fbpx

ପଞ୍ଜାବ କଂଗ୍ରେସ କଳହରେ ପଡିବ ଯବନିକା: ଆଜି କାର୍ଯ୍ୟଭାର ଗ୍ରହଣ କରିବେ ନବଜୋତ୍ ସିଂ ସିଦ୍ଧୁ, ସମାରୋହକୁ ଯୋଗ ଦେବେ ଅମରିନ୍ଦର ସିଂ

ଚଣ୍ଡୀଗଡ଼ : ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସ୍‌ରେ ସୃଷ୍ଟି ହୋଇଥିବା ଝଡ ଥମିବ ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ନବଜୋତ ସିଂହ ସିଦ୍ଧୁ ଏବଂ ୪ଜଣ କାର୍ଯ୍ୟକାରୀ ସଭାପତି ଶୁକ୍ରବାର ଚଣ୍ଡୀଗଡ଼ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ତେବେ ବିଶ୍ୱସ୍ତ ସୂତ୍ର ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ ଯୋଗଦେବେ ବୋଲି ଜଣାପଡିଛି ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦଳର ହାଇକମାଣ୍ଡ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ସମାରୋହରେ ଯୋଗଦେବାକୁ ରାଜି ହୋଇଛନ୍ତି ଅମରିନ୍ଦରସିଂ । ସମରୋହ ସ୍ଥଳକୁ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ ରାୱତଙ୍କ ସହ ଅମରିନ୍ଦର ସିଂ ଯିବେ । ସିଦ୍ଧୁ ବର୍ତ୍ତମାନର ସଭାପତି ସୁନୀଲ ଜାଖଡଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିବେ । କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ । ସମାରୋହ ପୂର୍ବରୁ ଏକ ଚା ପାର୍ଟିର ଆୟୋଜନ କରାଯାଇଛି । ଏହି ପାର୍ଟିରେ ଦଳର ସମସ୍ତ ବିଧାୟକଙ୍କ ସହ କ୍ୟାପଟେନ୍‌ ଯୋଗଦେବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟେ, ନବଜୋତ ସିଂହ ସିଦ୍ଧୁ ଓ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ଗତ କିଛିଦିନ ହେଲା ମତଭେଦ ଜାରି ରହିଛି ଏବଂ ସିଦ୍ଧୁଙ୍କୁ ରାଜ୍ୟଶାଖା ସଭାପତି ପଦରେ ନିଯୁକ୍ତିକୁ ସେ ବିରୋଧ କରିଛନ୍ତି । ସିଦ୍ଧୁଙ୍କୁ ସଭାପତି ନିଯୁକ୍ତ କରାଯିବା ପରେ କ୍ୟାପ୍‌ଟେନ୍‌ ଅମରିନ୍ଦର କହିଛନ୍ତି ତାଙ୍କ ବିରୋଧରେ ଟ୍ୱିଟ୍‌ କରି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାରୁ କ୍ଷମା ନ ମାଗିଲା ପର୍ଯ୍ୟନ୍ତ ସିଦ୍ଧୁଙ୍କୁ ସେ ସାକ୍ଷାତ କରିବେ ନାହିଁ । ଅନ୍ୟପକ୍ଷରେ ଶୁକ୍ରବାର ହେବାକୁ ଥିବା ଏହି ସମାରୋହ ପାଇଁ ସିଦ୍ଧୁ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଆମନ୍ତ୍ରଣ କରିଛନ୍ତି ।

Get real time updates directly on you device, subscribe now.