CJPର ତ୍ରିରଙ୍ଗା ମାର୍ଚ୍ଚ ପୂର୍ବରୁ ଅଭିଜିତଙ୍କ ସମେତ ନେହା ବୋରା ଅଟକ, କନ୍ନଟ୍ ପ୍ଲେସ୍ରେ କଡ଼ା ସୁରକ୍ଷା, ସେଣ୍ଟ୍ରାଲ୍ ପାର୍କ ବନ୍ଦ
ଅଭିଜିତ ଦୀପକେଙ୍କ ପରେ AISA ସଭାପତି ନେହା ବୋରାଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ମଣ୍ଡି ହାଉସ୍ରୁ ଅଟକ ରଖିଛି। ଭିଡିଓ ଜାରି କରି ସେ ଲୋକଙ୍କୁ ତ୍ରିରଙ୍ଗା ମାର୍ଚ୍ଚରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ତେଜିଲା କକ୍ରୋଚ୍ ଜନତା ପାର୍ଟି (CJP)ର ତ୍ରିରଙ୍ଗା ମାର୍ଚ୍ଚକୁ ନେଇ ଉତ୍ତେଜନା। ପ୍ରସ୍ତାବିତ ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ ପୂର୍ବରୁ CJP ସଦସ୍ୟ ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି।
ସେ କନ୍ନଟ୍ ପ୍ଲେସ୍କୁ ଯିବାକୁ ଚେଷ୍ଟା କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ, ମାର୍ଚ୍ଚକୁ ଦୃଷ୍ଟିରେ ରଖି କନ୍ନଟ୍ ପ୍ଲେସ୍ର ସେଣ୍ଟ୍ରାଲ୍ ପାର୍କ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
CJP ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ତ୍ରିରଙ୍ଗା ଉଡ଼ାଇବା ଅଭିଯୋଗରେ ଜେଲ୍ରେ ରଖାଯାଇଥିବା ଦାବି କରି ଅଭିଜିତ ଦୀପକେ ଶୁକ୍ରବାର ସନ୍ଧ୍ୟା ୫ଟାରେ ସେଣ୍ଟ୍ରାଲ୍ ପାର୍କରେ ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ କରିବାକୁ ଘୋଷଣା କରିଥିଲେ। ତେବେ ଏହି ମାର୍ଚ୍ଚ ପାଇଁ ଅନୁମତି ନଥିବାରୁ ଏହାକୁ ନକରିବାକୁ ଦିଲ୍ଲୀ ପୋଲିସ ତାଙ୍କୁ ଅନୁରୋଧ କରିଥିଲା।
ନେହା ବୋରା ଅଟକ: ଅଭିଜିତ ଦୀପକେଙ୍କ ପରେ AISA ସଭାପତି ନେହା ବୋରାଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଅଟକ ରଖିଛି। ତାଙ୍କୁ ମଣ୍ଡି ହାଉସ୍ରୁ ଅଟକ ରଖାଯାଇଛି।
ନେହା ଏକ ଭିଡିଓ ଜାରି କରି ମଣ୍ଡି ହାଉସ୍ରେ ପହଞ୍ଚି ଲୋକଙ୍କୁ ତ୍ରିରଙ୍ଗା ମାର୍ଚ୍ଚରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଅଟକ ରଖାଯିବା ପରେ ନେହା କହିଛନ୍ତି, “ଏହା ହେଉଛି ହିନ୍ଦୁସ୍ତାନକୁ ବଞ୍ଚାଇବାର ଲଢ଼େଇ। ମୋତେ ତିହାର ଜେଲ୍କୁ ପଠାଇ ଦିଅନ୍ତୁ।”
ଅଭିଜିତଙ୍କ ଘରେ ପହଞ୍ଚିଥିଲା ପୋଲିସ: ରିପୋର୍ଟ ଅନୁସାରେ, ଦିଲ୍ଲୀର ଝଣ୍ଡେୱାଲାନ୍ରେ ଥିବା ଅଭିଜିତଙ୍କ ବନ୍ଧୁଙ୍କ ଘରେ ପୋଲିସ ଟିମ୍ ପହଞ୍ଚିଥିଲା। ମାର୍ଚ୍ଚ ନକରିବା ପାଇଁ ନୋଟିସ୍ ଦେବାକୁ ପ୍ରାୟ ୧୫ରୁ ୨୦ ଜଣ ପୋଲିସ କର୍ମଚାରୀ ସେଠାକୁ ଯାଇଥିବା ଅଧିକାରୀମାନେ କହିଛନ୍ତି।
ସେଣ୍ଟ୍ରାଲ୍ ପାର୍କ ଆଖପାଖ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ ହୋଇଥିବାରୁ ମାର୍ଚ୍ଚ ନକରିବାକୁ ପୋଲିସ ପକ୍ଷରୁ କୁହାଯାଇଛି।
ସେଣ୍ଟ୍ରାଲ୍ ପାର୍କ ୨ ଦିନ ପାଇଁ ବନ୍ଦ: CJPର ପ୍ରସ୍ତାବିତ ତ୍ରିରଙ୍ଗା ମାର୍ଚ୍ଚକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC) ଅକ୍ଟୋବର ୧୬ ଓ ୧୭ ତାରିଖରେ ସେଣ୍ଟ୍ରାଲ୍ ପାର୍କକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏହାକୁ ନେଇ ସ୍ଥାନୀୟ ଦୋକାନୀ ଓ ବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହେବା ଆଶଙ୍କା ମଧ୍ୟ ଉଠିଛି।
ମାର୍ଚ୍ଚ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଯେପରି ବିଗିଡ଼ିବ ନାହିଁ, ସେଥିପାଇଁ କନ୍ନଟ୍ ପ୍ଲେସ୍, ରାଜୀବ ଚୌକ, ଜନ୍ତରମନ୍ତର, ପାଲିକା ବଜାର, ପଟେଲ୍ ଚୌକ ଓ ସଂସଦ ମାର୍ଗ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବଢ଼ାଯାଇଛି। ବ୍ୟାରିକେଡ୍ ଲଗାଯିବା ସହ CCTV କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି।
ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀ ଅଞ୍ଚଳରେ ୬ ହଜାରରୁ ଅଧିକ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF)ର ୨୨୦ କମ୍ପାନୀ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯିବାର ଯୋଜନା ମଧ୍ୟ ରହିଛି।
ସୁପ୍ରିମକୋର୍ଟରେ ପହଞ୍ଚିଲା ପାର୍କ ବନ୍ଦ ମାମଲା: ସେଣ୍ଟ୍ରାଲ୍ ପାର୍କକୁ ବନ୍ଦ ରଖିବା ପାଇଁ NDMCର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ଆବେଦନକାରୀ ପକ୍ଷ ମାମଲାର ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ।
ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ, ସମସ୍ତ ପକ୍ଷ ବିବେକର ସହ କାମ କରିବେ ବୋଲି ଆଶା କରାଯାଉଛି। ଏହି ପ୍ରସଙ୍ଗରେ ଗୋଟିଏ ପଟେ ପ୍ରତିବାଦ କରିବାର ଅଧିକାର ରହିଛି, ଅନ୍ୟପଟେ ଆଇନଶୃଙ୍ଖଳା ରକ୍ଷା ଓ ଛୋଟ ବ୍ୟବସାୟୀଙ୍କ ଜୀବିକାର ପ୍ରଶ୍ନ ମଧ୍ୟ ରହିଛି।
ଜଷ୍ଟିସ୍ ବାଗଚୀ କହିଥିଲେ, ପ୍ରତିବାଦ କରିବାକୁ ଚାହୁଁଥିବା ଲୋକ, ବ୍ୟବସାୟ କରିବାକୁ ଚାହୁଁଥିବା ଲୋକ ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଚାହୁଁଥିବା ପ୍ରଶାସନ- ସମସ୍ତଙ୍କ ସ୍ୱାର୍ଥ ପରସ୍ପର ସହ ଜଡ଼ିତ। ପାର୍କ ବନ୍ଦ ଯୋଗୁଁ ବ୍ୟବସାୟୀଙ୍କ କ୍ଷତି ହେଲେ, ଆବଶ୍ୟକ ପଡ଼ିଲେ ଅଦାଲତ ହସ୍ତକ୍ଷେପ କରିପାରିବେ ବୋଲି ମଧ୍ୟ ସଙ୍କେତ ଦେଇଥିଲେ। ଆବେଦନର ଶୁଣାଣି ଅକ୍ଟୋବର ୨୬ କିମ୍ବା ୨୭ ତାରିଖରେ ହୋଇପାରେ ବୋଲି କୁହାଯାଇଛି।
ଏବେ ସମସ୍ତଙ୍କ ନଜର CJPର ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ ଉପରେ। ଅଭିଜିତ ଦୀପକେଙ୍କୁ ଅଟକ ରଖାଯିବା ଓ ସେଣ୍ଟ୍ରାଲ୍ ପାର୍କ ବନ୍ଦ ରହିବା ମଧ୍ୟରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା ହୋଇଛି।


