ପୁଣି ବିବାଦରେ ନିଟ୍‌ ପରୀକ୍ଷା! ଜୁନ୍ ୨୧ ରି-ଏଗଜାମ୍‌ ପୂର୍ବରୁ ପେପର ଲିକ୍‌, ସାଇବର ସେଲ୍‌ର ଦ୍ୱାରସ୍ଥ ହେଲା NTA

ଜୁନ୍ ୨୧ ରି-ଏଗଜାମ୍‌ ପୂର୍ବରୁ ପେପର ଲିକ୍‌, ସାଇବର ସେଲ୍‌ର ଦ୍ୱାରସ୍ଥ ହେଲା NTA

NEET Exam 2026: ଦେଶର ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍ ୟୁଜି’ ପୁଣି ଥରେ ବିବାଦର ଘେରକୁ ଆସିଛି। ଗତ ମେ’ ୩ ତାରିଖରେ ଆୟୋଜିତ ଏହି ପରୀକ୍ଷାକୁ ପେପର ଲିକ୍ ଅଭିଯୋଗ ପରେ ମେ’ ୧୨ ରେ ବାତିଲ କରିଦିଆଯାଇଥିଲା। ବର୍ତ୍ତମାନ ଏହି ମାମଲାର ସିବିଆଇ ତଦନ୍ତ ଚାଲିଥିବା ବେଳେ ଆସନ୍ତା ଜୁନ୍ ୨୧ ତାରିଖରେ ପୁଣି ଥରେ ପରୀକ୍ଷା ଆୟୋଜନ ହେବାକୁ ଯାଉଛି। କିନ୍ତୁ ଏହି ରି-ଏଗଜାମ୍ ପୂର୍ବରୁ ସୋସିଆଲ ମିଡିଆରେ ପେପର ଲିକ୍‌କୁ ନେଇ ଏକ ନୂଆ ଦାବି ସାମ୍ନାକୁ ଆସିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୋସିଆଲ ମିଡିଆ ୟୁଜରଙ୍କ ବଡ଼ ଦାବି

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଣେ ସୋସିଆଲ ମିଡିଆ ୟୁଜର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ପ୍ରିୟ @NTA_Exams ଏବଂ @Cyberdost, ମୋତେ କିଛି ଟେଲିଗ୍ରାମ ପେଜ୍ ମିଳିଛି ଯାହାକୁ ଜଣେ ମାତ୍ର ବ୍ୟକ୍ତି ପରିଚାଳନା କରୁଛନ୍ତି। ସେହି ପେଜ୍‌ଗୁଡ଼ିକରେ RE-NEET ୨୦୨୬ର ପ୍ରଶ୍ନପତ୍ର ବିକ୍ରି କରାଯାଉଛି।” ଏହା ସହିତ ୟୁଜର ଜଣକ ସେହି ଟେଲିଗ୍ରାମ ଚ୍ୟାନେଲଗୁଡ଼ିକର ଲିଙ୍କ୍ ମଧ୍ୟ ଶେୟାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ଅପିଲ କରିଛନ୍ତି।

ଏହି ସମ୍ବେଦନଶୀଳ ଅଭିଯୋଗର ଜବାବ ଦେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କହିଛି ଯେ, “ଏହି ସୋସିଆଲ ମିଡିଆ ପୋଷ୍ଟ ଉପରେ ଏନଟିଏ ନଜର ରଖିଛି। ଏହାର ତଦନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଇବର କ୍ରାଇମ ବିଭାଗକୁ ରିପୋର୍ଟ କରାଯାଉଛି।”

୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ

ସୂଚନାଯୋଗ୍ୟ ଯେ, NEET UG ୨୦୨୬ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ଦେଶର ପ୍ରାୟ ୫,୦୦୦ ରୁ ଅଧିକ କେନ୍ଦ୍ରରେ ପରୀକ୍ଷା ଦେଇଥିବା ପ୍ରାୟ ୨୨.୮ ଲକ୍ଷ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି। ପରୀକ୍ଷା ବାତିଲ ହେବା ପରେ ଦେଶର ଏଭଳି ବଡ଼ ପ୍ରବେଶିକା ପରୀକ୍ଷାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ମାମଲାର ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି NTA ଆସନ୍ତା ଜୁନ୍ ୨୧ ରେ ପୁନର୍ବାର ପରୀକ୍ଷା କରାଇବାକୁ ଘୋଷଣା କରିଛି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଚିନ୍ତା ଏବଂ ପୂର୍ବ ବିବାଦ

ଏହି ସମ୍ପୂର୍ଣ୍ଣ ମାମଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନଜରକୁ ମଧ୍ୟ ଆସିଛି। ଅଦାଲତ ଦେଶର ପରୀକ୍ଷା ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇବା ସହ ବାରମ୍ବାର ହେଉଥିବା ପେପର ଲିକ୍ ଅଭିଯୋଗକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ତେବେ କହିରଖୁଛୁ ଯେ,ପୂର୍ବରୁ ମଧ୍ୟ ବହୁ ସମୟରେ ନିଟ୍ ପରୀକ୍ଷା ବିବାଦୀୟ ହୋଇଛି:

୨୦୧୫ ମସିହା: ୨୦୧୫ରେ ମଧ୍ୟ ପେପର ଲିକ୍ ରିପୋର୍ଟ ହେତୁ ଆଇନଗତ ଲଢ଼େଇ ଏବଂ ତଦନ୍ତର ସାମ୍ନା କରିବାକୁ ପଡ଼ିଥିଲା।

୨୦୨୪ ମସିହା: ୨୦୨୪ ରେ ନିଟ୍ ପରୀକ୍ଷାରେ ପେପର ଲିକ୍, ନକଲି ଗ୍ୟାଙ୍ଗ ଏବଂ ଅହେତୁକ ଭାବେ ଗ୍ରେସ୍ ମାର୍କ ଦିଆଯିବା ଅଭିଯୋଗ ଯୋଗୁଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଓ କୋର୍ଟ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା।

ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଦିନରାତି ପରିଶ୍ରମ କରୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଆଶା ଏବଂ ଭବିଷ୍ୟତ ଏହି ରି-ଏଗଜାମ୍ ଉପରେ ନିର୍ଭର କରୁଛି। ଯଦି ଆସନ୍ତା ଜୁନ୍ ୨୧ ର ପରୀକ୍ଷା ମଧ୍ୟ ବିବାଦର ଘେରକୁ ଆସେ, ତେବେ ଦେଶର ଡାକ୍ତରୀ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ସାମ୍ନାରେ ଏକ ବଡ଼ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି।