ନେପାଳ ବନ୍ୟାରେ ୫ ହଜାର ଲୋକ ନିଖୋଜ; ତଥାପି ଫେରିବା ବାଟ ଚାହିଁଛନ୍ତି ପରିବାର

ଅଗଷ୍ଟ ୨୬ ତାରିଖରେ ନେପାଳରେ ହୋଇଥିଲା ପ୍ରଳୟଙ୍କରୀ ବନ୍ୟା। ଆଉ ସେହି ବନ୍ୟାରେ ପୂରା ଜୀବନ ଓଲଟି ଯାଇଥିଲା। ଆଖି ଆଗରେ ବାପ ହାତରୁ ପୁଅ ଭାସି ଯାଇଥିଲା

କାଠମାଣ୍ଡୁ: ଘର ଅଛି। କିନ୍ତୁ ଘରେ ଆଉ ସେହି ହସ ନାହିଁ। ଦୁଆର ଖୋଲିଲେ ଆପଣାର ଲୋକ ଫେରିଆସିବେ ବୋଲି ଅପେକ୍ଷା କରୁଛନ୍ତି ପରିବାର। ଫୋନ୍‌ଟି ବାଜିଲେ ମନରେ ଆଶା ଜାଗୁଛି, ହୁଏତ ହଜି ଯାଇଥିବା ପ୍ରିୟଜନଙ୍କ ଖବର ଆସିଥିବ। କିନ୍ତୁ ଦିନ ପରେ ଦିନ ବିତୁଛି, ଅପେକ୍ଷା ସରୁନାହିଁ। ଆଜି ପର୍ଯ୍ୟନ୍ତ ପ୍ରଳୟଙ୍କରୀ ବନ୍ୟାରେ ହଜି ଯାଇଥିବା ଲୋକଙ୍କ ଖୋଜ ଖବର ମିଳୁନି। ବନ୍ୟା ହେବାର ୧୨ ଦିନ ପରେ ମଧ୍ୟ ୫୦୦୦ ଲୋକଙ୍କ ପତ୍ତା ମିଳୁନି। ତଥାପି ପରିବାର ଲୋକେ ଅପେକ୍ଷାରେ ରହିଛନ୍ତି।

ଅଗଷ୍ଟ ୨୬ ତାରିଖରେ ନେପାଳରେ ହୋଇଥିଲା ପ୍ରଳୟଙ୍କରୀ ବନ୍ୟା। ଆଉ ସେହି ବନ୍ୟାରେ ପୂରା ଜୀବନ ଓଲଟି ଯାଇଥିଲା। ଆଖି ଆଗରେ ବାପ ହାତରୁ ପୁଅ ଭାସି ଯାଇଥିଲା। ପତ୍ନୀଙ୍କ ଆଖି ଆଗରେ ସ୍ୱାମୀ ନିଖୋଜ ହୋଇଯାଇଥିଲେ। ସେମାନେ ଏବେ କେଉଁଠି? କେବେ ଫେରିବେ? ସେ ସମ୍ପର୍କରେ କେହି କହିପାରିବେ ନାହିଁ। ତଥାପି ଫେରିବା ବାଟକୁ ଅନାଇ ରହିଛନ୍ତି ପରିବାର ଲୋକ।

ବନ୍ୟାରେ ନିଖୋଜ ଥିବା ବ୍ୟକ୍ତିଙ୍କୁ ନେପାଳ ଆଇନରେ କଣ ରହିଛି?: ନେପାଳ ଜାତୀୟ ସିଭିଲ କୋଡ୍‌ର ଧାରା ୪୦(୪) ଅନୁସାରେ, କୌଣସି ବ୍ୟକ୍ତି ବିପର୍ଯ୍ୟୟ କିମ୍ବା ଦୁର୍ଘଟଣାରେ ଲାପତ୍ତା ହୋଇଥିଲେ ଏବଂ ତାଙ୍କ ମୃତ୍ୟୁର ଆଶଙ୍କା ଗମ୍ଭୀର ଥିଲେ, ଅଦାଲତରେ ଆବେଦନ କରି ଆଇନଗତ ଭାବେ ମୃତ ଘୋଷଣା କରିବା ପାଇଁ ନ୍ୟାୟିକ ଘୋଷଣା ଚାହିଁହେବ। ଏଥିପାଇଁ ଆଇନରେ ନିର୍ଦ୍ଦିଷ୍ଟ ଭାବେ କୌଣସି ସର୍ବନିମ୍ନ ଦିନ କିମ୍ବା ମାସ ଅପେକ୍ଷା କରିବାର ସର୍ତ୍ତ ନାହିଁ। ଆବେଦନରେ ସମ୍ଭାବ୍ୟ ମୃତ୍ୟୁ ତାରିଖ, ସ୍ଥାନ, କାରଣ ଓ ଏହାର ଆଧାର ଦେବାକୁ ପଡ଼େ। କିନ୍ତୁ ଜୀବନ ସବୁବେଳେ ଆଇନର ହିସାବରେ ଚାଲେ ନାହିଁ। ଧରନ୍ତୁ, ଜଣେ ଲାପତ୍ତା ବ୍ୟକ୍ତିଙ୍କୁ ଅଦାଲତ ମୃତ ଘୋଷଣା କରିବା ପରେ ସେ ହଠାତ୍ ଜୀବିତ ଅବସ୍ଥାରେ ଫେରିଆସିଲେ?

ଏଭଳି ପରିସ୍ଥିତି ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା ରହିଛି। ସଂହିତାର ଧାରା ୪୧(ବି) ଅନୁସାରେ, ବ୍ୟକ୍ତି ଜୀବିତ ଥିବା ଜଣାପଡ଼ିବା ପରେ ନ୍ୟାୟିକ ମୃତ୍ୟୁ ଘୋଷଣାକୁ ରଦ୍ଦ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବେଦନ କରାଯାଇପାରିବ।

ରିପୋର୍ଟ ଅନୁସାରେ, ଏହି ବିପର୍ଯ୍ୟୟରେ ପ୍ରାୟ ୧,୩୪୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି। ନେପାଳ ପୁଲିସ ୨୨୨ ମହିଳା, ୩୫୫ ପୁରୁଷ ଏବଂ ୪୫୩ ଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ସଂରକ୍ଷିତ ରଖିଥିବା ସୂଚନା ମିଳିଛି।