ଭଡ଼ା ଘରୁ ମିଳିଲା JEଙ୍କ ମୃତଦେହ, ମୃତ୍ୟୁକୁ ନେଇ ସନ୍ଦେହ
ବାଲେଶ୍ୱର ଜିଲ୍ଲାର ନୀଳଗିରି ଏନ୍ଏସିରେ କାମ କରୁଥିବା ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ମୃତଦେହ ମଙ୍ଗଳବାର ତାଙ୍କ ଭଡ଼ା ଘରୁ ମିଳିଛି।
ନୀଳଗିରି: ବାଲେଶ୍ୱର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ମୃତଦେହ ମଙ୍ଗଳବାର ତାଙ୍କ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ସନ୍ଦେହଜନକ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଜେଇଙ୍କ ନାମ ଦେବାଶିଷ ପୃଷ୍ଟି।
ସୂଚନା ଅନୁସାରେ, ଦେବାଶିଷ ପ୍ରାୟ ୩ ମାସ ତଳେ ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରପାଳିକାରୁ ବଦଳି ହୋଇ ନୀଳଗିରି ଏନ୍ଏସିରେ ଯୋଗ ଦେଇଥିଲେ। ସେ ନୀଳଗିରି ଏନ୍ଏସିର ୫ ନମ୍ବର ୱାର୍ଡ ଅନ୍ତର୍ଗତ ବରିସାହି ଗ୍ରାମର ମନୋଜ କୁମାର ଦାସଙ୍କ ଘରେ ଭଡ଼ାରେ ରହୁଥିଲେ।
ସୋମବାର ଦେବାଶିଷ ଅଫିସ ଯାଇଥିବା ବେଳେ ମଙ୍ଗଳବାର କାର୍ଯ୍ୟାଳୟକୁ ଆସିନଥିଲେ। ତାଙ୍କର ଅନୁପସ୍ଥିତିକୁ ନେଇ ସହକର୍ମୀ ଓ ଅନ୍ୟମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ।
ଏହାପରେ ଘର ମାଲିକ ମନୋଜ କୁମାର ଦାସ ତାଙ୍କ ଭଡ଼ା ଘରକୁ ଯାଇ ଖୋଜାଖୋଜି କରିଥିଲେ। ଘରେ ପହଞ୍ଚିବା ପରେ କବାଟ ଭିତର ପଟୁ ବନ୍ଦ ଥିବା ଦେଖିଥିଲେ। ବାରମ୍ବାର ଡାକିବା ସତ୍ତ୍ୱେ ଭିତରୁ କୌଣସି ଉତ୍ତର ମିଳିନଥିଲା। ଶେଷରେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ।
ସେଠାରେ ଦେବାଶିଷଙ୍କୁ ଚଟାଣରେ ପଡ଼ିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଜେଇ ଦେବାଶିଷଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ଜଣାପଡ଼ିନାହିଁ। ଘଟଣା ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।


