ହାଫିଜ ସଇଦଙ୍କ ଅନୁପସ୍ଥିତିରେ ଭାରତରେ ବସିବ କୋର୍ଟ, ବିଚାର ହେବ ମାମଲା
ଏନ୍ଆଇଏ ଅନୁସାରେ, ହାଫିଜ୍ ସଇଦ୍ ଭାରତ ବିରୋଧରେ ଅନେକ ବଡ଼ ଆତଙ୍କୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇସାରିଛନ୍ତି
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିଲା ଆତଙ୍କୀ ଆକ୍ରମଣ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଲସ୍କର-ଇ-ତୈଏବାର ମୁଖ୍ୟ ହାଫିଜ ସଇଦ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(NBW) ଜାରି କରାଯାଇଛି। ତାଙ୍କର ଅନୁପସ୍ଥିତିରେ ମାମଲାର ବିଚାର ଆରମ୍ଭ ହୋଇଛି। ଏନ୍ଆଇଏ ପ୍ରସ୍ତୁତ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟ୍ରେ ତାଙ୍କୁ ଅଭିଯୁକ୍ତ କରିଛି। ଚାର୍ଜସିଟରେ ହାଫିଜଙ୍କୁ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଇଛି। ତାଙ୍କୁ ପଳାତକ ଘୋଷଣା କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ।
ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କୀ ଆକ୍ରମଣ ତଦନ୍ତରେ ଏକ ବଡ଼ ଆଇନଗତ ପଦକ୍ଷେପ ନିଆଯାଇଛି। ଜମ୍ମୁର ଗୋଟିଏ କୋର୍ଟ ପାକିସ୍ତାନରେ ରହିଥିବା ଲସ୍କର-ଇ-ତୈଏବାର ମୁଖ୍ୟ ଓ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି। ମାନାଯାଉଛି ଯେ ଏହି ଆଦେଶ ପରେ ଭାରତରେ ହାଫିଜ ସଇଦଙ୍କ ବିରୋଧରେ ‘ଟ୍ରାଏଲ୍ ଇନ୍ ଏବ୍ସେନ୍ସିଆ’ ଚଳାଇବାର ରାସ୍ତା ସଫା ହୋଇଯାଇଛି।
ଏନ୍ଆଇଏ ତରଫରୁ କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି; ହାଫିଜ୍ ସଇଦ୍ ପାକିସ୍ତାନରେ ଅଛନ୍ତି। ତାଙ୍କୁ ଏବେ ଭାରତ ଆଣିବା ସମ୍ଭବ ନୁହେଁ। ଏମିତି ପରିସ୍ଥିତିରେ ଆଇନ ଅନୁସାରେ ତାଙ୍କ ବିରୋଧରେ ଅନୁପସ୍ଥିତିରେ ମାମଲା ଚଳାଇବାର ପ୍ରକ୍ରିୟା ଆରମ୍ଭ କରାଯାଉ। କୋର୍ଟ ଏନ୍ଆଇଏର ଯୁକ୍ତି ସହ ସହମତ ହୋଇ ଜାମିନ ବିହୀନ ଗିରଫ ପରୱାନା ଜାରି କରିଦେଇଛି।
‘ଟ୍ରାଏଲ୍ ଇନ୍ ଏବ୍ସେନ୍ସିଆ’ କଣ?
Uttarakhand Govt.
ଭାରତ ସରକାର ସମ୍ପ୍ରତି ନୂତନ ଫୌଜଦାରୀ ଆଇନ ଅଧୀନରେ ଏପରି ବ୍ୟବସ୍ଥା କରିଛନ୍ତି। ଯେଉଁ ଅନୁସାରେ ଯଦି କୌଣସି ଅଭିଯୁକ୍ତ ଭାରତରୁ ଫେରାର ହୋଇଯାଏ, ଇଚ୍ଛାକୃତ ଭାବେ କୋର୍ଟ ସମ୍ମୁଖରେ ହାଜର ନହୁଏ ଏବଂ ତାଙ୍କ ବିରୋଧରେ ଗମ୍ଭୀର ଅପରାଧର ଯଥେଷ୍ଟ ପ୍ରମାଣ ଥାଏ, ତେବେ ତାଙ୍କ ଅନୁପସ୍ଥିତିରେ ମଧ୍ୟ ମାମଲା ଚଳାଯାଇପାରିବ। ପ୍ରଥମେ କୋର୍ଟ ଅଭିଯୁକ୍ତଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ସମନ ଓ ୱାରେଣ୍ଟ ଜାରି କରେ। ଏହା ପରେ ମଧ୍ୟ ଯଦି ଅଭିଯୁକ୍ତ ହାଜର ନହୁଏ, ତେବେ ତାଙ୍କୁ ପଳାତକ ଘୋଷଣା କରାଯାଇପାରିବ। ତା’ପରେ କୋର୍ଟ ତାଙ୍କର ଅନୁପସ୍ଥିତିରେ ମାମଲାର ଶୁଣାଣି ଆରମ୍ଭ କରିପାରିବ।
ଅନେକ ବଡ଼ ଆତଙ୍କୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ୍
ଏନ୍ଆଇଏ ଅନୁସାରେ, ହାଫିଜ୍ ସଇଦ୍ ଭାରତ ବିରୋଧରେ ଅନେକ ବଡ଼ ଆତଙ୍କୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇସାରିଛନ୍ତି। ତଦନ୍ତକାରୀ ସଂସ୍ଥା କହିଛି; ପହଲଗାମ ଆକ୍ରମଣର ଷଡ଼ଯନ୍ତ୍ର ମଧ୍ୟ ପାକିସ୍ତାନରେ ବସି ରଚା ଯାଇଥିଲା। ଏଥିରେ ହାଫିଜ୍ ସଇଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଏନ୍ଆଇଏ କୋର୍ଟକୁ କହିଛି; ପାକିସ୍ତାନରୁ ତାଙ୍କୁ ଭାରତ ଆଣିବାର ସମସ୍ତ ଆଇନଗତ ସମ୍ଭାବନା ପ୍ରାୟ ସରିଛି। ତେଣୁ ନୂତନ ଆଇନ ଅଧୀନରେ ତାଙ୍କ ବିରୋଧରେ ମାମଲା ଚଳାଇବା ଜରୁରୀ। ଯାହା ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ଆଗକୁ ବଢିପାରିବ। ଏନ୍ଆଇଏ ନିଜର ପ୍ରଥମ ଚାର୍ଜସିଟରେ ତିନି ଜଣ ପାକିସ୍ତାନୀ ଆତଙ୍କୀ ସୁଲେମାନ, ଜିବ୍ରାନ୍ ଓ ହମଜା ଆଫଗାନୀଙ୍କୁ ଅଭିଯୁକ୍ତ କରିଥିଲା। ଏହା ବ୍ୟତୀତ ଲସ୍କର ତୈଏବାର ପାକିସ୍ତାନରେ ବସିଥିବା ଆତଙ୍କୀ ସାଜିଦ ସଇଫୁଲ୍ଲା ଜଟ୍ଟ ଓ ପହଲଗାମର ବାସିନ୍ଦା ବଶୀର ହାଇ ଅହମଦ ଏବଂ ପରୱେଜ ଅହମ୍ମଦ ମଧ୍ୟ ଅଭିଯୁକ୍ତ ଥିଲେ।

