fbpx

‘ନା ସଂସଦରେ କାମ ହେଉଛି, ନା ଘରେ କାମ ହେଉଛି, ଏମିତି ଆଉ କେତେ ଦିନ ଚାଲିବ’

ନୂଆଦିଲ୍ଲୀ :  ବିରୋଧୀରେ ପ୍ରବଳ  ହଟ୍ଟଗୋଳ ଓ ହଙ୍ଗାମାରେ ଅଚଳ ହୋଇ ପଡିଛି ସଂସଦ। ନା ଆଲୋଚନା ହୋଇ ପାରୁଛି ନା ହୋଇପାରୁଛି ବିତର୍କ। ଲୋକସଭା ଓ ରାଜ୍ୟସଭାର ଅବସ୍ଥା ସମାନ। ସଂସଦର ଉଚ୍ଚସଦନରେ ଅଚଳାବସ୍ଥାକୁ ନେଇ ଚିନ୍ତିତ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ। ନାଇଡୁ କ୍ଷୋଭଭରା କଣ୍ଠରେ କହିଛନ୍ତି ଯେ, ନା ସଂସଦରେ କାମ ହେଉଛି ନା ଘରେ। ଏମିତି ଆଉ କେତେ ଦିନ ଚାଲିବ। ଉପାଧ୍ୟକ୍ଷ ହରିବଂଶ, କିଛି ଅନ୍ୟ ନେତା ଏବଂ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ନାଇଡୁ କହିଛନ୍ତି ଯେ, ସଂସଦରେ କିଛି କାମ ହୋଇ ପାରୁନାହିଁ। ଘରେ ମଧ୍ୟ କୌଣସି କାମ ହୋଇ ପାରୁନାହିଁ। ଏମିତି ଅବସ୍ଥା ଆଉ କେତେ ଦିନ ଧରି ଚାଲିବ ବୋଲି ନାଇଡୁ ପ୍ରଶ୍ନ କରିଛନ୍ତି ?

ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କାରଣରୁ ରାଜ୍ୟସଭାର କାର୍ଯ୍ୟ କ୍ରମାଗତ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ସଭାପତି ଭେଙ୍କେୟା ନାଇଡୁ ସୋମବାର ଗୃହରେ ଏହା ମଧ୍ୟ କହିଥିଲେ ଯେ, ଆମେ ଦିନକୁ ଦିନ ଅସହାୟ ହେବାରେ ଲାଗିଛୁ। ଉଲ୍ଲେଖନୀୟ, ତିନି କୃଷି ଆଇନ ସହିତ ପେଗାସସ ଏବଂ ଅନ୍ୟ ପ୍ରସଙ୍ଗରେ ଗୃହରେ କ୍ରମାଗତ ହଟ୍ଟଗୋଳ ହେବା କାରଣରୁ କିଛି କାମ ହୋଇ ପାରୁନାହିଁ। ଗତ ସପ୍ତାହରୁ ଏ ପର୍ଯ୍ୟନ୍ତ କେବଳ କୋଭିଡ୍ ପରିଚାଳନା ପ୍ରସଙ୍ଗରେ ଗୃହରେ ୪ ଘଣ୍ଟା ଆଲୋଚନା ହୋଇ ପାରିଛି। ତା ବାଦ୍ ସବୁ ଦିନ ଗୃହରେ ଅଚଳାବସ୍ଥା ଲାଗି ରହିଛି।

ସୋମବାର ମଧ୍ୟ ହଙ୍ଗାମା କାରଣରୁ ଉଚ୍ଚ ସଦନର କାମ ବାଧାପ୍ରାପ୍ତ ହୋଇଥିଲା ଏବଂ ଶୂନ୍ୟକାଳ ମଧ୍ୟ ଚାଲି ପାରିନଥିଲା। ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ଶାନ୍ତ  ରହିବାକୁ ଉଦ୍ୟମ କରିବାକୁ ଯାଇ ଅଧ୍ୟକ୍ଷ କହିଛନ୍ତି ଯେ, ଆମେ ଦିନକୁ ଦିନ ଅସହାୟ ହେବାରେ ଲାଗିଛୁ। ଶୂନ୍ୟକାଳ ଏବଂ ବିଶେଷ ଉଲ୍ଲେଖ ଜରିଆରେ ଜନସ୍ଵାର୍ଥ ସମ୍ବଳିତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଅନୁମତି ଦିଆଯାଏ। ମାତ୍ର ଗୃହର କାମ ହୋଇ ପାରୁନାହିଁ ଏବଂ ସଦସ୍ୟଙ୍କୁ ସାଥର୍କ ଆଲୋଚନାର ସମୟ ମିଳୁନାହିଁ ବୋଲି ଭେଙ୍କେୟା ନାଇଡୁ କହିଛନ୍ତି।

Get real time updates directly on you device, subscribe now.