୧ ଏପ୍ରିଲରୁ ବଦଳିବ ନିୟମ, କ୍ରେଡିଟ୍ କାର୍ଡଧାରୀଙ୍କର ବଢ଼ିଲା ଚିନ୍ତା, ସ୍ଵାଇପ୍ କଲେ ମିଳିବ ଲିଗାଲ୍ ନୋଟିସ୍

୧ ଏପ୍ରିଲରୁ ବଦଳିବ ନିୟମ, କ୍ରେଡିଟ୍ କାର୍ଡଧାରୀଙ୍କର ବଢ଼ିଲା ଚିନ୍ତା

Credit Card Rules: ଦେଶରେ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଥିବା ବେଳେ, କ୍ରେଡିଟ୍ କାର୍ଡ ଏବେ କେବଳ ମେଟ୍ରୋ ସହରରେ ସୀମିତ ରହିନାହିଁ । ଟିୟର-୨ ଓ ଟିୟର-୩ ସହରରେ ମଧ୍ୟ ଲୋକମାନେ ଦୈନନ୍ଦିନ ଖର୍ଚ୍ଚ, ଅନଲାଇନ୍ ଶପିଂ ଓ ବିଲ୍ ପେମେଣ୍ଟ ପାଇଁ ଏହାର ବ୍ୟବହାର କରୁଛନ୍ତି । ଏହି ପରିପ୍ରେକ୍ଷିରେ ୧ ଏପ୍ରିଲ ୨୦୨୬ରୁ କ୍ରେଡିଟ୍ କାର୍ଡ ସମ୍ପର୍କିତ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହା ସିଧାସଳଖ ଭାବରେ ଟ୍ୟାକ୍ସପେୟର ଓ କାର୍ଡ ୟୁଜର୍ସଙ୍କୁ ପ୍ରଭାବିତ କରିବ ।

ଇନକମ୍ ଟ୍ୟାକ୍ସ ବିଭାଗ ଜାରି କରିଥିବା ଡ୍ରାଫ୍ଟ ନିୟମରେ ବଡ଼ ଟ୍ରାଞ୍ଜାକ୍ସନ୍ ଉପରେ ବିଶେଷ ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି । ଯଦି କେହି ଏକ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାରୁ ଅଧିକ କ୍ରେଡିଟ୍ କାର୍ଡ ବିଲ୍ ଡିଜିଟାଲ୍ ମାଧ୍ୟମରେ ଦେଇଥାନ୍ତି, ତେବେ ସେଥିର ତଥ୍ୟ ଆୟକର ବିଭାଗକୁ ଦିଆଯିବ । ଏହା ସହିତ, ୧ ଲକ୍ଷ ଟଙ୍କା କିମ୍ବା ତା’ଠୁ ଅଧିକ ନକଦ ଦେୟ ହେଲେ ମଧ୍ୟ ରିପୋର୍ଟିଂ ଅନିବାର୍ୟ ହେବ ।

ନୂଆ ନିୟମ ଅନୁଯାୟୀ, ପ୍ୟାନ୍ କାର୍ଡ ପାଇଁ ଆବେଦନ କଲେ କ୍ରେଡିଟ୍ କାର୍ଡ ଷ୍ଟେଟମେଣ୍ଟକୁ ଏବେ ଏଡ୍ରେସ୍ ପ୍ରୁଫ୍ ଭାବେ ମାନ୍ୟ କରାଯିବ, କିନ୍ତୁ ଏହା ତିନି ମାସରୁ ଅଧିକ ପୁରୁଣା ହେବା ଉଚିତ୍ ନୁହେଁ । ଏହା ଦ୍ୱାରା ଡକ୍ୟୁମେଣ୍ଟର ସଠିକତା ଓ ନୂତନତା ନିଶ୍ଚିତ କରାଯିବ ।

ଏହା ସହିତ, ଟ୍ୟାକ୍ସ ଦେବା ପାଇଁ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଓ ନେଟ୍ ବ୍ୟାଙ୍କିଂକୁ ଅଧିକୃତ ଡିଜିଟାଲ୍ ମାଧ୍ୟମ ଭାବେ ସ୍ୱୀକୃତି ମିଳିଛି । ଏହା ଟ୍ୟାକ୍ସ ଦେୟ ପ୍ରକ୍ରିୟାକୁ ଆହୁରି ସହଜ ଓ ସୁବିଧାଜନକ କରିଦେବ ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା କ୍ରେଡିଟ୍ କାର୍ଡ ଉପରେ ମଧ୍ୟ ନୂଆ ନିୟମ ଲାଗୁ ହେବ । ଯଦି କମ୍ପାନୀ କାର୍ଡର ଖର୍ଚ୍ଚ ଦେଉଛି, ତେବେ ଏହାକୁ କର୍ମଚାରୀଙ୍କ ଆୟର ଅଂଶ ଭାବେ ଗଣାଯିବ ଓ ଟ୍ୟାକ୍ସ ଲାଗିପାରେ । କିନ୍ତୁ ଯଦି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ଅଫିସିଆଲ୍ କାମ ପାଇଁ ହୁଏ, ତେବେ ଏଥିରେ ଟ୍ୟାକ୍ସ ଲାଗିବ ନାହିଁ ।

ସବୁଠାରୁ ବଡ଼ ପରିବର୍ତ୍ତନ ହେଲା, ଏବେ କ୍ରେଡିଟ୍ କାର୍ଡ ଜାରି କରିବା ପୂର୍ବରୁ ପ୍ୟାନ୍ ଦେବା ଅନିବାର୍ୟ ହେବ । ଏହା ଦ୍ୱାରା ବଡ଼ ଆର୍ଥିକ ଲେଣଦେଣ ଉପରେ ନଜର ଆଉ ମଜବୁତ ହେବ ।