fbpx

ବିହାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନୀତୀଶ କୁମାର, ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏନଡିଏ ଠାରୁ ଅଲଗା ହେବା ପରେ ନୀତିଶ କୁମାର ମହମେଣ୍ଟ ସହ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି, ଏବଂ ଏହି ନିଷ୍ପତ୍ତି ପରେ ସେ ରାଜ୍ୟପାଳଙ୍କୁ ଇସ୍ତଫା ଦେବାପାଇଁ ରାଜଭବନ ପହଞ୍ଚିଥିଲେ । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ୧୬୦ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ରାଜ୍ୟପାଳଙ୍କୁ ଦେଇଛନ୍ତି ।

ଇସ୍ତଫା ଦେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନୀତୀଣ କୁମାର କହିଛନ୍ତି ଯେ ‘ ଆଜି ବୈଠକ ହୋଇଥିଲା, ଲୋକସଭା, ରାଜ୍ୟସଭାର ସାଂସଦ, ସବୁ ବିଧାୟକ, ବିଧାନ ପାର୍ସଦ, ପାର୍ଟି ନେତାଙ୍କ ଇଚ୍ଛା ଏହା ଥିଲା ଯେ ଆମକୁ ଏନଡିଏ ଛାଡ଼ିଦେବା ଦରକାର । ଏନଡିଏ ଛାଡ଼ିବା ନିଷ୍ପତି ଦଳର ଥିଲା, ଆଉ ଏନେଇ ସହମତି ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ।’

ତେବେ ଇସ୍ତଫା ପତ୍ର ଦେବା ପରେ ସିଧା ଲାଲୁ ଯାଦବଙ୍କ ଘରେ ପହଞ୍ଚିଛନ୍ତି ନୀତୀଶ କୁମାର । ଆରଜେଡି ନେତା ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କ ଭେଟିବେ । ଏହି ନୂଆ ରାଜନୀତିକ ସମୀକରଣରେ ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ବାମ ଦଳ ମିଶି ସରକାର ଗଢ଼ିବେ । ଏବେ ସମସ୍ତଙ୍କ ନଜର ଏହା ଉପରେ ରହିଛି ଯେ କେତେବେଳେ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ବିହାରରେ ନୂଆ ସରକାର ଗଠନ କରିବେ ।

Get real time updates directly on you device, subscribe now.