ସ୍ୱାମୀକୁ ମୂଷା ମରା ଔଷଧ ଦେଇ ହତ୍ୟା ଉଦ୍ୟମ
ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।
ଜଳଗାଓଁ: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଦୁଇ ଦିନ ପରେ ଜଣେ ନବବଧୂ ନିଜ ସ୍ୱାମୀ ଓ ତାଙ୍କ ପରିବାରର ଅନ୍ୟ ତିନି ଜଣଙ୍କ ଖାଦ୍ୟରେ ମୂଷା ମରା ବିଷ ମିଶାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନବବଧୂଙ୍କ ସମେତ ଦୁଇ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ଜଳଗାଓଁ ଜିଲ୍ଲାର ପାରୋଲା ଅଞ୍ଚଳର ଭେଲହାନେ ଗାଁରେ ଏହି ଘଟଣା ଘଟିଛି। ଅକ୍ଟୋବର ୭ ତାରିଖରେ ବିବାହ ହୋଇଥିବାବେଳେ ଅକ୍ଟୋବର ୯ ତାରିଖରେ ଏହି ଘଟଣା ଘଟିଥିଲା।
ଅଭିଯୋଗ ଅନୁସାରେ, ନବବଧୂ ଜଣକ ସ୍ୱାମୀ ଓ ଶାଶୂଘର ଲୋକଙ୍କ ଖାଦ୍ୟରେ ମୂଷା ମରା ବିଷ ମିଶାଇଥିଲେ। ଖାଦ୍ୟ ଖାଇବା ପରେ ପରିବାରର ସଦସ୍ୟମାନେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ଧୁଲେର ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।
ଏହି ଘଟଣା ପରେ ନବବଧୂ ଜଣକ ଅନ୍ୟ ଜଣେ ମହିଳାଙ୍କ ସହ ଘରୁ ପଳାଇଥିବା ଅଭିଯୋଗ ହୋଇଛି। ସେମାନେ ଘରୁ କିଛି ଗହଣା ଓ ବିବାହରେ ମିଳିଥିବା ଟଙ୍କା ନେଇଯାଇଥିବା ମଧ୍ୟ କୁହାଯାଉଛି।
ଘଟଣାକୁ ନେଇ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ରାଗିଯାଇ ଥାନା ସାମ୍ନାରେ ରାସ୍ତା ଅବରୋଧ କରିଥିଲେ। ଅଭିଯୁକ୍ତ ଦୁଇ ମହିଳାଙ୍କୁ ଶୀଘ୍ର ଗିରଫ କରିବାକୁ ସେମାନେ ଦାବି କରିଥିଲେ।
ପରେ ପୁଲିସ ଖୋଜାଖୋଜି କରି ଧୁଲେ ଜିଲ୍ଲାର ନିମଗୁଲ ଗାଁ ନିକଟରୁ ଦୁଇ ମହିଳାଙ୍କୁ ଧରିଥିଲା। ନବବଧୂଙ୍କ ନାମ ସୁମନ ସୁଭାଷ ସାହନୀ ଏବଂ ଅନ୍ୟ ମହିଳାଙ୍କ ନାମ ଆରତୀ ସୂର୍ଯ୍ୟକାଶ ପଟେଲ ବୋଲି ଜଣାପଡ଼ିଛି। ଉଭୟେ ଝାଡ଼ଖଣ୍ଡର ବାସିନ୍ଦା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ଏହି ବିବାହ ପାଇଁ ବରପକ୍ଷ ୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ତେବେ ଖାଦ୍ୟରେ ବିଷ ମିଶାଇବା ପଛରେ କ’ଣ କାରଣ ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।


