ଭାରତୀୟ କ୍ରିକେଟ୍ ପାଇଁ ୩ ଅକ୍ଟୋବର ହେବ ଐତିହାସିକ ଦିନ, ଗୋଟିଏ ଦିନରେ ୨ଟି ଦେଶରେ ଖେଳିବ ଟିମ୍ ଇଣ୍ଡିଆ

୨୮ ବର୍ଷ ପରେ ପୁଣି ଇତିହାସ! ଗୋଟିଏ ଦିନରେ ୨ ଦେଶରେ ଟିମ୍ ଇଣ୍ଡିଆ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପାଇଁ ଅକ୍ଟୋବର ୩, ୨୦୨୬ ଏକ ଐତିହାସିକ ଦିନ ହୋଇପାରେ। କାରଣ ଏହି ଦିନ ଭାରତର ଦୁଇଟି ପୁରୁଷ କ୍ରିକେଟ୍ ଟିମ୍ ଦୁଇଟି ଭିନ୍ନ ଦେଶରେ ମଇଦାନକୁ ଓହ୍ଲାଇପାରନ୍ତି।

ଗୋଟିଏ ଟିମ୍ ଭାରତର ନ୍ୟୁ ଚଣ୍ଡୀଗଡ଼ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ଦିନିକିଆ ଖେଳିବାକୁ ଥିବାବେଳେ, ଅନ୍ୟ ଟିମ୍ ଜାପାନରେ ଏସିଆନ୍ ଗେମ୍ସର ମେଡାଲ୍ ମ୍ୟାଚ୍ ଖେଳିପାରେ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ଅକ୍ଟୋବର ୩ରେ ନ୍ୟୁ ଚଣ୍ଡୀଗଡ଼ରେ ନିର୍ଦ୍ଧାରିତ ରହିଛି।

ଗୋଟିଏ ଦିନରେ ଦୁଇ ଦେଶରେ ଭାରତ: ୨୦୨୬ ଏସିଆନ୍ ଗେମ୍ସର ପୁରୁଷ କ୍ରିକେଟ୍ ପ୍ରତିଯୋଗିତାର ବ୍ରୋଞ୍ଜ ଓ ଗୋଲ୍ଡ ମେଡାଲ୍ ମ୍ୟାଚ୍ ମଧ୍ୟ ଅକ୍ଟୋବର ୩ରେ ଜାପାନର ନିଶିନ୍‌ସ୍ଥିତ କୋରୋଗି ସ୍ପୋର୍ଟ୍ସ ପାର୍କରେ ଖେଳାଯିବ। ଭାରତ ଏସିଆନ୍ ଗେମ୍ସରେ ସିଧାସଳଖ କ୍ୱାର୍ଟର ଫାଇନାଲ୍ ଖେଳିବ।

ସେଠାରୁ ସେମିଫାଇନାଲ୍‌କୁ ଯାଇ ମେଡାଲ୍ ମ୍ୟାଚ୍‌ରେ ପହଞ୍ଚିଲେ, ଅକ୍ଟୋବର ୩ରେ ଭାରତର ଦୁଇଟି ଟିମ୍ ଦୁଇ ଦେଶରେ ଖେଳୁଥିବା ଦେଖିବାକୁ ମିଳିପାରେ। ବିଜୟୀ ହେଲେ ଗୋଲ୍ଡ ମେଡାଲ୍ ଏବଂ ପରାଜିତ ହେଲେ ବ୍ରୋଞ୍ଜ ପାଇଁ ମ୍ୟାଚ୍ ଖେଳିବ।

ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆର ୬ଟି ମ୍ୟାଚ୍: ସେପ୍ଟେମ୍ବରରେ ଭାରତୀୟ ଟିମ୍ ବ୍ୟସ୍ତ ସୂଚୀରେ ରହିବ। ଏହି ସମୟରେ ଭାରତ ସୀମିତ ଓଭର୍ ଫର୍ମାଟ୍‌ରେ ମ୍ୟାଚ୍ ଖେଳିବ। ଏହାପରେ ମାସ ଶେଷ ଆଡ଼କୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ଆରମ୍ଭ ହେବ।

ସୂଚୀ ଅନୁସାରେ ପ୍ରଥମ ଦୁଇଟି ODI ସେପ୍ଟେମ୍ବର ୨୭ ଓ ୩୦ରେ ଖେଳାଯିବ। ଏହା ସହ ଏସିଆନ୍ ଗେମ୍ସର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ମଧ୍ୟ ସେପ୍ଟେମ୍ବର ୨୮ରେ ଖେଳିବ ଭାରତ।

ଶ୍ରେୟସ ଅୟରଙ୍କ ନେତୃତ୍ୱରେ ଏସିଆନ୍ ଗେମ୍ସ ଟିମ୍: ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି। ଶ୍ରେୟସ ଅୟର ଦଳର ନେତୃତ୍ୱ ନେବେ। ତାଙ୍କ ସହ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଈଶାନ କିଶନ, ତିଳକ ବର୍ମା, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମ୍ରା, ହର୍ଷିତ ରାଣା, ଅର୍ଶଦୀପ ସିଂହ ଓ ବୈଭବ ସୂର୍ଯ୍ୟବଂଶୀ ରହିଛନ୍ତି।

ଏସିଆନ୍ ଗେମ୍ସ ଦଳରେ ଥିବା ଖେଳାଳିମାନେ ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ରେ ଖେଳିବେ ନାହିଁ। ଫଳରେ ଦୁଇଟି ଭିନ୍ନ ଦଳ ଗଠନ କରିବାକୁ ଭାରତୀୟ ଚୟନକର୍ତ୍ତାଙ୍କୁ ପଡ଼ିପାରେ।

୨୮ ବର୍ଷ ପରେ ପୁଣି ସଂଯୋଗ: ଭାରତୀୟ କ୍ରିକେଟ୍‌ରେ ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଛି। ୧୯୯୮ ମସିହା ସେପ୍ଟେମ୍ବର ୧୨ରେ ଭାରତର ଦୁଇଟି ପୁରୁଷ ଟିମ୍ ଏକେ ଦିନରେ ଦୁଇଟି ଭିନ୍ନ ଦେଶରେ ମ୍ୟାଚ୍ ଖେଳିଥିଲା। ଗୋଟିଏ ଦଳ କମନୱେଲ୍ଥ ଗେମ୍ସରେ କାନାଡାକୁ ହରାଇଥିବାବେଳେ, ଅନ୍ୟ ଦଳ ଟରଣ୍ଟୋରେ ସାହାରା କପ୍‌ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିଥିଲା। ଉଭୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା।

ଏବେ ୨୮ ବର୍ଷ ପରେ ଅକ୍ଟୋବର ୩ରେ ସେହିଭଳି ଏକ ବିରଳ ସଂଯୋଗ ପୁଣି ଦେଖିବାକୁ ମିଳିପାରେ। ଗୋଟିଏ ଭାରତୀୟ ଦଳ ନ୍ୟୁ ଚଣ୍ଡୀଗଡ଼ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳୁଥିବା ବେଳେ ଅନ୍ୟ ଦଳ ଜାପାନରେ ଏସିଆନ୍ ଗେମ୍ସର ମେଡାଲ୍ ପାଇଁ ଲଢ଼େଇ କରିପାରେ। ଏହା ଭାରତୀୟ କ୍ରିକେଟ୍‌ର ବେଞ୍ଚ୍ ଷ୍ଟ୍ରେଙ୍ଗଥ୍‌ର ମଧ୍ୟ ଏକ ବଡ଼ ଉଦାହରଣ ହେବ।