ବାହାଘର ବେଳେ ହେବନି ମହଙ୍ଗା ଫଟୋ ଶୁଟ୍; ବାଜିବନି ଡିଜେ!
ସମ୍ବଲପୁରରେ ଆୟୋଜିତ ହୋଇଥିଲା ନିଖିଳ ଉତ୍କଳ ଚଷା ସମାଜ କାର୍ଯ୍ୟକାରିଣୀ ବୈଠକ। ଏଥିରେ ଆଡମ୍ବର ବାହାଘରକୁ ନେଇ ହୋଇଥିଲା ଆଲୋଚନା
ସମ୍ବଲପୁର: ହେବନି ରିଙ୍ଗ ସେରିମୋନି! ହେବନି ଆଡ଼ମ୍ବର ପୂର୍ଣ୍ଣ ହଲଦୀ ଓ ମେହେନ୍ଦି କାର୍ଯ୍ୟକ୍ରମ। ବାଜିବନି ଡିଜେ। ବରଯାତ୍ରୀଙ୍କୁ ମିଳିବି ମଦ। ତଥାପି ହେବ ବାହାଘର। ବିବାହକୁ ସରଳ ଭାବେ କରିବା ପାଇଁ ଚାଷୀ ସଂଗଠନ ‘ନିଖିଳ ଉତ୍କଳ ଚାଷ ସମାଜ’ ବୁଧବାର ରାଜ୍ୟବ୍ୟାପୀ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ମାଧ୍ୟମରେ ପରିବାରଗୁଡ଼ିକୁ ଆଡ଼ମ୍ବରପୂର୍ଣ୍ଣ ବିବାହ ପରିବର୍ତ୍ତେ ମୂଲ୍ୟବୋଧ ଆଧାରିତ ସରଳ ବିବାହକୁ ଆପଣାଇବାକୁ ଅନୁରୋଧ କରାଯାଇଛି।
ସମ୍ବଲପୁରରେ ଆୟୋଜିତ ହୋଇଥିଲା ନିଖିଳ ଉତ୍କଳ ଚଷା ସମାଜ କାର୍ଯ୍ୟକାରିଣୀ ବୈଠକ। ଏଥିରେ ଆଡମ୍ବର ବାହାଘରକୁ ନେଇ ହୋଇଥିଲା ଆଲୋଚନା। ଆଡ଼ମ୍ବର ବାହାଘର ଯୋଗୁଁ ଗରିବ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଉଛି। କହିବାକୁ ଗଲେ ଏକ ପ୍ରକାର ଶୋଷଣରେ ଶିକାର ହେଉଛି।
ବଢ଼ୁଥିବା ସାମାଜିକ ଚାପ ଯୋଗୁଁ ଗରିବ ଓ ମଧ୍ୟବିତ୍ତ ପରିବାରଗୁଡ଼ିକ ଋଣଗ୍ରସ୍ତ ହେଉଛନ୍ତି। ତେଣୁ ସଂଗଠନର ସଦସ୍ୟମାନେ ବିବାହ ପୂର୍ବ ଫଟୋଶୁଟ୍, ରିଙ୍ଗ ସେରିମୋନି, ଡିଜେ ନାଇଟ୍, ଆଡ଼ମ୍ବରପୂର୍ଣ୍ଣ ହଳଦୀ ଓ ମେହେନ୍ଦୀ ଉତ୍ସବ, ବିଶାଳ ଶୋଭାଯାତ୍ରା ଏବଂ ବିବାହ ଉତ୍ସବରେ ମଦ୍ୟପାନକୁ ବନ୍ଦ କରିବାକୁ ସଂକଳ୍ପ ନେଇଛନ୍ତି।
Uttarakhand Govt.
ସଂଗଠନର ନେତୃବୃନ୍ଦଙ୍କ କହିବା ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ। ଏହା କୌଣସି ସାମାଜିକ ପ୍ରତିଷ୍ଠାର ପ୍ରତିଯୋଗିତା ନୁହେଁ। ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖି ବିନା ଅଯଥା ଆର୍ଥିକ ବୋଝ ବଢ଼ାଇ ସରଳ ଭାବେ ବିବାହ ଉତ୍ସବ ପାଳନ କରାଯିବା ଉଚିତ। ସଂଗଠନର ମତରେ, ଆଜିକାଲି ବିବାହ ଉତ୍ସବ ଧନସମ୍ପତ୍ତି ପ୍ରଦର୍ଶନର ମଞ୍ଚରେ ପରିଣତ ହେଉଛି। ଯାହା ଫଳରେ ଅନେକ ପରିବାର ଉତ୍ସବ ଶେଷ ହେବା ପରେ ଆର୍ଥିକ ସଙ୍କଟରେ ରହୁଛନ୍ତି।
ଏହି ପଦକ୍ଷେପକୁ ସମାଜ ସଂସ୍କାରକ, ଶିକ୍ଷାବିତ୍ ଓ ଯୁବପିଢ଼ିଙ୍କ ପକ୍ଷରୁ ସମର୍ଥନ ମିଳିଛି। ସେମାନଙ୍କ ମତରେ, ଆଡ଼ମ୍ବରରେ ଖର୍ଚ୍ଚ ହେଉଥିବା ଅର୍ଥ ନବଦମ୍ପତିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାରେ ବ୍ୟୟ କରାଯାଇପାରେ। ସଂଗଠନ ମୃତ୍ୟୁ ପରବର୍ତ୍ତୀ କାର୍ଯ୍ୟକ୍ରମରେ ମଧ୍ୟ ସରଳତା ଅବଲମ୍ବନ କରିବାକୁ ଆହ୍ୱାନ ଜଣାଇଛି। ମୃତ୍ୟୁ ସମ୍ବନ୍ଧୀୟ ରୀତିନୀତିରେ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବାକୁ ଅନୁରୋଧ କରାଯାଇଛି।
ଯଦିଓ ଏହି ଅଭିଯାନ ‘ଚାଷ ସମାଜ’ ମଧ୍ୟରେ ଆରମ୍ଭ ହୋଇଛି, ତଥାପି ଆୟୋଜକମାନେ ଆଶା କରୁଛନ୍ତି; ଏହା ସମଗ୍ର ଓଡ଼ିଶାରେ ପ୍ରଭାବ ପକାଇବ। ଅନ୍ୟ ସମୁଦାୟମାନଙ୍କୁ ମଧ୍ୟ ଆଡ଼ମ୍ବର ଅପେକ୍ଷା ଭଲପାଇବା, ପରମ୍ପରା ଓ ସରଳତାକୁ ପ୍ରାଧାନ୍ୟ ଦେଇ ବିବାହ ଆୟୋଜନ କରିବାକୁ ପ୍ରେରିତ କରିବ।

