ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର: ଏପ୍ରିଲ୍ ୨୯ରୁ ଆସୁଛି ନୂଆ ନିୟମ, କ’ଣ ସବୁ ବଦଳିବ ଜାଣନ୍ତୁ?
ଏପ୍ରିଲ୍ ୨୯ରୁ BS-VII ନିୟମ ଲାଗୁ ହେବାକୁ ଯାଉଛି, ଇଞ୍ଜିନ୍ ଟେକ୍ନୋଲୋଜିଠାରୁ ପେଟ୍ରୋଲ୍-ଡିଜେଲ୍ ପର୍ଯ୍ୟନ୍ତ ଆସିପାରେ ବଡ଼ ପରିବର୍ତ୍ତନ!
ନୂଆଦିଲ୍ଲୀ: ସାରା ଦେଶରେ ନୂତନ BS-VII ବା ଭାରତ ଷ୍ଟେଜ୍-VII ନିର୍ଗମନ ମାନକ ସମ୍ପର୍କିତ ଆଲୋଚନା ଜୋର୍ ଧରିଛି। ଆସନ୍ତା ଏପ୍ରିଲ୍ ୨୯ ତାରିଖରୁ ଲାଗୁହେବାକୁ ଥିବା ଏହି ନୂତନ ନିୟମାବଳୀ ଶେଷରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯାନବାହାନରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ୍ ଏବଂ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ନୂତନ ନିୟମଗୁଡ଼ିକ କାର୍ଯ୍ୟକାରୀ ହେବା ପରେ କାର୍, ସୁପରବାଇକ୍ ଏବଂ ବ୍ୟବସାୟିକ ଯାନଗୁଡ଼ିକର ଇଞ୍ଜିନ୍ ପ୍ରଯୁକ୍ତିବିଦ୍ୟାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ।
ନିର୍ଗମନ ମାନକ କ’ଣ?
ନିର୍ଗମନ ମାନକ କହିଲେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସେହି ନିୟମାବଳୀକୁ ବୁଝାଏ, ଯାହା ଯାନବାହାନରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ୍, ଯେପରିକି ନାଇଟ୍ରୋଜେନ୍ ଅକ୍ସାଇଡ୍, କାର୍ବନ୍ ଡାଇଅକ୍ସାଇଡ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ କଣିକା ଉପରେ ନିୟନ୍ତ୍ରଣ ରଖିଥାଏ।
ବର୍ତ୍ତମାନ ଭାରତରେ BS-VI ମାନକ ଲାଗୁ ରହିଛି। ତଥାପି, ବୃଦ୍ଧି ପାଉଥିବା ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି BS-VII ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଥରେ BS-VII କାର୍ଯ୍ୟକାରୀ ହେଲେ, ଯାନବାହାନ ଜନିତ ପ୍ରଦୂଷଣର ମାତ୍ରା ଯଥେଷ୍ଟ ହ୍ରାସ ପାଇବ।
ଇଞ୍ଜିନ୍ରେ ପ୍ରମୁଖ ପରିବର୍ତ୍ତନ: BS-VII ମାନକ ଗ୍ରହଣ କରିବା ପାଇଁ, ଅଟୋମୋବାଇଲ୍ କମ୍ପାନୀଗୁଡ଼ିକୁ ସେମାନଙ୍କ ଇଞ୍ଜିନ୍ ଡିଜାଇନ୍ରେ ବ୍ୟାପକ ପରିବର୍ତ୍ତନ କରିବାକୁ ପଡ଼ିବ ଯେମିତିକି, ଅତ୍ୟାଧୁନିକ କାଟାଲାଇଟିକ୍ କନଭର୍ଟର, ଏହା ବିଷାକ୍ତ ଗ୍ୟାସ୍କୁ ପ୍ରଭାବଶାଳୀ ଭାବରେ ଛାଣିବା ପାଇଁ ଗାଡ଼ିର ନିର୍ଗମନ ବ୍ୟବସ୍ଥାକୁ ଯଥେଷ୍ଟ ଉନ୍ନତ କରାଯିବ। ସେମିତି ଇନ୍ଧନ ଦକ୍ଷତା, ଯାହା ପେଟ୍ରୋଲ୍ ଏବଂ ଡିଜେଲ୍ ଉଭୟ ଇଞ୍ଜିନ୍କୁ ଏପରି ଭାବରେ ଡିଜାଇନ୍ କରାଯିବ ଯାହା କମ୍ ଇନ୍ଧନ ବ୍ୟବହାର କରି ଉନ୍ନତ କାର୍ଯ୍ୟକ୍ଷମତା ପ୍ରଦାନ କରିବ।
ଗାଡ଼ିର ମୂଲ୍ୟ ଉପରେ କିପରି ପ୍ରଭାବ ପଡ଼ିବ?
ଗାଡ଼ିର ଇଞ୍ଜିନ୍ ଏବଂ ପ୍ରଯୁକ୍ତିବିଦ୍ୟାର ଉନ୍ନତିକରଣ ପାଇଁ ଅଟୋମୋବାଇଲ୍ କମ୍ପାନୀଗୁଡ଼ିକୁ ବହୁଳ ପରିମାଣର ଅର୍ଥ ନିବେଶ କରିବାକୁ ପଡ଼ିବ। ବିଶେଷଜ୍ଞଙ୍କ ମତ ଅନୁଯାୟୀ BS-VII ନିୟମାବଳୀ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବା ପରେ ନୂତନ କାର୍, ବାଇକ୍ ଏବଂ ବ୍ୟବସାୟିକ ଗାଡ଼ିର ମୂଲ୍ୟ ବୃଦ୍ଧି ପାଇପାରେ। ତଥାପି, ଅଧିକ ମୂଲ୍ୟ ଦେଇ ଗ୍ରାହକମାନେ ଅତ୍ୟାଧୁନିକ ଏବଂ ପ୍ରଦୂଷଣମୁକ୍ତ ଗାଡ଼ି କିଣିବାକୁ ସକ୍ଷମ ହେବେ।
ଇନ୍ଧନ ଗୁଣବତ୍ତା ମଧ୍ୟ ଉନ୍ନତ ହେବ: କେବଳ ଯାନବାହାନ ଇଞ୍ଜିନ ପରିବର୍ତ୍ତନ କରିବା ଦ୍ୱାରା ପ୍ରଦୂଷଣ ସମ୍ପୂର୍ଣ୍ଣ ହ୍ରାସ ପାଇବ ନାହିଁ, ଇନ୍ଧନ ଗୁଣବତ୍ତା ଉନ୍ନତ କରିବା ମଧ୍ୟ ଜରୁରୀ। ଯେମିତିକି ତୈଳ କମ୍ପାନୀଗୁଡ଼ିକୁ ଅତି-ବିଶୁଦ୍ଧ ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦନ କରିବାକୁ ପଡିବ। ଏହି ଇନ୍ଧନରେ ସଲଫର ପରିମାଣ ନଗଣ୍ୟ ହେବ ଓ ଉଚ୍ଚମାନର ଇନ୍ଧନ ବ୍ୟବହାର କରିବା ଦ୍ୱାରା ଇଞ୍ଜିନର ଜୀବନକାଳ ବୃଦ୍ଧି ପାଇବ ଏବଂ ନିଷ୍କାସନ ନିର୍ଗମନକୁ ଯଥେଷ୍ଟ ହ୍ରାସ କରାଯିବ।


