NTAର ଏ କି ଅବହେଳା, ନାଗପୁରର ନିଟ୍ ପରୀକ୍ଷାର୍ଥୀଙ୍କୁ ମିଳିଲା ଦୁବାଇର ଆବୁଧାବିରେ ସେଣ୍ଟର, ଛାତ୍ରଙ୍କ ପାଖରେ ନାହିଁ ପାସପୋର୍ଟ!
NTAର ଏ କି ଅବହେଳା, ନାଗପୁରର ନିଟ୍ ପରୀକ୍ଷାର୍ଥୀଙ୍କୁ ମିଳିଲା ଦୁବାଇର ଆବୁଧାବିରେ ସେଣ୍ଟର
NEET-UG Exam: ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ଆସନ୍ତା ୨୧ ଜୁନ୍ ରେ ନିଟ୍ ପୁନଃ-ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରୀକ୍ଷାରେ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ତେବେ ପରୀକ୍ଷା ପୂର୍ବରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଏକ ବଡ଼ ଧରଣର ଅବହେଳା ସାମ୍ନାକୁ ଆସିଛି। ପ୍ରକୃତରେ ପରୀକ୍ଷା ପାଇଁ ଜାରି ହୋଇଥିବା ନୂଆ ଆଡମିଟ୍ କାର୍ଡରେ ନାଗପୁରର ଜଣେ ଛାତ୍ରଙ୍କୁ ଦୁବାଇର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଆଲର୍ଟ କରାଯାଇଛି, ଯାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସମ୍ପୃକ୍ତ ଛାତ୍ର ଅବ୍ଦୁଲ୍ଲାଙ୍କ ପିତା ଡକ୍ଟର ମହମ୍ମଦ ତାଲିବ ପ୍ରଶ୍ନ ଉଠାଇଛନ୍ତି ଯେ, ଯେଉଁ ପ୍ରାର୍ଥୀ ମେ’ ୩ ତାରିଖରେ ହୋଇଥିବା ମୂଳ ନିଟ୍ ପରୀକ୍ଷା ନାଗପୁରରେ ଦେଇଥିଲେ, ତାଙ୍କୁ ରବିବାର ହେବାକୁ ଥିବା ପୁନଃ-ପରୀକ୍ଷା ପାଇଁ ଆବୁଧାବି କେନ୍ଦ୍ର କେମିତି ଦିଆଯାଇପାରିବ? ଏହାଦ୍ୱାରା ପୁଅର ଗୋଟିଏ ବର୍ଷ ନଷ୍ଟ ହୋଇଯିବାର ଆଶଙ୍କା ଥିବା ସେ କହିଛନ୍ତି।
କ’ଣ କହିଲେ ଛାତ୍ରଙ୍କ ପିତା?
ନାଗପୁରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଡକ୍ଟର ତାଲିବ କହିଛନ୍ତି ଯେ, ଜୁନ୍ ୧୪ ତାରିଖରୁ ସେ କ୍ରମାଗତ ଭାବେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ହେଉନଥିଲା। ଗତକାଲି ଯେତେବେଳେ ଆଡମିଟ୍ କାର୍ଡ ଡାଉନଲୋଡ୍ ହେଲା, ସେଥିରେ ପରୀକ୍ଷା କେନ୍ଦ୍ର ଆବୁଧାବି ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତୁରନ୍ତ NTA ର ହେଲ୍ପଲାଇନ ସହ ଯୋଗାଯୋଗ କରିଥିଲେ। NTA ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ଏକ ଇମେଲ୍ ମଧ୍ୟ ପଠାଯାଇଛି।
ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଜି ସନ୍ଧ୍ୟା ୪ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ର ବଦଳାଇ ନାଗପୁର କରିଦିଆଯିବ। ତେଣୁ NTA ନିଜ ପ୍ରତିଶ୍ରୁତି ରକ୍ଷା କରିବ ବୋଲି ଡକ୍ଟର ତାଲିବ ଆଶା ପ୍ରକଟ କରିଛନ୍ତି। ସବୁଠାରୁ ଚମକାଇଦେଲା ଭଳି କଥା ହେଉଛି, ଛାତ୍ର ଅବ୍ଦୁଲ୍ଲାଙ୍କ ପାଖରେ ବର୍ତ୍ତମାନ ପାସପୋର୍ଟ ମଧ୍ୟ ନାହିଁ। ଏଭଳି ପରିସ୍ଥିତିରେ ଯଦି NTA ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ନକରେ, ତେବେ ସେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ଏବଂ ତାଙ୍କର ଗୋଟିଏ ମୂଲ୍ୟବାନ ବର୍ଷ ନଷ୍ଟ ହୋଇଯିବ।
କ’ଣ ଅଛି ପୂରା ମାମଲା?
ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ମେଡିକାଲ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ଦିନ ନିଟ୍ ପୁନଃ-ପରୀକ୍ଷା କରାଯାଉଛି। ଏଥିପାଇଁ NTA ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ନୂଆ ଆଡମିଟ୍ କାର୍ଡ ଜାରି କରାଯାଇଛି। ନାଗପୁରର ଛାତ୍ର ଅବ୍ଦୁଲ୍ଲା ପରୀକ୍ଷା କେନ୍ଦ୍ର ପାଇଁ ପ୍ରଥମ ବିକଳ୍ପ ଭାବେ ନାଗପୁର, ୱାର୍ଦ୍ଧା କିମ୍ବା ଭଣ୍ଡାରା ସହରକୁ ବାଛିଥିଲେ। କିନ୍ତୁ ତାଙ୍କ ଆଡମିଟ୍ କାର୍ଡରେ ସୁଦୂର ୟୁଏଇର ଆବୁଧାବି ପରୀକ୍ଷା କେନ୍ଦ୍ର ପ୍ରଦାନ କରାଯାଇଛି।
ଏହି ସମସ୍ୟା ନେଇ ଛାତ୍ର ଏବଂ ତାଙ୍କ ଅଭିଭାବକ NTA ହେଲ୍ପଲାଇନରେ ଅଭିଯୋଗ ଦାୟର କରି କେନ୍ଦ୍ର ବଦଳାଇବାକୁ ଦାବି କରିଛନ୍ତି। ଯଦି ପରୀକ୍ଷା କେନ୍ଦ୍ର ବଦଳା ନଯାଏ, ତେବେ ଅବ୍ଦୁଲ୍ଲା ପରୀକ୍ଷା ଦେଇପାରିବେ ନାହିଁ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଏନଟିଏ ପକ୍ଷରୁ ସେଣ୍ଟର ବଦଳାଇବା ପାଇଁ ଆଶ୍ୱାସନା ମିଳିଛି।


