୧୦୮ ଆମ୍ବୁଲାନ୍ସ ମିଳିଲାନି; ଅଟୋରେ ପ୍ରସବ ପରେ ଚାଲିଗଲା ୪ ନିଷ୍ପାପ ଶିଶୁଙ୍କ ଜୀବନ!

ମଧ୍ୟପ୍ରଦେଶରେ ଜଣେ ଗର୍ଭବତୀ ମହିଳା ଅଟୋ-ରିକ୍ସା ଭିତରେ ଏକାସଙ୍ଗେ ଚାରୋଟି ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ କୌଣସି ବି ଶିଶୁ ବଞ୍ଚିନାହାନ୍ତି।

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମଣ୍ଡଲା ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୨୮ ବର୍ଷୀୟ ଗର୍ଭବତୀ ମହିଳା ମାତ୍ର ସାତ ମାସର ଗର୍ଭବତୀ ଥିବା ବେଳେ ତାଙ୍କୁ ପ୍ରସବ ବେଦନା ହୋଇଥିଲା। ହସ୍ପିଟାଲ ଯିବା ବାଟରେ ଏକ ଅଟୋ-ରିକ୍ସା ଭିତରେ ସେ ଏକାସଙ୍ଗେ ଚାରୋଟି ସନ୍ତାନ ଜନ୍ମ ଦେଇଥିଲେ। ଦୁର୍ଭାଗ୍ୟବଶତଃ, ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଏହି ଚାରୋଟି ଯାକ ନବଜାତ ଶିଶୁ ପ୍ରସବର କିଛି ସମୟ ପରେ ଆଖି ବୁଜିଥିଲେ।

ମହିଳାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ରଜନୀ ସିଙ୍ଗରାମ ନାମକ ଏହି ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହେବା ପରେ ସେମାନେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ଫୋନ୍ କରିଥିଲେ। କିନ୍ତୁ କୌଣସି ଆମ୍ବୁଲାନ୍ସ ନଆସିବାରୁ ସେମାନେ ଏକ ବେସରକାରୀ ଗାଡ଼ି ଭଡ଼ା କରି ତାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବିଛିୟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର (ରେଫର) କରିଥିଲେ।

ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଅଟୋ ରିକ୍ସା ଯୋଗେ ନିଆଯାଉଥିବା ସମୟରେ ବାଟରେ ମହିଳାଙ୍କର ପ୍ରସବ ବେଦନା ଅସହ୍ୟ ହୋଇଥିଲା ଏବଂ ସେ ଅଟୋ ଭିତରେ ହିଁ ଚାରୋଟି ଛୁଆଙ୍କୁ ଜନ୍ମ ଦେଇଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ଶିଶୁଗୁଡ଼ିକ ସମୟ ପୂର୍ବରୁ (ପ୍ରାୟ ୩୦ ସପ୍ତାହର ଗର୍ଭାବସ୍ଥାରେ) ଜନ୍ମ ହୋଇଥିଲେ ଏବଂ ସେମାନଙ୍କର ଓଜନ ବହୁତ କମ୍ ଥିଲା।

ବର୍ତ୍ତମାନ ହସ୍ପିଟାଲରେ ମହିଳାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଯୋଗୁଁ ହିଁ ଏହି ବଡ଼ ଅଘଟଣ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ, ଯଦି ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ମିଳେ, ତେବେ ଏହି ଘଟଣାର ତଦନ୍ତ କରାଯିବ ବୋଲି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି।