fbpx

ଆସନ୍ତାବର୍ଷ ଖୋଲିବ ୬୩ ନୂଆ ଆଦର୍ଶ ବିଦ୍ୟାଳୟ, ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆସନ୍ତା ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ଖୋଲୁଥିବାରୁ ବିଦ୍ୟାଳୟର ସଫେଇ ଓ ବିଶୋଧନ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରାଯିବ । ମାତ୍ର କୌଣସି ପରିସ୍ଥିତିିରେ ପିଲାମାନଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଶିକ୍ଷାଦାନ କରାଯିବ । ସରକାରଙ୍କ ମାର୍ଗଦର୍ଶିକାର ଉପଯୁକ୍ତ ଅନୁପାଳନ ସହ ପାଠପଢ଼ା, ବିଦ୍ୟାଳୟ ପରିସରର ସ୍ୱଚ୍ଛତା, ସାନିଟାଇଜେସନ୍‌, ମାସ୍କ ପରିଧାନ, ସାମାଜିକ ଦୂରତା ଆଦି ବଜାୟ ରଖି ପିଲାମାନଙ୍କୁ ପାଠପଢ଼ା ଅବ୍ୟାହତ ରଖିବା ଉପରେ ଗୁରୁତ୍ୱ ଦିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ପଟିଆସ୍ଥିତ ଓ-ହବ୍‌ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି । ବୈଠକର ସୂଚନା ଅନୁଯାୟୀ ଆଦର୍ଶ ବିଦ୍ୟାଳୟ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀମାନେ ଗୁଣାତ୍ମକ ଆସବାବପତ୍ର କିଣିବେ । ଆବଶ୍ୟକ ସ୍ଥଳେ ଅଧିକ ଖର୍ଚ୍ଚ ବହନ କରାଯିବ । ଆସନ୍ତା ବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ ।

ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆସନ୍ତା ଫେବୃୟାରୀ ୧୮ ତାରିଖରେ କରାଯିବ । ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆବଶ୍ୟକୀୟ ପ୍ରଚାରପ୍ରସାର କରିବେ । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଗୁଡ଼ିକରେ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବାକି ରହିଥିବା ବିନିଯୋଗପତ୍ରଗୁଡ଼ିକ ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ସ୍ଥିର କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଯୋଗଦାନ କରି ରାଜ୍ୟର ଶିକ୍ଷା ବିକାଶ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଲେ ଯେ, ଶିକ୍ଷାକ୍ଷେତ୍ରରେ ଆମର ମାନବିକ ସ୍ୱଭାବକୁ ଜାଗ୍ରତ କରିବାକୁ ପଡ଼ିବ । ଶିକ୍ଷା ଅଧିକାରୀମାନେ ସ୍କୁଲ ପରିଦର୍ଶନ କରିବା, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ଆଲୋଚନା କରିବା ଏବଂ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହ କ୍ରିୟାଶୀଳ ପ୍ରଦର୍ଶନ, ନିୟମିତତା ଓ ଶୃଙ୍ଖଳା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ ।

ବୈଠକରେ ୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକୁ ଆଗକୁ ନେବା ପାଇଁ ଡିଜିଟାଲ୍‌ ଲାଇବ୍ରେରୀ, କ୍ରୀଡ଼ା ଭିତ୍ତିଭୂମି, ବିଜ୍ଞାନାଗାର, ସ୍ୱଚ୍ଛ ପିଇବା ପାଣି, ଶୌଚାଳୟ, ସ୍ମାର୍ଟ କ୍ଲାସ୍‌ ରୁମ୍‌, ଉତମ ଶୈକ୍ଷିକ ପରିବେଶ, ବିଦ୍ୟୁତ ସୁବିଧା, ଆସବାବପତ୍ର, ବଗିଚା, ଅଗ୍ନିନିର୍ବାପକ ବ୍ୟବସ୍ଥା ଆଦି ସଂପର୍କରେ ପ୍ରମୁଖ ସଚିବ ଶ୍ରୀ ସାହୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ପ୍ରମୁଖ ସଚିବ ଶ୍ରୀ ସାହୁ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଆୟୋଜନ ଓ ସୁ ରିଚାଳନା ନେଇ ମଧ୍ୟ ଆଲୋଚନା କରିଥିଲେ । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁ ମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ଅରିନ୍ଦମ୍‌ ଡାକୁଆ, ଏସ୍‌ସିଇଆରଟିର ନିର୍ଦ୍ଦେଶକ ସନତ କୁମାର ମହାନ୍ତି, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜ୍‌ରା, ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଅଲୋକ କୁମାର କରଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.