୨୨ ବର୍ଷର ମହାକାଶ ଯାତ୍ରାରେ ପୂର୍ଣ୍ଣଚ୍ଛେଦ: ପୃଥିବୀକୁ ଫେରିଲା ନାସାର ‘ସ୍ୱିଫ୍ଟ’ ଟେଲିସ୍କୋପ!

୨୦୦୪ ମସିହାରେ ମହାକାଶକୁ ପଠାଯାଇଥିବା ଏହି ଅବଜରଭେଟୋରି ୨୦୨୬ ନଭେମ୍ବର ୪ ତାରିଖ ସକାଳ ୭ଟା ୩୯ ମିନିଟ୍‌ରେ ଉତ୍ତର ସୁମାତ୍ରା ଉପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା।

ନୂଆଦିଲ୍ଲୀ: ମହାକାଶର ରହସ୍ୟ ଖୋଜୁ ଖୋଜୁ ଶେଷରେ ପୃଥିବୀକୁ ଖସିଲା ନାସାର ପ୍ରସିଦ୍ଧ ସ୍ୱିଫ୍ଟ ସ୍ପେସ୍ ଟେଲିସ୍କୋପ୍। ୨ ବର୍ଷର ମିଶନ୍ ପାଇଁ ଉତ୍‌କ୍ଷେପଣ ହୋଇଥିବା ଏହି ଯନ୍ତ୍ର ଦୀର୍ଘ ୨୨ ବର୍ଷ ଧରି ବ୍ରହ୍ମାଣ୍ଡର ରହସ୍ୟମୟ ବିସ୍ଫୋରଣ ଉପରେ ନଜର ରଖିଥିଲା।

ମହାକାଶରେ ଦୀର୍ଘ ୨୨ ବର୍ଷର ଯାତ୍ରା ପରେ ଶେଷରେ ବିଦାୟ ନେଇଛି ନାସାର ପ୍ରସିଦ୍ଧ ‘ସ୍ୱିଫ୍ଟ’ ସ୍ପେସ୍ ଟେଲିସ୍କୋପ୍। ୨୦୦୪ ମସିହାରେ ମହାକାଶକୁ ପଠାଯାଇଥିବା ଏହି ଅବଜରଭେଟୋରି ୨୦୨୬ ନଭେମ୍ବର ୪ ତାରିଖ ସକାଳ ୭ଟା ୩୯ ମିନିଟ୍‌ରେ ଉତ୍ତର ସୁମାତ୍ରା ଉପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା। ପ୍ରାୟ ୧,୪୫୦ କିଲୋଗ୍ରାମ୍ ଓଜନର ଏହି ଟେଲିସ୍କୋପ୍‌ର ଅଧିକାଂଶ ଅଂଶ ବାୟୁମଣ୍ଡଳରେ ଜଳି ଯାଇଥିବା ନାସା କହିଛି। ନାସାର ତଥ୍ୟ ଅନୁସାରେ, ଏହାର ଭଗ୍ନାବଶେଷ ପୃଥିବୀରେ କାହାରି କ୍ଷତି କରିବାର ଆଶଙ୍କା ନଥିଲା। ଏହାକୁ ପୁଣି ଉଚ୍ଚ କକ୍ଷପଥକୁ ନେବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା।

୨୦୦୪ ନଭେମ୍ବରରେ ନାସା ଏହି ଟେଲିସ୍କୋପ୍‌କୁ ମହାକାଶକୁ ପଠାଇଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା ମାତ୍ର ଦୁଇ ବର୍ଷ ଧରି ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ବିସ୍ଫୋରଣ ‘ଗାମା ରେ’ ବର୍ଷ୍ଟ’ ଉପରେ ଅଧ୍ୟୟନ କରିବା। ହେଲେ ଏହାର କାର୍ଯ୍ୟଦକ୍ଷତା ଆଶାଠାରୁ ଅଧିକ ଥିଲା। ଦୁଇ ବର୍ଷର ମିଶନ ପାଇଁ ତିଆରି ହୋଇଥିବା ଏହି ଟେଲିସ୍କୋପ୍ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମହାକାଶରେ କାର‌୍ୟ୍ୟ କରିଥିଲା।

ଏହାର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଏହାର ଦ୍ରୁତ ପ୍ରତିକ୍ରିୟା। ବ୍ରହ୍ମାଣ୍ଡର କୌଣସି ସ୍ଥାନରେ ଗାମା ରେ’ ବିସ୍ଫୋରଣ ଚିହ୍ନଟ ହେବାର ମାତ୍ର ଏକ ମିନିଟ୍ ମଧ୍ୟରେ ଏହା ନିଜ ଟେଲିସ୍କୋପ୍‌କୁ ସେହି ଦିଗକୁ ବୁଲାଇ ପାରୁଥିଲା। ଏହି କ୍ଷମତା ଯୋଗୁଁ ଏହାର ନାମ ‘ସ୍ୱିଫ୍ଟ’ ରଖାଯାଇଥିଲା। ୨୦୧୮ ମସିହାରେ ଏହାର ପ୍ରଥମ ପ୍ରମୁଖ ବୈଜ୍ଞାନିକ ନିଲ୍ ଗେରେଲ୍ସଙ୍କ ସମ୍ମାନରେ ଏହାର ନାମ ‘ନିଲ୍ ଗେରେଲ୍ସ ସ୍ୱିଫ୍ଟ ଅବଜରଭେଟୋରି’ ରଖାଯାଇଥିଲା।

ଏହି ଦୀର୍ଘ ଯାତ୍ରାରେ ସ୍ୱିଫ୍ଟ ୨,୦୦୦ରୁ ଅଧିକ ଗାମା ରେ’ ବର୍ଷ୍ଟ ଓ ୧,୪୦୦ରୁ ଅଧିକ ସୁପରନୋଭା ବିସ୍ଫୋରଣ ଉପରେ ଅଧ୍ୟୟନ କରିଥିଲା। ଏହା ସହ ଦୂରବର୍ତ୍ତୀ ବ୍ଲାକ୍ ହୋଲ୍, କ୍ଷୁଦ୍ରଗ୍ରହ ଓ ଧୂମକେତୁ ସମ୍ପର୍କରେ ମଧ୍ୟ ମୂଲ୍ୟବାନ ତଥ୍ୟ ଯୋଗାଇଥିଲା। ଏହାର ଶେଷ ବୈଜ୍ଞାନିକ ଅବଲୋକନ ଅକ୍ଟୋବର ୨୦ରେ ହୋଇଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ବଞ୍ଚାଇବାକୁ ହୋଇଥିଲା ଉଦ୍ୟମ? ସ୍ୱିଫ୍ଟର ନିଜସ୍ୱ ଥ୍ରଷ୍ଟର ନଥିବାରୁ ଏହାର କକ୍ଷପଥକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନଥିଲା। ପୃଥିବୀର ବାୟୁମଣ୍ଡଳୀୟ ଘର୍ଷଣ ଯୋଗୁଁ ଏହା ଧୀରେ ଧୀରେ ପୃଥିବୀ ଆଡ଼କୁ ଖସୁଥିଲା। ଏହାର ଉଚ୍ଚତା କମିବା ସହ ଖସିବା ପ୍ରକ୍ରିୟା ମଧ୍ୟ ଦ୍ରୁତ ହୋଇଥିଲା। ଏହାକୁ ବଞ୍ଚାଇବା ପାଇଁ ୨୦୨୫ ସେପ୍ଟେମ୍ବରରେ ନାସା ଆମେରିକାର ଏରିଜୋନାସ୍ଥିତ କମ୍ପାନୀ ‘କାଟାଲିଷ୍ଟ ସ୍ପେସ୍’କୁ ୩ କୋଟି ଡଲାରର ଚୁକ୍ତି ଦେଇଥିଲା। କମ୍ପାନୀର ‘ଲିଙ୍କ୍’ ନାମକ ରୋବୋଟିକ୍ ମହାକାଶଯାନ ଜୁଲାଇରେ ଉତ୍‌କ୍ଷେପଣ ହୋଇଥିଲା। ଏହା ଅଗଷ୍ଟରେ ସ୍ୱିଫ୍ଟକୁ ଧରି ଉଚ୍ଚ କକ୍ଷପଥକୁ ନେବାର ଯୋଜନା ଥିଲା। କିନ୍ତୁ ଏହାର ପ୍ରୋପଲ୍ସନ୍ ସିଷ୍ଟମ୍ ଓ ରିଆକ୍ସନ୍ ହ୍ୱିଲ୍‌ରେ ତ୍ରୁଟି ଦେଖାଦେବାରୁ ମିଶନ୍ ବିଫଳ ହୋଇଥିଲା। ଶେଷରେ ସେପ୍ଟେମ୍ବର ୨୫ରେ ‘ଲିଙ୍କ୍’ ମଧ୍ୟ ପୃଥିବୀକୁ ଖସି ଆସିଥିଲା।

ନାସା ଏହି ଉଦ୍ୟମକୁ ଉଚ୍ଚ ବିପଦପୂର୍ଣ୍ଣ ହେଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି। ଯଦିଓ ସ୍ୱିଫ୍ଟକୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ତଥାପି ଏହି ପ୍ରୟାସ ମହାକାଶରେ ଉପଗ୍ରହର ମରାମତି ଓ ସେବା ଯୋଗାଣ ପ୍ରଯୁକ୍ତିର ବିକାଶ ପାଇଁ ନୂଆ ଶିକ୍ଷା ଦେଇଛି।

ମହାକାଶରୁ ଉପଗ୍ରହ ବା ତାହାର ଅବଶିଷ୍ଟ ପୃଥିବୀକୁ ଖସିବା ଏକ ନୂଆ ଘଟଣା ନୁହେଁ। ହାରାହାରି ପ୍ରତିଦିନ ୩ଟି ବଡ଼ ମହାକାଶ ଆବର୍ଜନା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥାଏ। ଆଗକୁ ମହାକାଶରେ ଉପଗ୍ରହ ସଂଖ୍ୟା ବଢ଼ିବା ସହ ଏହି ସମସ୍ୟା ମଧ୍ୟ ଗମ୍ଭୀର ହୋଇପାରେ।
ସ୍ୱିଫ୍ଟର ଅବସାନ ମହାକାଶ ଗବେଷଣାର ଏକ ଯୁଗର ଅନ୍ତ ହୋଇଥିଲେ ମଧ୍ୟ ଏହାର ଅବଦାନ ବୈଜ୍ଞାନିକଙ୍କୁ ଆଗାମୀ ଦିନରେ ନୂଆ ଆବିଷ୍କାର ପାଇଁ ସହାୟତା କରିବ। ଏଥିସହ ମହାକାଶ ଆବର୍ଜନାର ସଠିକ୍ ପରିଚାଳନା ଏବଂ ଉପଗ୍ରହର କାର୍ଯ୍ୟକାଳ ବଢ଼ାଇବା ପାଇଁ ନୂଆ ପ୍ରଯୁକ୍ତିର ଆବଶ୍ୟକତାକୁ ମଧ୍ୟ ଏହି ଘଟଣା ମନେ ପକାଇ ଦେଇଛି।