ନଦୀରେ ଭାସୁଛି ହଜାର ହଜାର LPG ସିଲିଣ୍ଡର; ବିସ୍ଫୋରଣ ଆଶଙ୍କା, ନଛୁଇଁବାକୁ ପ୍ରଶାସନର ଚେତାବନୀ

ଏଚପିସିଏଲ୍‌ (HPCL)ର ପାତାଳଗଙ୍ଗା ଏଲପିଜି ପ୍ଲାଣ୍ଟରେ ଭୟଙ୍କର ବନ୍ୟା ଯୋଗୁଁ ହଜାର ହଜାର ଗ୍ୟାସ୍ ସିଲିଣ୍ଡର ନଦୀକୁ ଭାସି ଯାଇଛି, ଯାହାକୁ ନେଇ ଜନସାଧାରଣଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି।

ମୁମ୍ବାଇ: ମହାରାଷ୍ଟ୍ରର ପାତାଳଗଙ୍ଗାସ୍ଥିତ ଏଚପିସିଏଲ୍ ଏଲପିଜି ପ୍ଲାଣ୍ଟ ନିକଟରେ ହଜାର ହଜାର ଗ୍ୟାସ୍ ସିଲିଣ୍ଡର ପାତାଳଗଙ୍ଗା ନଦୀରେ ଭାସି ଯାଇଛି। ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାଫଳରେ ଏହି ଏଚପିସିଏଲ୍ ପ୍ଲାଣ୍ଟରୁ ପ୍ରାୟ ୩,୦୦୦ ଏଲପିଜି ସିଲିଣ୍ଡର ନିକଟସ୍ଥ ନଦୀକୁ ଭାସି ଯାଇଛି।

ଏହି ଘଟଣା ପରେ ସମ୍ପୃକ୍ତ ଅଧିକାରୀମାନେ ଜନସାଧାରଣଙ୍କୁ ନଦୀରେ ଭାସୁଥିବା ସିଲିଣ୍ଡରଗୁଡ଼ିକୁ ନଛୁଇଁବା, ପାଣିରୁ ନକାଢ଼ିବା ଏବଂ ଅନ୍ୟ କେଉଁ ସ୍ଥାନକୁ ନନେବା ପାଇଁ ଅପିଲ୍ କରିଛନ୍ତି। ବନ୍ୟା ଯୋଗୁଁ ଏହି ସିଲିଣ୍ଡରଗୁଡ଼ିକ ନଷ୍ଟ ହୋଇଥାଇପାରେ ଏବଂ ଏଥିରୁ ଗ୍ୟାସ୍ ଲିକ୍ ହେବାର ଆଶଙ୍କା ରହିଛି, ଯାହାଫଳରେ ଏଗୁଡ଼ିକ ବିସ୍ଫୋରଣ ମଧ୍ୟ ହୋଇପାରେ। ଯଦି କୌଣସି ନଦୀ, ନାଳ କିମ୍ବା ଆଖପାଖ ଅଞ୍ଚଳରେ ଏହି ଏଲପିଜି ସିଲିଣ୍ଡର ଦେଖିବାକୁ ମିଳେ, ତେବେ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନ, ଅଗ୍ନିଶମ ବାହିନୀ କିମ୍ବା ଜିଲ୍ଲା ପ୍ରଶାସନକୁ ସୂଚନା ଦେବାକୁ ଅଧିକାରୀମାନେ କହିଛନ୍ତି।

ଗ୍ୟାସ୍ ସିଲିଣ୍ଡରଗୁଡ଼ିକୁ ସୁରକ୍ଷିତ ଭାବେ ହଟାଇବା ପାଇଁ କେବଳ ପ୍ରଶିକ୍ଷିତ ଜରୁରୀକାଳୀନ କର୍ମଚାରୀଙ୍କ ସହାୟତା ନେବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଭାସି ଯାଇଥିବା ସିଲିଣ୍ଡରଗୁଡ଼ିକ ଉପରେ ନଜର ରଖିବା ଏବଂ ସେଗୁଡ଼ିକୁ ଉଦ୍ଧାର କରିବା ପାଇଁ ଉକ୍ତ ଅଞ୍ଚଳରେ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି। ନିଖୋଜ ସିଲିଣ୍ଡରଗୁଡ଼ିକୁ ଖୋଜି ବାହାର କରିବା ଏବଂ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।