ଦିଲ୍ଲୀରେ ସ୍କୁଲ ବାହାରେ ସିଗାରେଟ କିମ୍ବା ଗୁଟଖା ବିକିଲେ ନିସ୍ତାର ନାହିଁ, ହାଇକୋର୍ଟ ଲଗାଇଲେ ରୋକ

ପିଲାମାନଙ୍କ ସ୍ୱାସ୍ଥ୍ୟ ସହ କୌଣସି ବି ପ୍ରକାରର ଖେଳାଖେଳିକୁ ରୋକିବା ପାଇଁ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସ୍କୁଲ ନିକଟରେ ତମାଖୁ, ପାନ ମସଲା, ସିଗାରେଟ୍ ଏବଂ ଗୁଟଖା ଭଳି ସାମଗ୍ରୀ ବିକ୍ରି କରିବା ଉପରେ କଟକଣା ଜାରି କରାଯାଇଛି।

Delhi High Court News : ଦିଲ୍ଲୀରେ ଏବେ ସ୍କୁଲ ବାହାରେ ସିଗାରେଟ-ଗୁଟଖା, ପାନ ମସଲା ଏବଂ କୌଣସି ବି ପ୍ରକାରର ତମାଖୁ ବିକ୍ରି ଉପରେ ରୋକ୍ ଲଗାଇ ଦିଆଯାଇଛି। ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ସ୍ଟ୍ରିଟ୍ ଭେଣ୍ଡର ମାନଙ୍କୁ ସ୍କୁଲ ବାହାରେ ଏଭଳି ସାମଗ୍ରୀ ବିକ୍ରି କରିବା ଉପରେ ବ୍ୟାନ କରିଛନ୍ତି। ପିଲାମାନଙ୍କ ସ୍ୱାସ୍ଥ୍ୟ ସହ କୌଣସି ବି ପ୍ରକାରର ଖେଳାଖେଳିକୁ ରୋକିବା ପାଇଁ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି।

କୋର୍ଟ କହିଛନ୍ତି ଯେ ସ୍କୁଲକୁ ଛୋଟ ଛୋଟ ପିଲା ପଢ଼ିବାକୁ ଆସନ୍ତି, ତେଣୁ ଏଭଳି ସ୍ଥାନରେ ଏହିପରି ଉତ୍ପାଦ ବିକ୍ରି କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ନ୍ୟାୟମୂର୍ତ୍ତି ବିକାଶ ମହାଜନ ଏବଂ ପ୍ରତିଭା ଏମ. ସିଂହଙ୍କ ପୀଠ ନିଜାମୁଦ୍ଦିନ ରେଳ ଷ୍ଟେସନ ନିକଟରେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କରୁଥିବା ଭେଣ୍ଡର ସୁରେଶଙ୍କ ଆବେଦନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ହାଇକୋର୍ଟ ସୁରେଶଙ୍କୁ ସ୍କୁଲ ନିକଟରେ ତମାଖୁ, ପାନ ମସଲା, ସିଗାରେଟ୍ ଏବଂ ଗୁଟଖା ଭଳି ସାମଗ୍ରୀ ବିକ୍ରି କରିବାକୁ ମନା କରିଛନ୍ତି। ଏହାସହ ଏମସିଡି କୁ ତିନି ଦିନ ମଧ୍ୟରେ ଭେଣ୍ଡରଙ୍କୁ ବ୍ୟବସାୟ ପାଇଁ ଅନ୍ୟ ଏକ ବିକଳ୍ପ ସ୍ଥାନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ କଣ କହିଲେ?

ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ଭେଣ୍ଡରଙ୍କୁ ବିକଳ୍ପ ସ୍ଥାନ ମିଳିବା ପର୍ଯ୍ୟନ୍ତ ନିୟମ ଓ ସର୍ତ୍ତଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରି ସାମଗ୍ରୀ ବିକ୍ରି କରିବାକୁ ଦିଆଯାଉ। ବିଚାରପତିଙ୍କ ପୀଠ ଦୋହରାଇଛନ୍ତି ଯେ କୋର୍ଟ ପୂର୍ବରୁ ମଧ୍ୟ ଏଭଳି ଉତ୍ପାଦର ବିକ୍ରି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି।

ହାଇକୋର୍ଟ ପୂର୍ବରୁ ଦେଇଛନ୍ତି ଏହି ନିର୍ଦ୍ଦେଶ

ଦିଲ୍ଲୀ ହାଇକୋର୍ଟ ତମାଖୁ, ପାନ ମସଲା, ଗୁଟଖା ଏବଂ ଅନ୍ୟାନ୍ୟ ଉତ୍ପାଦକୁ ନେଇ ସ୍କୁଲ ଆଖପାଖରେ ଥିବା ଦୋକାନଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି। ହାଇକୋର୍ଟ କହିଥିଲେ ଯେ ସ୍କୁଲର ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍ ସାମ୍ନାରେ କିମ୍ବା ଏହାର ଆଖପାଖରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରାଯିବ ନାହିଁ। ପାନ ମସଲା, ଗୁଟଖା, ସିଗାରେଟ୍ କିମ୍ବା କୌଣସି ବି ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କରାଯାଇପାରିବ ନାହିଁ।

କୋର୍ଟ କହିଥିଲେ ଯେ ଆବଶ୍ୟକ ପଡ଼ିଲେ ଛୋଟ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରାଯାଇପାରିବ, କିନ୍ତୁ ଏଥିପାଇଁ ଅତିରିକ୍ତ ଜାଗା ମାଡ଼ି ବସି ହେବ ନାହିଁ। ଭେଣ୍ଡର ନିର୍ଦ୍ଧାରିତ ସ୍ଥାନ ମଧ୍ୟରେ ହିଁ ସୀମିତ ରହିବେ ଏବଂ ଫୁଟପାଥ ଜବରଦଖଲ କରିବେ ନାହିଁ। ସେହିପରି ବ୍ୟବସାୟ କରୁଥିବା ସ୍ଥାନରେ ସଫାସୁତୁରା ରଖିବା ଏବଂ ଡଷ୍ଟବିନ ରଖିବା ବାଧ୍ୟତାମୂଳକ ହେବ।

ତେବେ ପୂରା ମାମଲାଟି କଣ?

ପ୍ରକୃତରେ, ଆବେଦନକାରୀଙ୍କ ପାଖରେ ବୈଧ ଉଠାଦୋକାନ ପ୍ରମାଣପତ୍ର ଥିବା ସତ୍ତ୍ୱେ ଦିଲ୍ଲୀ ପୋଲିସ ଏବଂ ଏମସିଡି ଦ୍ୱାରା ହଇରାଣ କରାଯାଉଥିବାରୁ ସେ ହାଇକୋର୍ଟରେ ଆବେଦନ କରିଥିଲେ। ସେ ନିଜ ଆବେଦନରେ କହିଥିଲେ ଯେ ତାଙ୍କ ପାଖରେ ବୈଧ ସାର୍ଟିଫିକେଟ୍ ଅଛି, ତଥାପି ଦିଲ୍ଲୀ ପୋଲିସ ଏବଂ ଏମସିଡି ଅଧିକାରୀମାନେ ତାଙ୍କୁ ବାରମ୍ବାର ହଇରାଣ କରୁଛନ୍ତି।

ଏହାର ଜବାବରେ ଏମସିଡି ନିଜ ପକ୍ଷ ରଖି ଅଭିଯୋଗ କରିଥିଲା ଯେ, ସୁରେଶ ସ୍କୁଲ ନିକଟରେ ପାନ ମସଲା, ଗୁଟଖା ଓ ସିଗାରେଟ୍ ବିକ୍ରି କରୁଥିଲେ ଏବଂ ସେଠାରେ ସଫାସୁତୁରା ରଖୁନଥିଲେ। ଏହାର ଶୁଣାଣି କରିବା ପରେ କୋର୍ଟ ସର୍ତ୍ତମୂଳକ ଭାବେ ତାଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ ତମାଖୁ, ପାନ ମସଲା ସମେତ ଅନ୍ୟ ସମସ୍ତ ନିଶାଦ୍ରବ୍ୟ ବିକ୍ରି ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇଛନ୍ତି।