ବୋମା ବିସ୍ଫୋରଣ ମାମଲାରେ NIAର ବଡ଼ ପଦକ୍ଷେପ, ୨ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ

ଭୁବନେଶ୍ୱର ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦୁଇଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି।

ଭୁବନେଶ୍ୱର : ଭୁବନେଶ୍ୱର ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦୁଇଜଣଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି। ଭୁବନେଶ୍ୱର ସ୍ୱତନ୍ତ୍ର NIA କୋର୍ଟରେ ଭାରତୀୟ ନ୍ୟାୟ ସଂହିତା (BNS) ସହ ବିସ୍ଫୋରକ ପଦାର୍ଥ ଆଇନ ଏବଂ ବିସ୍ଫୋରକ ଆଇନର ବିଭିନ୍ନ ଧାରାରେ ଏହି ଚାର୍ଜଶିଟ୍ ଦାଖଲ ହୋଇଛି। ଚାର୍ଜଶିଟ୍‌ରେ ସାନୁ ଓରଫ ରୋହନ ରଞ୍ଜନ ରାଉତ ଏବଂ ଅମିୟ ରଞ୍ଜନ ମଲ୍ଲିକଙ୍କ ନାମ ରହିଛି।

ଏହି ଘଟଣାଟି ଭୁବନେଶ୍ୱରର ସୁନ୍ଦରପଦା ନ୍ୟୁ ଆଜାଦନଗର (ଏୟାରଫିଲ୍ଡ ଥାନା ଅଞ୍ଚଳ)ରେ ହୋଇଥିବା ବୋମା ବିସ୍ଫୋରଣ ମାମଲା ସହ ସମ୍ପୃକ୍ତ। ୨୦୨୬ ଜାନୁଆରୀ ୨୭ ତାରିଖ ଦିନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଚାରିଜଣ ବ୍ୟକ୍ତି ବୋମା ପ୍ରସ୍ତୁତ କରୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏଥିରେ ଚାରିଜଣ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ବିସ୍ଫୋରଣରେ ଶାହନୱାଜ ମଲ୍ଲିକ ଓରଫ ମୁଫି ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା।

NIAର ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ଏକ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ରହିଛି। ସେମାନେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଯୋଗାଡ଼ କରିଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ଯୋଜନାବଦ୍ଧ ଅପରାଧିକ କାର୍ଯ୍ୟ ପାଇଁ ବୋମା ପ୍ରସ୍ତୁତ କରୁଥିବା ସମୟରେ ହିଁ ବିସ୍ଫୋରଣ ଘଟିଥିବା NIA ତଦନ୍ତରୁ ଜଣାପଡ଼ିଛି। ମାମଲାର ସମ୍ପୂର୍ଣ୍ଣ ଘଟଣାକ୍ରମ ଏବଂ ଅନ୍ୟମାନଙ୍କ ଭୂମିକା ସମ୍ପର୍କରେ ତଦନ୍ତ ଜାରି ରହିଛି।