fbpx

ଗଞ୍ଜାମରେ ଆରମ୍ଭ ହେଲା ‘ନିରୀକ୍ଷଣ’ ଯୋଜନା: ୧୮ କ୍ଲିନିକ୍‌ରେ ଗର୍ଭବତୀଙ୍କୁ ମିଳିବ ମାଗଣା ଅଲଟ୍ରାସାଉଣ୍ଡ ସୁବିଧା

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ସୁରକ୍ଷିତ ମାତୃତ୍ୱ ନେଇ ଏକ ଯୋଜନାର ଦିଗରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବୁଧବାରଠାରୁ ଜିଲ୍ଲାରେ ‘ନିରୀକ୍ଷଣ’ ସୁରକ୍ଷିତ ଜନନୀ ସହାୟତା (ଏସ୍‌ଏସ) ଯୋଜନାର ଶୁଭାରମ୍ଭ ବ୍ରହ୍ମପୁର ସିଟି ହସ୍ପିଟାଲରେ ହୋଇଯାଇଛି । ୧୮ କ୍ଲିନିକ୍‌ରେ ଗର୍ଭବତୀଙ୍କୁ ମିଳିବ ମାଗଣା ଅଲଟ୍ରାସାଉଣ୍ଡ ସୁବିଧା । ସୁରକ୍ଷିତ ମାତୃତ୍ୱ ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏଭଳି ଅଭିନବ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ବ୍ରହ୍ମପୁର ସିଟି ହସ୍ପିଟାଲ ପରିସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଶୁଭାରମ୍ଭ କରିଛନ୍ତି ।

ଯୋଜନା ଅନୁଯାୟୀ, ଜିଲ୍ଲାର ୧୮ଟି ଘରୋଇ କ୍ଲିନିକ୍‌ରେ ଗର୍ଭବତୀଙ୍କୁ ୩ଥର ମାଗଣା ଅଲଟ୍ରାସାଉଣ୍ଡ ସୁବିଧା ମିଳିବ । ଏଥିପାଇଁ ସରକାରୀ ମେଡିକାଲରୁ ଡାକ୍ତରଙ୍କ ଲିଖିତ ପରାମର୍ଶପତ୍ର ଆବଶ୍ୟକ । ଗର୍ଭାବସ୍ଥାର ୧୨ ସପ୍ତାହରେ ପ୍ରଥମ, ୧୬ରୁ ୩୪ ସପ୍ତାହ ମଧ୍ୟରେ ଦ୍ୱିତୀୟ, ୩୬ ସପ୍ତାହରେ ତୃତୀୟ ପରୀକ୍ଷାର ସୁବିଧା ଗର୍ଭବତୀଙ୍କୁ ମିଳିବ । ଏହି ଅଭିଯାନର ତଦାରଖ ପାଇଁ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପ୍ରବନ୍ଧକ ଶକ୍ତି କୁମାର ଦିଗାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ତରଫରୁ ସମସ୍ତ ସରକାରୀ ଡାକ୍ତରଖାନା ଓ ସମ୍ପୃକ୍ତ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ଗୁଡିକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ବର୍ଷକୁ ଏଥିପାଇଁ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ଏହି ଯୋଜନା କେବେଠାରୁ କାର୍ଯ୍ୟ କରିବା ସେନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀ ରୂପ ରେଖ ପ୍ରସ୍ତୁତ କରିଛନ୍ତି । ଘରୋଇ କ୍ଲିନିକ୍‌କୁ ପ୍ରତ୍ୟେକ ଅଲଟ୍ରାସାଉଣ୍ଡ ପିଛା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫୦ଟଙ୍କା ପ୍ରଦାନ କରାଯିବ । ଘରୋଇ କ୍ଲିନିକ୍‌ ଗୁଡିକ ଏହି ଯୋଜନାରେ ସାମିଲ ହୋଇଥିବା ହିତାଧୀକାରୀଙ୍କ ସ୍ୱତନ୍ତ୍ର ରେକର୍ଡ ରଖିବେ । ସେମାନେ ପ୍ରାକ୍‌ ଗର୍ଭବସ୍ତୁ ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂଣ ନିୟମ ପାଳନ କରିବାକୁ କୁହାଯାଇଛି ।

ଅଭିଯାନର ସଫଳତା ପାଇଁ ସ୍ୱାସ୍ଥ୍ୟ ବିଭାଗର ୧୦ଜଣିଆ ଟିମ୍‌ ପ୍ରସ୍ତୁତ କରାଯାଇଛି । ଯୋଜନା କାର୍ଯ୍ୟକାରୀ ପୂର୍ବରୁ ଜିଲ୍ଲାର ସମସ୍ତ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ମାଲିକ ଓ ଡାକ୍ତରଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଯୋଜନାକୁ ସଠିକ୍‌ ଭାବେ କାର୍ଯ୍ୟକ୍ଷମ ନ କଲେ ସମ୍ପୃକ୍ତ କ୍ଲିନିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.