fbpx

H3N2 Virus ସଂକ୍ରମଣକୁ ନେଇ ଆଲର୍ଟ: ଜାଣନ୍ତୁ ରୋଗର ଲକ୍ଷଣ ଏବଂ କେମିତି ପାଇବେ ରକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସଂକ୍ରମଣ ଏବଂ ଭୟ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ଦେଶରେ ଆଉ ଏକ ଭାଇରସର ଆତଙ୍କ ଖେଳିଯାଇଛି । ଏହି ଭାଇରସ ଏବେ ଭାରତରେ H3N2 Virus ମୃତ୍ୟୁର ତାଣ୍ଡବ ଆରମ୍ଭ କରିଛି । ଏହି ଭାଇରସରେ ୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହାପରେ ସାରା ଦେଶରେ ଭାଇରସକୁ ନେଇ ଆହୁରି ଚିନ୍ତା ବଢିଯାଇଛି । ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଏହାର ସଂକ୍ରମଣକୁ ନେଇ ଆଲର୍ଟ ଜାରି କରାଯାଇଛି ।

H3N2 ଭାଇରସରେ ଭାରତରୁ ୯୦ ଜଣ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେଣୁ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସତର୍କ ଏବଂ ସଚେତନତା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହାର ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି । ସେପଟେ କର୍ଣ୍ଣାଟକ ଏବଂ ହରିୟାଣାରେ ଦୁଇ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ।

ଡାକ୍ତରଙ୍କ କହିବା ଅନୁସାରେ, ପ୍ରାୟତଃ ରୋଗୀ ୧୦-୧୨ ଦିନ ପର୍ଯ୍ୟନ୍ତ କାଶ ହେଉଥିବାର ଅଭିଯୋଗ କରିଛନ୍ତି । ତେବେ ଏହା କରୋନା ମହାମାରୀର ଆଉ ଏକ ସବ୍ ଭାରିଆଣ୍ଟ ନା ଆଉ କିଛି? ଏଭଳି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, H3N2 ଇନଫ୍ଲୁଏଞ୍ଜା ଭାଇରସର ଲକ୍ଷଣ ଦେଖିବା ମାତ୍ରେ ନିଜର RTPCR ଟେଷ୍ଟ କରାଇନେବା ଉଚିତ । ଏହାସହିତ ମାସ୍କର ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ହାତକୁ ବାରମ୍ବାର ସାବୁନରେ ଧୁଅନ୍ତୁ ଏବଂ ସଂକ୍ରମତ ଲୋକଙ୍କଠାରୁ ସାମାନ୍ୟ ଦୂରେଇ ରୁହନ୍ତୁ । ଏହାସହିତ ଭୟ ନକରି ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ଯେଉଁମାନଙ୍କର ଇମ୍ୟୁନିଟି କମ୍ କିମ୍ବା ଗମ୍ଭୀର ରୋଗରେ ପୀଡିତ ହୋଇଥାନ୍ତି, ସେମାନଙ୍କୁ ଏହି ରୋଗରୁ ବିଶେଷ ଯତ୍ନ ରଖିବା ପାଇଁ କୁହାଯାଇଛି ।

H3N2 ଭାଇରସରେ ସଂକ୍ରମିତଙ୍କ ଦେହରେ କାଶ, ଜ୍ୱର, ଥଣ୍ଡା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବ୍ୟସ୍ତବିବ୍ରତ ଲାଗିବା ଭଳି ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ । ଏହା ବ୍ୟତୀତ କିଛି ସଂକ୍ରମିତଙ୍କ ଗଳା ଖରାପ, ଶରୀରରେ ଯନ୍ତ୍ରଣା ଭଳି ସମସ୍ୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହିଥାଏ । ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) ମଧ୍ୟ ନିୟମିତ ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଏହି ଭାଇରସ ପାଇଁ ଦିଆଯାଉଥିବା ଅଧିକାଂଶ ପରାମର୍ଶ କରୋନା ସହ ମେଳ ଖାଉଛି । ତେଣୁ ଏହାକୁ କୋଭିଡ-୧୯ର ଏକ ସବ୍ ଭାରିଆଣ୍ଟ ବୋଲି କୁହାଯାଉଛି ।

Get real time updates directly on you device, subscribe now.