fbpx

ନୂତନ ଶିକ୍ଷାନୀତି-୨୦୨୦: ଘରୋଇ ସ୍କୁଲରେ NCERT ବହି ବାଧ୍ୟତାମୂଳକ, ନିୟମ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂତନ ଶିକ୍ଷାନୀତି ୨୦୨୦ରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯିବ । ପାଠ୍ୟକ୍ରମରେ ଆଞ୍ଚଳିକ ଭାଷା, ଧନ୍ଦାମୂଳକ ଶିକ୍ଷା ଓ ଯୁଗ ଉପଯୋଗୀ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଘରୋଇ ସ୍କୁଲମାନଙ୍କରେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରାଯିବ ।

ତେବେ ଏହି ଏନସିଇଆରଟି ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରାଗଲେ ଏଣିକି ଘରୋଇ ସ୍କୁଲଗୁଡ଼ିକ ଆଉ ମନଇଚ୍ଛା ନିଜର ସିଲାବସରେ ପାଠ ପଢ଼ାଇ ପାରିବେ ନାହିଁ । ଏ ବାବଦରେ ଏନସିଇଆରଟିର ଡାଇରେକ୍ଟର ସୂଚନା ଦେଇଛନ୍ତି । ଏହି ଅବସରରେ ସେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହାଛଡ଼ା ସେ ଆଞ୍ଚଳିକ ଶିକ୍ଷା କେନ୍ଦ୍ରର ଭିତ୍ତିଭୂମି ସହିତ ଅନ୍ୟାନ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି ।

ଏନସିଇଆରଟି ନିର୍ଦ୍ଦେଶକ କହିଛନ୍ତି, ନିର୍ଦ୍ଧାରିତ ସମୟରେ ଜାତୀୟ ଶିକ୍ଷାନୀତି ଲାଗୁ ହେବ ଓ ଭାରତୀୟ ଜ୍ଞାନକୌଶଳ ଉପରେ ସ୍କୁଲର ଶିକ୍ଷା ବ୍ୟବସ୍ଥା ଆଧାରିତ ରହିବ । ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ଧନ୍ଦାମୂଳକ ଶିକ୍ଷା ଓ କୋଡିଂ ସ୍ଥାନ ପାଇବ । ଆସନ୍ତା ବର୍ଷଠାରୁ ନୂଆ ପାଠ୍ୟକ୍ରମ କାର୍ଯ୍ୟକାରୀ ହେବ । ଓଡ଼ିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଚାଲିଛି । ଯେଉଁ ଘରୋଇ ସ୍କୁଲଗୁଡ଼ିକ ନିୟମର ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.