ଅଭିଷେକ କି ତିଲକ ନୁହେଁ, ଏହି ୨ ବୋଲରଙ୍କ କମାଲ ଯୋଗୁଁ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ

୨୦୨୬ ଏସିଆନ୍ ଗେମ୍ସ କ୍ରିକେଟ୍ ଫାଇନାଲ୍‌ରେ ପାକିସ୍ତାନକୁ ୧୯ ରନ୍‌ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ହିରୋ ସାଜିଲେ ଏହି ୨ ବୋଲର୍।

ନୂଆଦିଲ୍ଲୀ: ୨୦୨୬ ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍‌ର ଦମଦାର ପ୍ରଦର୍ଶନ। ଫାଇନାଲ୍ ମୁକାବିଲାରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୯ ରନ୍‌ରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛି ଟିମ୍ ଇଣ୍ଡିଆ।

ଏହି ବିଜୟରେ ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ଭାରତକୁ ଏକ ବଡ଼ ସ୍କୋର ଦେଇଥିଲା। ହେଲେ ମ୍ୟାଚ୍‌ର ମୋଡ଼ ବଦଳାଇବାରେ ବଡ଼ ଭୂମିକା ନେଇଥିଲେ ଦୁଇ ବୋଲର ଶିବମ ଦୁବେ ଓ ଯଶପ୍ରୀତ ବୁମରାହ। ଏହି ଦୁଇ ଖେଳାଳିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୨୧୧ ରନ୍‌ର ବଡ଼ ସ୍କୋର କରିଥିଲା। ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ଅର୍ଦ୍ଧଶତକୀୟ ପାଳି ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା।

୨୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଦଳ ହାସନ ନୱାଜଙ୍କ ୯୬ ରନ୍‌ର ଲଢ଼ୁଆ ଇନିଂସ ସତ୍ତ୍ୱେ ୧୯୨ ରନ୍‌ରେ ସୀମିତ ରହିଥିଲା। ଶେଷ ଆଡ଼କୁ ଭାରତୀୟ ବୋଲରଙ୍କ ଚାପରେ ପାକିସ୍ତାନ ଦଳ ବିଜୟଠାରୁ ଦୂରେଇ ଯାଇଥିଲା।

ଦୁବେଙ୍କ ଗୋଟେ ଓ୍ୱିକେଟରେ ବଦଳିଗଲା ଗତି: ପାକିସ୍ତାନ ପକ୍ଷରୁ ସାମ ଆୟୁବ ଓ ହାସନ ନୱାଜ ଦ୍ରୁତ ଗତିରେ ରନ୍ ସଂଗ୍ରହ କରୁଥିଲେ। ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିବା ୮୭ ରନ୍‌ର ଭାଗୀଦାରି ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଥିଲା।

ମାତ୍ର ୧୩ତମ ଓ ୧୪ତମ ଓଭରରେ ମିଶି ୨୯ ରନ୍ ଆସିବା ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ୧୫ତମ ଓଭରରେ ଶିବମ ଦୁବେଙ୍କ ହାତରେ ବଲ୍ ଦେଇଥିଲେ।

ଅଧିନାୟକଙ୍କ ଏହି ନିଷ୍ପତ୍ତି ଭାରତ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ନିଜର ପ୍ରଥମ ଓଭରର ପ୍ରଥମ ବଲ୍‌ରେ ହିଁ ଶିବମ ଦୁବେ ସାମ ଆୟୁବଙ୍କୁ ୨୯ ରନ୍‌ରେ ଆଉଟ୍ କରି ପାକିସ୍ତାନକୁ ବଡ଼ ଝଟ୍‌କା ଦେଇଥିଲେ।

ଏହା ସହ ଆୟୁବ ଓ ନୱାଜଙ୍କ ମଧ୍ୟରେ ଚାଲିଥିବା ୮୭ ରନ୍‌ର ଭାଗୀଦାରି ଭାଙ୍ଗିଯାଇଥିଲା। ଏହି ୱିକେଟ୍ ପରେ ଭାରତୀୟ ଦଳ ମ୍ୟାଚ୍‌କୁ ଫେରିବାର ସୁଯୋଗ ପାଇଥିଲା।

୧୯ତମ ଓଭରରେ ବୁମରାହଙ୍କ ଚମତ୍କାର: ଶିବମ ଦୁବେଙ୍କ ପରେ ଭାରତ ପାଇଁ ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ। ହାସନ ନୱାଜ କ୍ରିଜ୍‌ରେ ଥିବାରୁ ପାକିସ୍ତାନ ଶେଷ ଓଭରଗୁଡ଼ିକରେ ଦ୍ରୁତ ରନ୍ ସଂଗ୍ରହ କରିବାର ଆଶା ରଖିଥିଲା। ମାତ୍ର ୧୨ଟି ବଲ୍‌ରେ ୪୪ ରନ୍ ହେବାର ସମ୍ଭାବନା ଥିବାରୁ ଭାରତ ପାଇଁ ୧୯ତମ ଓଭର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା।

ଏଭଳି ଚାପପୂର୍ଣ୍ଣ ପରିସ୍ଥିତିରେ ବୁମ୍‌ରାହ ୧୯ତମ ଓଭର ବୋଲିଂ କରି ମାତ୍ର ୧୧ ରନ୍ ଦେଇଥିଲେ। ଫଳରେ ଶେଷ ଓଭରରେ ପାକିସ୍ତାନକୁ ବିଜୟ ପାଇଁ ୩୩ ରନ୍‌ର ଆବଶ୍ୟକତା ରହିଥିଲା। ଶେଷ ଓଭରରେ ଶିବମ ଦୁବେ ୧୩ ରନ୍ ଦେବା ସହ ଭାରତର ବିଜୟ ନିଶ୍ଚିତ ହୋଇଥିଲା।

ଏହିପରି ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବ୍ୟାଟିଂ ପରେ ଶିବମ ଦୁବେଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଏବଂ ବୁମ୍‌ରାହଙ୍କ ମିତବ୍ୟୟୀ ବୋଲିଂ ଭାରତକୁ ଫାଇନାଲ୍‌ରେ ବିଜୟୀ କରାଇଥିଲା। ପାକିସ୍ତାନକୁ ୧୯ ରନ୍‌ରେ ହରାଇ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା।