fbpx

ନୂଆ ଗାଇଡଲାଇନ: ଏବେ ବିନା ଲକ୍ଷଣ ରୋଗୀଙ୍କୁ ଔଷଧ ଖାଇବା ଦରକାର ନାହିଁ, ପୁଷ୍ଟିକର ଖାଦ୍ୟ ଖାଇ ସୁସ୍ଥ ହୋଇ ପାରିବେ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଚିକିତ୍ସାର ଗାଇଡଲାଇନରେ ପରିବର୍ତନ କରିଛନ୍ତି । ଏହା ଅନୁଯାୟୀ, ଯେଉଁ ରୋଗୀଙ୍କଠାରେ କରୋନା ଲକ୍ଷଣ ନାହିଁ କିମ୍ବା ହାଲୁକା ଲକ୍ଷଣ ରହିଛି, ସେମାନଙ୍କୁ କୌଣସି ପ୍ରକାରର ଔଷଧ ଖାଇବାର ଆବଶ୍ୟକତା ନାହିଁ । କିନ୍ତୁ ଅନ୍ୟ ରୋଗ ପାଇଁ ସେବନ କରୁଥିବା ଔଷଧ ଜାରି ରଖିବେ । ଏମିତି ରୋଗୀଙ୍କୁ ଟେଲି କନସଲଟେସନ ଜରିଆରେ ଡାକ୍ତରଙ୍କ ପରାପର୍ଶ ନେଇ ଉପଚାର ନେବା ଉଚିତ୍ । ପୁଷ୍ଟିକର ଖାଦ୍ୟ ଖାଇବା ସହ ମାସ୍କ, ସାମାଜିକ ଦୂରତ୍ୱ ପରି ଜରୁରୀ ନିୟମ ପାଳନ କରିବା ଉଚିତ୍ ।

ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସେସ(ଡିଜିଏଚଏସ)ର ନୂତନ ଗାଇଡଲାଇନ ଆଧାରରେ ବିନା ଲକ୍ଷଣ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ସମସ୍ତ ଔଷଧକୁ ତାଲିକାରୁ ହଟାଇ ଦେଇଛି । ଏଥିରେ ଜ୍ୱର ଓ ଥଣ୍ଡା-କାଶ ପରି ଔଷଧ ମଧ୍ୟ ସାମିଲ । ଗାଇଡଲାଇନରେ କୁହାଯାଇଛି, ଏମିତି ସଂକ୍ରମିତଙ୍କୁ ଅନ୍ୟ ଟେଷ୍ଟର ଆବଶ୍ୟକତା ନାହିଁ । ପୁଷ୍ଟିକର ଖାଦ୍ୟ ଏବଂ ବ୍ୟାୟାମ କରି ନିଜକୁ ସୁସ୍ଥ ରଖିପାରିବେ । ଏହା ପୂର୍ବ ମେ ୨୭ରେ ଗାଇଡଲାଇନ ଜାରି କରାଯାଇଥିଲା । ଏଥିରେ ହାଲୁକା ଲକ୍ଷଣ ଥିବା ରୋଗୀଙ୍କୁ ହାଇଡ୍ରୋକ୍ଲୋରୋକୁଇନ, ଆଇଭରମେକଟିନ, ଡକ୍ସିସାଇକ୍ଲିନ, ଜିଙ୍କ ଓ ମଲଟିଭିଟାମିନ ଖାଇବାକୁ ମନା କରାଯାଇଥିଲା । ଏହା ବ୍ୟତୀତ ବିନା ଲକ୍ଷଣ ରୋଗୀଙ୍କୁ ସିଟି ସ୍କାନ ପରି ଅନାବଶ୍ୟକ ଟେଷ୍ଟ ଲେଖିବାକୁ ମନା କରାଯାଇଥିଲା ।

ସୂଚନାଯୋଗ୍ୟ, ଦେଶରେ ରବିବାର ଏକ ଲକ୍ଷ ୧ ହଜାର ୧୫୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ୬୨ ଦିନ ପରେ ସବୁଠୁ କମ କେସ । ଏହା ପୂର୍ବରୁ ଏପ୍ରିଲ ୫ରେ ୯୬,୫୬୩ ଲୋକଙ୍କ କରେନା ରିପୋର୍ଟ ପଜିଟିଭ୍ ଆସିଥିଲା । ଗତ ୨୪ ଘଂଟାରେ ସଂକ୍ରମଣ କାରଣରୁ ୨୪୪୪ ଲୋକଙ୍କ ମୃତ୍ୟୁ ଘଟିଛି । ଦେଶରେ ପ୍ରାୟ ୪୫ ଦିନ ପରେ ପ୍ରତିଦିନ ମରୁଥିବା ଲୋକଙ୍କ ସଂଖ୍ୟା ଆଜି ୨୫୦୦ ତଳକୁ ଖସିଛି । ଆଶ୍ୱସ୍ତିକର କଥା ଗତ ୨୪ ଘଂଟାରେ ୧ ଲକ୍ଷ ୭୩ ହଜାର ୮୩୧ ଜଣ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.