ଅଗଷ୍ଟ ୩୦ରେ ନିଟ୍-ପିଜି, କେବେ ଆସିବ ଆଡମିଟ୍ କାର୍ଡ, ଜାଣନ୍ତୁ ନୂତନ ତାରିଖ

ଅଗଷ୍ଟ ୩୦ରେ ହେବ ପରୀକ୍ଷା, ୱେବସାଇଟ୍‌ରୁ କରନ୍ତୁ ଆଡମିଟ୍ କାର୍ଡ ଡାଉନଲୋଡ୍।

ଓଡ଼ିଶା ଭାସ୍କର ଡେସ୍କ: ନ୍ୟାସନାଲ୍ ବୋର୍ଡ ଅଫ୍ ଏଜୁକେସନ୍ ମେଡିକାଲ୍ ସାଇନ୍ସେସ୍ (NBEMS) ପକ୍ଷରୁ ନିଟ୍ ପିଜି (NEET PG) ୨୦୨୬ ଆଡମିଟ୍ କାର୍ଡ ପ୍ରକାଶନ ତାରିଖରେ ପରିବର୍ତ୍ତନ କରାଯାଇଛି। ସୋମବାର ଜାରି ଏକ ସର୍ବସାଧାରଣ ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ନିଟ୍ ପିଜି ୨୦୨୬ ଆଡମିଟ୍ କାର୍ଡ ଆସନ୍ତା ଅଗଷ୍ଟ ୨୫, ୨୦୨୬ ତାରିଖରେ ଜାରି କରାଯିବ।

ଅଫିସିଆଲ୍ ସୂଚୀ ଅନୁଯାୟୀ, ନିଟ୍ ପିଜି ପରୀକ୍ଷା ଆସନ୍ତା ଅଗଷ୍ଟ ୩୦, ୨୦୨୬ ଦିନ ସକାଳ ୯:୦୦ ଟାରୁ ଦ୍ୱିପ୍ରହର ୧୨:୩୦ ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ଦେଶର ପ୍ରାୟ ୩୪୦ଟି ସହର ଏବଂ ୧,୩୦୦ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପୂର୍ବରୁ ପ୍ରାର୍ଥୀମାନଙ୍କ ସୁବିଧା ପାଇଁ ଆଡମିଟ୍ କାର୍ଡ ପ୍ରକାଶନ ତାରିଖ ଅଗଷ୍ଟ ୨୭ରୁ ପରିବର୍ତ୍ତନ କରାଯାଇ ଅଗଷ୍ଟ ୨୪ କରାଯାଇଥିଲା।

ତେବେ NBEMS ସ୍ପଷ୍ଟ କରିଛି ଯେ, ଆସାମ ଏବଂ ମେଘାଳୟ ରାଜ୍ୟରୁ ପ୍ରାପ୍ତ କିଛି ସ୍ୱତନ୍ତ୍ର ଅନୁରୋଧ ଏବଂ ଅପରିହାର୍ଯ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସଂଶୋଧନ କରାଯାଇଛି। ନୂତନ ବିଜ୍ଞପ୍ତି ଅନୁଯାୟୀ, ହଲ୍ ଟିକେଟ୍ ବର୍ତ୍ତମାନ ଅଗଷ୍ଟ ୨୫ ତାରିଖରେ ଅଫିସିଆଲ୍ ପୋର୍ଟାଲ୍ nbe.edu.in ରେ ଉପଲବ୍ଧ କରାଯିବ।

ପ୍ରାର୍ଥୀମାନେ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରି ସେଥିରେ ଥିବା ପରୀକ୍ଷା କେନ୍ଦ୍ର, ସମୟ ଏବଂ ପରୀକ୍ଷା ଦିନର ନିର୍ଦ୍ଦେଶାବଳୀ ଯାଞ୍ଚ କରିନେବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ହଲ୍‌କୁ ପ୍ରବେଶ କରିବା ପାଇଁ ଆଡମିଟ୍ କାର୍ଡର ଏକ ରଙ୍ଗୀନ ପ୍ରିଣ୍ଟଆଉଟ୍ ସାଙ୍ଗରେ ନେବା ବାଧ୍ୟତାମୂଳକ ଅଟେ।