା। କୁହାଗଲା ଯେ ବିବାହ ପାଇଁ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ। କନ୍ୟା ପାଇଁ ସୁନା ଓ ରୁପାର ଅଳଙ୍କାର ମଧ୍ୟ ଦେବାକୁ ପଡ଼ିବ। ରାହୁଲ କୌଣସି ସନ୍ଦେହ ନକରି ଏଟିଏମ୍ରୁ ୭୦ ହଜାର ଟଙ୍କା କାଢ଼ି ଦେଇଦେଲେ। ଏପରିକି ଅଳଙ୍କାରର ବ୍ୟବସ୍ଥା ମଧ୍ୟ କରିଦେଲେ। ଏବେ ସେ କେବଳ ବିବାହକୁ ଅପେକ୍ଷା କରୁଥିଲେ।
ପରେ ରାହୁଲଙ୍କୁ କୁହାଗଲା, ବିବାହ କୋରାଡ଼ିରେ ନୁହେଁ, ବରଂ ନାଗପୁରର ସୀତାବର୍ଡି ସ୍ଥିତ ଏକ ମନ୍ଦିରରେ ହେବ। ବିବାହ ପାଇଁ ବ୍ୟାକୁଳ ଥିବା ରାହୁଲ ହଁ ମାରିଥିଲେ। ଏପରିକି ଯୁବକ ଜଣକ ବର ବେଶରେ ମନ୍ଦିରରେ ପହଞ୍ଚି ଥିଲେ। ସେ ଭାବିଥିଲେ, ଆଉ କିଛି ସମୟ ପରେ ବିହାଘର ହେବ। ପରିବାର ଲୋକଙ୍କୁ ସର୍ପାଇଜ ଦେବା ପାଇଁ ପତ୍ନୀଙ୍କୁ ଧରି ଘରେ ପହଞ୍ଚିବେ।
ହେଲେ ସବୁ ଆଶା ନିରାଶାରେ ପରିଣତ ହୋଇଗଲା। ଦୀର୍ଘ ସମୟ ଧଣି ଅପେକ୍ଷା କରିଥିଲେ ମଧ୍ୟ କେହି ଆସିଲେ ନାହିଁ। ଏହା ପରେ ଯୁବକ ଜଣକ ବୁଝି ଯାଇଥିଲେ ଯେ ସେ ଏକ ବଡ଼ ଠକେଇର ଶିକାର ହୋଇଛନ୍ତି। ସେ ତୁରନ୍ତ ପୋଲିସରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଲା, ଏହି ସମଗ୍ର ଠକେଇ ଚକ୍ରର କଥିତ ମାଷ୍ଟରମାଇଣ୍ଡ ହେଉଛି ରାନୀ ଓରଫ କୋମଳ ପାଣ୍ଡେ। ପୋଲିସ ତାଙ୍କୁ ପାଚପାୱଲି ଅଞ୍ଚଳରୁ ଗିରଫ କରିଛି। ବର୍ତ୍ତମାନ ପୋଲିସ ଉକ୍ତ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଖୋଜୁଛି। ଏହି ଗ୍ୟାଙ୍ଗ ଏ ପର୍ଯ୍ୟନ୍ତ କେତେ ଜଣଙ୍କୁ ଏଭଳି ବିବାହର ସ୍ୱପ୍ନ ଦେଖାଇ ଠକିଛି। ତାହାର ତଦନ୍ତ କରୁଛି ପୋଲିସ।

