fbpx

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏନେଇ ପୂର୍ବରୁ ମୁଖ୍ୟ ଶାସନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତାରିଖ ଘୋଷଣା କରିଥିବା ବେଳେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି । ପଞ୍ଚାୟତ ଅଫିସରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ଜିଲ୍ଲା ଓ ବ୍ଲାକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଫେବ୍ରୁଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ମତଦାନ ହେବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମାଙ୍କନ ପତ୍ର ଦାଖଲ କରାଯିବ । ୨୨ରେ ଯାଞ୍ଚ ଓ ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ସେହିପରି ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଗତକାଲି ଗାଇଡ଼ଲାଇନ୍ ଜାରି କରିଛନ୍ତି ଏସଆରସି । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡ଼ଲାଇନରେ ପରିବର୍ତ୍ତନ ହୋଇଛି । ନୂଆ ଗାଇଡ଼ଲାଇନ୍ ଅନୁସାରେ, କରୋନା ସଂକ୍ରମିତ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ । କୋଭିଡ ପଜିଟିଭ କେବଳ ଡିଜିଟାଲ କିମ୍ବା ଭର୍ଚୁଆଲ ଜରିଆରେ ପ୍ରଚାର କରିପାରିବେ । କୌଣସି ବଡ଼ ସମାବେଶ, ସମବେତ ହେବାକୁ ବାରଣ କରାଯାଇଛି । ପ୍ରଚାର ବେଳେ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି । ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ୍ ରାଲି ହୋଇପାରିବ ନାହିଁ । ସର୍ବାଧିକ ୧୦୦ ଜଣଙ୍କୁ ନେଇ ଛୋଟ ଛୋଟ ରାଜନୈତିକ ସମାବେଶ ହୋଇପାରିବ। ଇଣ୍ଡୋର ହଲରେ କ୍ଷମତାର ୫୦% ଲୋକଙ୍କୁ ଉପସ୍ଥିତ ରଖିବାକୁ ଅନୁମତି ଦିଆଯାଇଛି ।

ଏହା ସହିତ ଖୋଲା ଜାଗାରେ ଧାର୍ଯ୍ୟ ସୀମା ମଧ୍ୟରେ ସମାବେଶ କରିବାକୁ ଅନୁମତି ଦିଆଯାଇଛି । ସମାବେଶରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ମାନିବା ବାଧ୍ୟତାମୂଳକ । ଗଣତି ପରେ କୌଣସି ବିଜୟ ଶୋଭାଯାତ୍ରା କରାଯାଇ ପାରିବ ନାହିଁ । ବିଜୟୀଙ୍କ ସହ ସର୍ବାଧିକ ୨ ଜଣ ରହିବେ । ନୋମିନେସନ ବେଳେ ପ୍ରାର୍ଥୀ ଓ ଜଣେ ପ୍ରସ୍ତାବକ ଯାଇପାରିବେ । ଗଣତି କେନ୍ଦ୍ର ସାମ୍ନାରେ ଅଧିକ ଲୋକ ଏକାଠି ହେବା ମନା ହୋଇଛି ।

Get real time updates directly on you device, subscribe now.