ଆଫଗାନିସ୍ତାନରେ ତାଲିବାନର ନୂଆ ନିୟମ, ନାରୀଙ୍କ ଉପରେ ବଢିବ ଆହୁରୀ ଅତ୍ୟାଚାର

ଆଫଗାନିସ୍ତାନର ତାଲିବାନ ସରକାର ଏକ ନୂଆ ପାରିବାରିକ ଆଇନ ନିୟମାବଳୀ ଲାଗୁ କରିଛନ୍ତି। ଏଥିରେ ସେମାନଙ୍କର ଇସଲାମିକ ନିୟମର ବ୍ୟାଖ୍ୟା ଅନୁଯାୟୀ ବିବାହ, ଛାଡ଼ପତ୍ର ଏବଂ ବାଲ୍ୟବିବାହ ସମ୍ପର୍କିତ ବିଭିନ୍ନ ନିୟମାବଳୀ ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ୱର: ଆଫଗାନିସ୍ତାନର ତାଲିବାନ ସରକାର ନିଜର ଇସଲାମିକ ଆଇନର ବ୍ୟାଖ୍ୟା ଅନୁଯାୟୀ ବିବାହ, ଛାଡ଼ପତ୍ର ଏବଂ ବାଲ୍ୟ ବିବାହକୁ ନେଇ ଏକ ନୂଆ ପାରିବାରିକ ଆଇନ ପ୍ରଣୟନ କରିଛନ୍ତି। “Principles of Separation Between Spouses” (ପତି-ପତ୍ନୀଙ୍କ ମଧ୍ୟରେ ବିଚ୍ଛେଦର ନିୟମ) ଶୀର୍ଷକ ଏହି ୩୧-ଧାରା ବିଶିଷ୍ଟ ନିୟମାବଳୀକୁ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁନ୍ଦଜାଦା ଅନୁମୋଦନ କରିଛନ୍ତି। ଆମୁ ଟିଭି (Amu TV) ର ସୂଚନା ଅନୁଯାୟୀ, ଆଫଗାନିସ୍ତାନର ସରକାରୀ ଗେଜେଟ୍‌ରେ ପ୍ରକାଶିତ ଏହି ଦଲିଲରେ ବିବାହ ବିବାଦ, ଅଲଗା ହେବା, ଅଭିଭାବକତ୍ୱ ଏବଂ ବିବାହ ରଦ୍ଦ କରିବା ଭଳି ପ୍ରକ୍ରିୟା ଗୁଡ଼ିକୁ ସ୍ପଷ୍ଟ କରାଯାଇଛି। ଏହି ନିୟମର ସବୁଠାରୁ ବିବାଦୀୟ ଧାରା ହେଉଛି, ଏଥିରେ ଜଣେ “କୁମାରୀ ଝିଅ” (virgin girl) ର ନୀରବତାକୁ ବିବାହ ପାଇଁ ତାର ସହମତି ବୋଲି ଧରିନିଆଯିବ। କିନ୍ତୁ ଜଣେ ପୁଅ କିମ୍ବା ବିବାହିତା ମହିଳାଙ୍କ ନୀରବତାକୁ ସହମତି ବୋଲି ଗ୍ରହଣ କରାଯାଇପାରିବ ନାହିଁ।

ଏହି ନୂଆ ନିୟମରେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ନାବାଳକ ଓ ନାବାଳିକାଙ୍କ ମଧ୍ୟରେ ବିବାହକୁ ଅନୁମତି ଦିଆଯାଇଛି ଏବଂ ଏଭଳି ବିବାହର ନିଷ୍ପତ୍ତି ନେବା ପାଇଁ ବାପା ଓ ଜେଜେବାପାଙ୍କୁ ପୂର୍ଣ୍ଣ ଅଧିକାର ଦିଆଯାଇଛି। ଆଇନ ଅନୁସାରେ, ସମ୍ପର୍କୀୟଙ୍କ ଦ୍ୱାରା ସ୍ଥିର କରାଯାଇଥିବା ନାବାଳକ ବା ନାବାଳିକାର ବିବାହକୁ ସେତେବେଳେ ବୈଧ ବୋଲି ଧରାଯିବ, ଯେତେବେଳେ ବର ସାମାଜିକ ସ୍ତରରେ ଯୋଗ୍ୟ ହୋଇଥିବେ ଏବଂ ଯୌତୁକ (ଧାର୍ମିକ ମାନଦଣ୍ଡ ଅନୁଯାୟୀ କନ୍ୟାପ୍ରଣ) ଧାର୍ମିକ ନିୟମ ମୁତାବକ ହୋଇଥିବ। ଏହି ନିୟମରେ ‘ଖିୟାର ଅଲ-ବୁଲୁଗ’ (କିଶୋରାବସ୍ଥା ପରେ ବିକଳ୍ପ) ନାମକ ଏକ ଆଇନଗତ ବ୍ୟବସ୍ଥା ସାମିଲ କରାଯାଇଛି। ଏହାଦ୍ୱାରା ପିଲାଦିନରୁ ହୋଇଥିବା ବିବାହକୁ କିଶୋରାବସ୍ଥାରେ ପହଞ୍ଚିବା ପରେ ପିଲାର ଅନୁରୋଧ କ୍ରମେ ରଦ୍ଦ କରାଯାଇପାରିବ। କିନ୍ତୁ ଏହି ବିବାହ ରଦ୍ଦ ପ୍ରକ୍ରିୟା ପାଇଁ ଧାର୍ମିକ ଅଦାଲତ (କୋର୍ଟ) ର ଅନୁମତି ଆବଶ୍ୟକ ହେବ। ଏହାସହିତ ଯଦି ପାତ୍ର ଅଯୋଗ୍ୟ ହୋଇଥାଏ କିମ୍ବା ଯୌତୁକର ପରିମାଣ ଅତ୍ୟଧିକ ଅସନ୍ତୁଳିତ ହୋଇଥାଏ, ତେବେ ସେହି ବିବାହ ଆଇନଗତ ଭାବେ ବୈଧ ହେବନାହିଁ।

ଏହି ନୂତନ ନିୟମାବଳୀ ତାଲିବାନୀ ବିଚାରପତି (ଜଜ୍‌) ମାନଙ୍କୁ ବ୍ୟଭିଚାର (ପରପୁରୁଷ ବା ପରସ୍ତ୍ରୀ ସମ୍ପର୍କ), ଧର୍ମ ପରିବର୍ତ୍ତନ, ସ୍ୱାମୀର ଦୀର୍ଘ ଦିନର ଅନୁପସ୍ଥିତି ଏବଂ ‘ଜିହାର’ (Zihar) ଭଳି ବିବାଦରେ ସିଧାସଳଖ ହସ୍ତକ୍ଷେପ କରିବାକୁ କ୍ଷମତା ଦେଇଛି। ସୂଚନାଯୋଗ୍ୟ ଯେ, ‘ଜିହାର’ ହେଉଛି ଏକ ପାରମ୍ପରିକ ଇସଲାମିକ ଧାରଣା, ଯେଉଁଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଏଭଳି ଜଣେ ମହିଳା ସମ୍ପର୍କୀୟଙ୍କ ସହ ତୁଳନା କରିଥାଏ ଯାହାକୁ ବିବାହ କରିବା ନିଷେଧ। ଏହିସବୁ ମାମଲାରେ ବିଚାରପତିମାନେ ପତି-ପତ୍ନୀଙ୍କୁ ଅଲଗା ହେବାକୁ ନିର୍ଦ୍ଦେଶ ଦେଇପାରିବେ, କିମ୍ବା ଦୋଷୀକୁ ଜେଲ୍ ଦଣ୍ଡ ଓ ଅନ୍ୟାନ୍ୟ କଠୋର ଶାସ୍ତି ମଧ୍ୟ ଦେଇପାରିବେ।

୨୦୨୧ ଅଗଷ୍ଟରେ ଆଫଗାନିସ୍ତାନର କ୍ଷମତାକୁ ଫେରିବା ପରେ, ତାଲିବାନ ସରକାର ମହିଳା ଏବଂ ନାବାଳିକାମାନଙ୍କ ଉପରେ ଅନେକ କଟକଣା ଜାରି କରିଛନ୍ତି, ଯାହାକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ତୀବ୍ର ସମାଲୋଚନା ଚାଲିଛି। ଏହି ସମୟ ମଧ୍ୟରେ ଆଫଗାନିସ୍ତାନରେ ଷଷ୍ଠ ଶ୍ରେଣୀରୁ ଅଧିକ ପଢ଼ୁଥିବା ଝିଅମାନଙ୍କ ସ୍କୁଲ ଯିବା ଉପରେ ରୋକ୍ ଲଗାଯାଇଛି। ଏହାସହିତ ମହିଳାମାନଙ୍କୁ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ନିଷେଧ କରାଯାଇଛି ଏବଂ ସେମାନଙ୍କ ଚାକିରି, ଭ୍ରମଣ ତଥା ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବା ଉପରେ କଠୋର କଟକଣା ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ଏହି ନୂଆ ଆଇନ ମହିଳାମାନଙ୍କ ଅସହାୟତାକୁ ଆହୁରି ବଢ଼ାଇ ଦେଇଛି।