fbpx

ବରଗଡରେ କିଏ ପିନ୍ଧିବେ କଂସର ମୁକୁଟ? ଧନୁଯାତ୍ରା ପାଇଁ ଚୟନ ହେବେ ନୂଆ କଳାକାର

ବରଗଡ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ ୭୫ ବର୍ଷ ପୂରଣ ହେବ । ତେଣୁ ଏହି ଯାତ୍ରା ପାଇଁ ଚଳିତବର୍ଷ ନୂଆ କଳାକାର ବାଚିବାକୁ ନିଷ୍ପତ୍ତି ନେଇଛି ସଂଘ । ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚର ନାଟକ ପାଳନ କରିବ ହୀରକ ଜୟନ୍ତୀ । ତେଣୁ ଏଥର ଯାତ୍ରାକୁୁ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ଲକ୍ଷ୍ୟ ରଖିଛି ଧନୁଯାତ୍ରା ମହୋତ୍ସବ ସମିତି। ତେବେ ଆସନ୍ତା ଡିସେମ୍ବର ୨୩ ତାରିଖ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ହେବ ବରଗଡ଼ର ଏହି ପ୍ରସିଦ୍ଧ ଧନୁଯାତ୍ରା ।

ଏବର୍ଷର ଧନୁଯାତ୍ରା ପାଇଁ କଂସ ସମେତ ଅନ୍ୟାନ୍ୟ ଚରିତ୍ର ପାଇଁ ମଧ୍ୟ ନୂଆ କଳାକାର ଚୟନ ହେବେ ।ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ଜାରି ରହିବ । ତେବେ ଆବେଦନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଲାଗିଛି ଗହଳି । ଯାତ୍ରା ମହାରାଜ କଂସଙ୍କ ସମେତ ଦେବକୀ, ବସୁଦେବ, ଉଗ୍ରସେନ, ମହାମନ୍ତ୍ରୀ, ସେନାପତି ଇତ୍ୟାଦି ଭୂମିକାରେ ନୂଆ କଳାକାରଙ୍କୁ ଚୟନ କରାଯିବ । ତେବେ ଅନଲାଇନରେ ମଧ୍ୟ ଏହି ଚରିତ୍ରଗୁଡିକ ପାଇଁ ଆବେଦନ କରିପାରିବେ କଳାକାର । ଖୋଲା ମଞ୍ଚରେ ବିନା ପାଣ୍ଡୁଲିପିରେ ଅଭିନୟ ଦକ୍ଷତା ହିଁ ଏକମାତ୍ର ଯୋଗ୍ୟତା ରହିଛି ।

ତେବେ ଏଥିରେ ଅଭିନୟ କରିବାକୁ ହେଲେ ଏକ ସର୍ତ୍ତ ମଧ୍ୟ ରହିଛି । ଧନୁଯାତ୍ରାରେ ଅଭିନୟ କରୁଥିବା କୌଣସି କଳାକାର ଅନ୍ୟ କୌଣସି ସ୍ଥାନରେ ସମାନ ଭୂମିକାରେ ଅଭିନୟ କରିପାରିବେ ନାହିଁ । ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି ମହାରାଜ କଂସ। ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ, ତାଙ୍କୁ କେନ୍ଦ୍ର କରି ଧନୁଯାତ୍ରା। ତେଣୁ ଏହି ଚରିତ୍ରର ଡିମାଣ୍ଡ ଅଧିକ ନାମୀ ଦାମୀ କଳାକାରଙ୍କ ଇଚ୍ଛା, କଂସ ଭୂମିକାଟି ମିଳନ୍ତା କି। କାରଣ କଳା ପ୍ରଦର୍ଶନ ସହିତ ଆଧ୍ୟାତ୍ମିକ ଦିଗ ବି ରହିଛି। ହେଉ ପଛେ ଅଭିନୟ, ଶ୍ରୀକୃଷ୍ଣଙ୍କ ମାମୁଁ ହେବା ବଡ଼ ସୌଭାଗ୍ୟର କଥା। ତେଣୁ ଏଇ ଭୂମିକାରେ ଅଭିନୟ ପାଇଁ ଏଥର ୪୦ରୁ ଅଧିକ ଆଶାୟୀ।

Get real time updates directly on you device, subscribe now.