ମିଳିଲା ନୂଆ ଆଣ୍ଟିଭେନମ୍ ଉପାୟ, ସାପ କାମୁଡ଼ିଲେ ବଞ୍ଚେଇ ଦେବ ଓଟ ରକ୍ତ

ସାପ କାମୁଡ଼ା ଚିକିତ୍ସାରେ ବଡ଼ ଆଶା: ଅଲ୍ପାକା-ଲାମାରୁ ମିଳିଲା ନୂଆ ଆଣ୍ଟିଭେନମ୍ ଉପାୟ

ଓଡ଼ିଶା ଭାସ୍କର ଡେସ୍କ: ସାପ କାମୁଡ଼ା ବା ସ୍ନେକବାଇଟ୍‌ ଭାରତ ପାଇଁ ଏକ ଗୁରୁତର ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା। ବିଶେଷକରି ବିଷାକ୍ତ ସାପ କାମୁଡ଼ିବା ଯୋଗୁଁ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଯାଉଛି। ଏଭଳି ସମୟରେ ଭାରତ ଓ ଡେନମାର୍କର ବୈଜ୍ଞାନିକମାନଙ୍କ ଏକ ନୂଆ ଗବେଷଣା ଆଣ୍ଟିଭେନମ୍‌ ଚିକିତ୍ସାର ଭବିଷ୍ୟତକୁ ନେଇ ଆଶା ସୃଷ୍ଟି କରିଛି।

ବର୍ତ୍ତମାନ ବ୍ୟବହୃତ ଆଣ୍ଟିଭେନମ୍‌ର କିଛି ସୀମାବଦ୍ଧତା ରହିଛି। ଏଥିରେ ବ୍ୟାଚ୍‌-ଟୁ-ବ୍ୟାଚ୍‌ ତଫାତ, ପାର୍ଶ୍ୱପ୍ରତିକ୍ରିୟା ଏବଂ କିଛି ସାପ ପ୍ରଜାତିର ବିଷ ବିରୋଧରେ ସୀମିତ ପ୍ରଭାବଶୀଳତା ଭଳି ସମସ୍ୟା ରହିପାରେ।

ଅଲ୍ପାକା ଓ ଲାମାରୁ ମିଳିଲା ବିଶେଷ ଆଣ୍ଟିବଡି: ଗବେଷଣାରେ ବୈଜ୍ଞାନିକମାନେ camelid ବା ଓଟ ପରିବାରର ପ୍ରାଣୀ ଯେଉଁଥିରେ ଅଲ୍ପାକା ଓ ଲାମା ମଧ୍ୟ ରହିଛନ୍ତି ତାଙ୍କ ଶରୀରର ପ୍ରତିରୋଧକ ପ୍ରଣାଳୀକୁ ଅଧ୍ୟୟନ କରିଥିଲେ। ଭାରତର ବିଭିନ୍ନ କୋବ୍ରା ପ୍ରଜାତିର ବିଷର ସମ୍ପର୍କରେ ଆସିବା ପରେ ଏହି ପ୍ରାଣୀମାନଙ୍କ ରକ୍ତରେ ଏପରି ଆଣ୍ଟିବଡି ଚିହ୍ନଟ ହୋଇଥିଲା, ଯାହା ବିଷରେ ଥିବା ନିର୍ଦ୍ଦିଷ୍ଟ ଟକ୍ସିନ୍‌କୁ ଚିହ୍ନଟ କରି ତାହାର ପ୍ରଭାବକୁ ନିଷ୍କ୍ରିୟ କରିପାରେ।

ବୈଜ୍ଞାନିକମାନେ ଏହି ଆଣ୍ଟିବଡିକୁ ଅଲଗା କରିଥିଲେ ଏବଂ ମାଇକ୍ରୋବିଆଲ୍‌ ସିଷ୍ଟମ୍‌ର ସାହାଯ୍ୟରେ ଲାବରେଟୋରୀରେ ବହୁ ପରିମାଣରେ ପ୍ରସ୍ତୁତ କରିବାର ସମ୍ଭାବନା ଥିବା ଜାଣିଥିଲେ।

କ’ଣ ଏହି ‘ନାନୋବଡି କକଟେଲ୍’: ଏହି ଗବେଷଣାର ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ନାନୋବଡି କକଟେଲ୍। ବୈଜ୍ଞାନିକମାନେ ପାଞ୍ଚଟି ଅତି ଛୋଟ ଆଣ୍ଟିବଡି ଫ୍ରାଗମେଣ୍ଟ ବା ନାନୋବଡିକୁ ମିଶାଇ ଏହି କକଟେଲ୍‌ ପ୍ରସ୍ତୁତ କରିଥିଲେ। ଏହି ନାନୋବଡିଗୁଡ଼ିକୁ ଏପରି ଭାବରେ ଚୟନ କରାଯାଇଥିଲା ଯେ ସେଗୁଡ଼ିକ ବିଭିନ୍ନ କୋବ୍ରା ପ୍ରଜାତିର ବିଷରେ ଥିବା ଗୁରୁତ୍ୱପୂର୍ଣ୍ଣ ଟକ୍ସିନ୍‌ ସହ ଯୋଡ଼ି ହୋଇପାରିବ।

ପ୍ରାରମ୍ଭିକ ପରୀକ୍ଷଣରେ ଏହି କକଟେଲ୍‌ ବିଷର କାର୍ଯ୍ୟକଳାପକୁ ନିଷ୍କ୍ରିୟ କରିବା ସହ ଟକ୍ସିନ୍‌କୁ ଶରୀରର ଲକ୍ଷ୍ୟସ୍ଥଳ ସହ ଯୋଡ଼ିବାରୁ ରୋକିବାର କ୍ଷମତା ଦେଖାଇଥିଲା।

ମୂଷାଙ୍କ ଉପରେ ମଧ୍ୟ ହେଲା ପରୀକ୍ଷଣ: ପରବର୍ତ୍ତୀ ପର୍ଯ୍ୟାୟରେ ଗବେଷକମାନେ ଏହି ନାନୋବଡି କକଟେଲ୍‌କୁ ମୂଷାଙ୍କ ଉପରେ ପରୀକ୍ଷା କରିଥିଲେ। ଗବେଷଣା ଅନୁଯାୟୀ, ଏହି କକଟେଲ୍‌ Spectacled Cobra, Monocled Cobra ଏବଂ ଭାରତରେ ମିଳୁଥିବା ଦୁଇ ପ୍ରଜାତିର King Cobra ବିଷ ବିରୋଧରେ ମୂଷାଙ୍କୁ ସୁରକ୍ଷା ଦେବାର କ୍ଷମତା ଦେଖାଇଥିଲା।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛି ପରୀକ୍ଷଣରେ ବିଷ ଦେବାର ପ୍ରାୟ ୩୦ ମିନିଟ୍‌ ପରେ ନାନୋବଡି କକଟେଲ୍‌ ଦିଆଯାଇଥିଲେ ମଧ୍ୟ ମୂଷାମାନେ ବଞ୍ଚିଥିଲେ। କିଛି ମୂଷାଙ୍କଠାରେ ପକ୍ଷାଘାତ ବା ନ୍ୟୁରୋଟକ୍ସିକ୍‌ ପ୍ରଭାବର ଲକ୍ଷଣ ଦେଖାଯାଇଥିଲା, କିନ୍ତୁ ଚିକିତ୍ସା ପରେ ସେମାନେ ପୁଣି ସାଧାରଣ ଅବସ୍ଥାକୁ ଫେରିଥିବା ଗବେଷକମାନେ କହିଛନ୍ତି।

ବର୍ତ୍ତମାନର ଆଣ୍ଟିଭେନମ୍‌ରେ କ’ଣ ସମସ୍ୟା: ପାରମ୍ପରିକ ଆଣ୍ଟିଭେନମ୍‌ ପ୍ରସ୍ତୁତ କରିବା ପାଇଁ ସାଧାରଣତଃ ଘୋଡ଼ା ଭଳି ପ୍ରାଣୀଙ୍କୁ ଅଳ୍ପ ଅଳ୍ପ ପରିମାଣରେ ସାପ ବିଷର ସମ୍ପର୍କରେ ଆଣି ସେମାନଙ୍କ ଶରୀରରେ ଆଣ୍ଟିବଡି ତିଆରି କରାଯାଏ। ପରେ ସେହି ଆଣ୍ଟିବଡିକୁ ସଂଗ୍ରହ କରି ଆଣ୍ଟିଭେନମ୍‌ ପ୍ରସ୍ତୁତ କରାଯାଏ।

ଏହି ପାରମ୍ପରିକ ପ୍ରକ୍ରିୟାରେ ବହୁ ପରିମାଣର ଆଣ୍ଟିବଡି ଆବଶ୍ୟକ ହୋଇପାରେ। ଏହା ସହ ବିଭିନ୍ନ ବ୍ୟାଚ୍‌ ମଧ୍ୟରେ ଗୁଣବତ୍ତା ଓ ପ୍ରଭାବରେ ତଫାତ ଆସିପାରେ। କେତେକ କ୍ଷେତ୍ରରେ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଚିନ୍ତାର ବିଷୟ ହୋଇଥାଏ। ନୂଆ ପଦ୍ଧତିରେ ଏହାର ବିକଳ୍ପ ଭାବେ ନିର୍ଦ୍ଦିଷ୍ଟ ବିଷାକ୍ତ ଟକ୍ସିନ୍‌କୁ ଲକ୍ଷ୍ୟ କରୁଥିବା ଛୋଟ ନାନୋବଡି ବ୍ୟବହାର କରିବାର ଚେଷ୍ଟା କରାଯାଇଛି।