ବ୍ଲାକମେଲିଂ, ୪୦-୫୦ ଲକ୍ଷ ଋଣ ଓ ନିଶା ସେବନ, ଗୋଟିଏ ଝିଅ କଥାରେ ପୁରା ପରିବାରକୁ ମାରିଦେଲା, ଆଉ ଶେଷରେ…
ଭୋପାଳ ହତ୍ୟାକାଣ୍ଡ ଓ ଆତ୍ମହତ୍ୟା ମାମଲାରେ ନୂତନ ମୋଡ଼:
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ସାମ୍ନାକୁ ଆସିଥିବା ହୃଦୟବିଦାରକ ୪ଟି ହତ୍ୟା ଏବଂ ଆତ୍ମହତ୍ୟା ମାମଲାରେ ଏକ ବଡ଼ ତଥା ନୂତନ ମୋଡ଼ ଆସିଛି। କ୍ୟାଟରିଂ ବ୍ୟବସାୟୀ ନରେନ୍ଦ୍ରଙ୍କ ଭଉଣୀ ଏବଂ ସାନ ଭାଇଙ୍କ ଅନୁଯାୟୀ, ସିହୋରର ଜଣେ ମହିଳା ନରେନ୍ଦ୍ରଙ୍କୁ କ୍ରମାଗତ ଭାବେ ବ୍ଲାକମେଲ୍ କରୁଥିଲେ। ସେହି ମହିଳାଙ୍କ ଚାପ ଏବଂ ମାଗୁଥିବା ଟଙ୍କାର ଚାହିଦା ପୂରା କରିବା ପାଇଁ ନରେନ୍ଦ୍ର ନିଜର ଘର ମଧ୍ୟ ବିକ୍ରି କରିଦେଇଥିଲେ।
ମାତ୍ର ଏଥିରେ ମଧ୍ୟ ସମାଧାନ ନହେବାରୁ ସେ ବିଭିନ୍ନ ଲୋକଙ୍କଠାରୁ ୪୦ ରୁ ୫୦ ଲକ୍ଷ ଟଙ୍କା କରଜ ଆଣିଥିଲେ। ତଥାପି ଚାହିଦା ନଥମିବାରୁ ଶେଷରେ ସେ ନିଜର ରେଷ୍ଟୁରାଣ୍ଟ ବନ୍ଦ କରି ଏକ ହୋଟେଲରେ ସେଫ୍ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ। ଏହି ସମୟ ମଧ୍ୟରେ ସାହୁକାରମାନେ ମଧ୍ୟ ଟଙ୍କା ଫେରାଇବା ପାଇଁ ତାଙ୍କୁ କଡ଼ା ତାଗିଦ୍ କରିବା ସହ ପ୍ରେସର୍ ଦେଉଥିଲେ।
ଏହି ସମସ୍ତ ପରିସ୍ଥିତିରେ ଅତିଷ୍ଠ ଏବଂ ମାନସିକ ବିଷାଦଗ୍ରସ୍ତ ହୋଇ ନରେନ୍ଦ୍ର ପ୍ରଥମେ ନିଜର ମାଆ, ସ୍ତ୍ରୀ ଏବଂ ଦୁଇ ଶିଶୁ ସନ୍ତାନଙ୍କୁ ସେମାନେ ଗଭୀର ନିଦରେ ଥିବାବେଳେ ହତ୍ୟା କରିଥିଲେ ଏବଂ ପରେ ନିଜେ ଏକ ରେଳଧାରଣା ନିକଟକୁ ଯାଇ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଥିଲେ।
ନରେନ୍ଦ୍ରଙ୍କ ଭଉଣୀ ମଧୁ ଏବଂ ସାନ ଭାଇ ପୋଲିସ ପଚରାଉଚରା ସମୟରେ ଏଭଳି ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଛନ୍ତି। ତେବେ ପୋଲିସ ଏପର୍ଯ୍ୟନ୍ତ ଏହି ଏସବୁକୁ ସମ୍ପୂର୍ଣ୍ଣ ଯାଞ୍ଚ୍ କରିପାରି ନାହିଁ। ପୋଲିସର କହିବାନୁସାରେ, ଏହି ସୂଚନା ଆଧାରରେ ସିହୋରର ସେହି ମହିଳାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏହାବ୍ୟତୀତ ଯେଉଁ ସାହୁକାରମାନେ ନରେନ୍ଦ୍ରଙ୍କୁ ଟଙ୍କା କରଜ ଦେଇଥିଲେ, ସେମାନଙ୍କୁ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି।
ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ପୋଲିସ ନରେନ୍ଦ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ଶେଷ ଆସିଥିବା କଲ୍ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିଛି। ଶେଷ କଲ୍ରୁ ଏହି ଘଟଣାର କିଛି ଦୃଢ଼ ପ୍ରମାଣ ମିଳିପାରିବ ବୋଲି ପୋଲିସ ଆଶା କରୁଛି। ଏହାଛଡ଼ା ଗତ ୨୪ ଘଣ୍ଟା ଭୀତରେ ତାଙ୍କ ଫୋନ୍ରେ ହୋଇଥିବା କାର୍ଯ୍ୟକଳାପ, ଇଣ୍ଟରନେଟ୍ କଲ୍ ଏବଂ କାହା ସହିତ ହୋଇଥିବା ବାର୍ତ୍ତାଳାପକୁ ମଧ୍ୟ ସାଇବର ଟିମ୍ ଯାଞ୍ଚ କରୁଛି।
ଅନ୍ୟପକ୍ଷରେ, ନରେନ୍ଦ୍ରଙ୍କ ଭାଇ ତାଙ୍କର ନିଶା ସେବନର ଅଭ୍ୟାସ ବିଷୟରେ ମଧ୍ୟ ପୋଲିସକୁ ଜଣାଇଛନ୍ତି। ସେ କେଉଁ ପ୍ରକାରର ନିଶା କରୁଥିଲେ ଯେଉଁଥିପାଇଁ ତାଙ୍କୁ ଏତେ ବଡ଼ ପରିମାଣର କରଜ ବୋଝ ସହିବାକୁ ପଡ଼ିଲା, ସେନେଇ ମଧ୍ୟ ଅନୁସନ୍ଧାନ ଚାଲିଛି।
ପରିବାରବର୍ଗଙ୍କ ଅନୁଯାୟୀ, କରଜ ସୁଝିବା ପାଇଁ ନରେନ୍ଦ୍ର ନିଜର ଖେଜ୍ଡ଼ା ସ୍ଥିତ ଘର, କାର୍ ଏବଂ ବାଇକ୍ ବିକ୍ରି କରିଦେଇଥିଲେ। ଘରର ସୁନାଗହଣା ମଧ୍ୟ ବନ୍ଧା ରଖାଯାଇଥିଲା। ଏପରିକି ଘରର ଦୈନନ୍ଦିନ ଖର୍ଚ୍ଚ ପାଇଁ ମଧ୍ୟ ସେ ଟଙ୍କା ଦେବା ବନ୍ଦ କରିଦେଇଥିଲେ, ଯାହାଫଳରେ ତାଙ୍କ ବୃଦ୍ଧା ମାଆ ସରସ୍ୱତୀ ଦେବୀ ବୟସ୍କ ଅବସ୍ଥାରେ ନିଜେ କାମ କରି ଘର ଚଳାଇବା ସହ ଭଡ଼ା ପଇଠ କରୁଥିଲେ।
ନରେନ୍ଦ୍ରଙ୍କ ଭଉଣୀ ମଧୁ କିଛି ସାହୁକାରଙ୍କ ବିରୋଧରେ କଠୋର ପ୍ରତାରଣାର ଅଭିଯୋଗ ଆଣିଛନ୍ତି। ତାଙ୍କ ମତରେ ନେହା, ମାମା ଗୋପାଳ ସାହୁ, ଶ୍ୱେତା, ସିମର, ଚିଣ୍ଟୁ ଏବଂ ଦେବା ନାମକ ବ୍ୟକ୍ତିମାନଙ୍କଠାରୁ ନରେନ୍ଦ୍ର ଋଣ ନେଇଥିଲେ ଏବଂ ପ୍ରତିମାସରେ ମୋଟା ଅଙ୍କର ସୁଧ (ପ୍ରାୟ ୪୦ ହଜାର ଟଙ୍କା) ପୈଠ କରୁଥିଲେ।
ଏହାସତ୍ତ୍ୱେ ସେମାନେ ମୂଳ ଧନ ପାଇଁ ତାଙ୍କୁ କ୍ରମାଗତ ଭାବେ ଚାପ ପକାଉଥିଲେ, ଯାହାଫଳରେ ସେ ଗଭୀର ମାନସିକ ଚାପରେ ଥିଲେ। ପୋଲିସ ଏବେ ଫୋରେନ୍ସିକ୍ ଏବଂ ସାଇବର ବିଶେଷଜ୍ଞଙ୍କ ସହଯୋଗରେ ଗତ ୧୫ ଦିନର ଡିଜିଟାଲ୍ ଆକ୍ଟିଭିଟିକୁ ମଧ୍ୟ ମନିଟରିଂ କରୁଛି।


