୩୦ ଲକ୍ଷରେ ବିକ୍ରି, ପ୍ରଥମେ ପୁଅକୁ ଦେଇଥିଲେ ପ୍ରଶ୍ନପତ୍ର, ଖୋଲୁଛି ପେପର୍ ଲିକ୍ ଗୁମର, ତଦନ୍ତ ଘେରରେ ଏମାନେ

୩୦ ଲକ୍ଷରେ ବିକ୍ରି, ପ୍ରଥମେ ପୁଅକୁ ଦେଇଥିଲେ ପ୍ରଶ୍ନପତ୍ର, ଖୋଲୁଛି ପେପର୍ ଲିକ୍ ଗୁମର

NEET Paper Leak: ନିଟ୍ ୟୁଜି ପେପର ଲିକ୍ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତଦନ୍ତରୁ ଜଣାପଡ଼ିଛି ଯେ, ଗୁରୁଗ୍ରାମର ଜଣେ ଡାକ୍ତରଙ୍କଠାରୁ ଜମୱାରାମଗଡ଼ର ଦୁଇ ଭାଇ ମାଙ୍ଗିଲାଲ ବିୱାଲ ଏବଂ ଦିନେଶ ବିୱାଲ ପ୍ରାୟ ୩୦ ଲକ୍ଷ ଟଙ୍କାରେ NEET ପେପର କିଣିଥିଲେ। ଏହି ପେପରକୁ ପରେ ଅନ୍ୟ ଛାତ୍ର ଏବଂ ଅଭିଭାବକଙ୍କ ପାଖକୁ ପଠାଯାଇଥିଲା।

BAMS ଛାତ୍ର ୟଶ ଗିରଫ

ରାଜସ୍ଥାନର ସ୍ପେଶାଲ ଅପରେସନ ଗ୍ରୁପ୍ ଏହି ମାମଲାରେ ଗୁରୁଗ୍ରାମରୁ ୟଶ ନାମକ ଜଣେ BAMS ଛାତ୍ରଙ୍କୁ ଉଠେଇ ନେଇଛି। ୟଶ ଜୀରା ଦେବୀ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର। ପୋଲିସର ସନ୍ଦେହ ଅନୁଯାୟୀ, ୟଶ ପେପର ଲିକ୍ କରୁଥିବା ମୁଖ୍ୟ ଗ୍ୟାଙ୍ଗ୍ ଏବଂ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଏକ ‘ସଂଯୋଗକାରୀ’ ଭାବେ କାମ କରୁଥିଲେ। ପରୀକ୍ଷା ପୂର୍ବରୁ ତାଙ୍କ ପାଖକୁ ପ୍ରଶ୍ନପତ୍ର କିମ୍ବା ଉତ୍ତର ଆସିସାରିଥିଲା।

ପରିବାରର ୪ ଜଣ ପାଇଥିଲେ ସଫଳତା

ଅଧିକ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅଭିଯୁକ୍ତ ଦିନେଶ ବିୱାଲଙ୍କ ପରିବାରର ଚାରିଜଣ ପିଲା ଗତବର୍ଷ NEET ରେ କୃତକାର୍ଯ୍ୟ ହୋଇଥିଲେ। ଏବେ ପୋଲିସ ସେହି ସଫଳତା ପଛରେ ମଧ୍ୟ ଏହି ଜାଲିଆତିର ହାତ ରହିଛି କି ନାହିଁ, ସେ ନେଇ ଖୋଳତାଡ଼ କରୁଛି। ତଦନ୍ତକାରୀ ସଂସ୍ଥା ଏବେ ୟଶଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ କଲ୍ ଡିଟେଲ୍ସ ଯାଞ୍ଚ କରୁଛି।

ତଦନ୍ତ କରୁଛି CBI

ଏହି ବଡ଼ ଧରଣର ସ୍କାମର ତଦନ୍ତ ଏବେ ସିବିଆଇ ହାତକୁ ନେଇଛି। ସିବିଆଇ ଟିମ୍ ଦିଲ୍ଲୀ ସ୍ଥିତ NTA ଅଫିସରେ ପହଞ୍ଚି ପେପର କୋଡ୍ ଜାରି କରୁଥିବା କର୍ମଚାରୀଙ୍କ ତାଲିକା ମାଗିଛି। ପେପର କିଏ ତିଆରି କରିଥିଲା ଏବଂ ଲିକ୍ କରୁଥିବା ଲୋକଙ୍କ ପାଖକୁ ଏହା କେମିତି ପହଞ୍ଚିଲା, ସେ ନେଇ ତୀକ୍ଷ୍ଣ ନଜର ରଖିଛି ସିବିଆଇ। NTA ର ସମସ୍ତ ସାମ୍ପଲ୍ ପେପର କପି ଗୁଡ଼ିକୁ ମଧ୍ୟ ସିବିଆଇ ସଂଗ୍ରହ କରିଛି।

ରାକେଟ୍‌ର ପର୍ଦାଫାଶ ପାଇଁ ପ୍ରସ୍ତୁତି

ୟଶଙ୍କୁ ଜେରା କରିବା ପରେ ଏହି ନେଟୱର୍କରେ ସାମିଲ ଥିବା ଅନ୍ୟ ଡାକ୍ତର, କୋଚିଂ ସେଣ୍ଟର ମାଲିକ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିଷୟରେ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି। ଏହି ଘଟଣା ସାରା ଦେଶର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଜଡ଼ିତ ଥିବାରୁ ଏହା ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।