fbpx

କମେଡି କ୍ୱିନଙ୍କ ଟ୍ରାଜେଡି ଲାଇଫ୍ ଷ୍ଟୋରି, ଯନ୍ତ୍ରଣାର କୋଳରେ ନିଃଶ୍ୱାସ ମାରୁଛନ୍ତି ମୀରା

ଓଡ଼ିଶା ଭାସ୍କର ବ୍ୟୁରୋ: ଯାଯାବର, ପ୍ରତିଧ୍ୱନି, ସୁବର୍ଣ୍ଣ ସୀତା, କିଏ କାହାର, ସମୟ ବଡ଼ ବଳବାନ, ତ୍ରିନାଥ ମେଳା, କା, ରାମାୟଣ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟର ପରାକାଷ୍ଠା ଦେଖାଇଥିଲେ ମୀରା ମହାନ୍ତି । ସତରେ ନାମରେ କେତେ ସାର୍ଥକତା ରହିଥାଏ! କେଉଁ ମୀରା ଟ୍ରକ୍ ଡ୍ରାଇଭରଙ୍କ ସାହାଯ୍ୟରେ ନିଷ୍ଠାପର ସାଧନା କରି ଦେଶପାଇଁ ଅଲିମ୍ପିକ ପଦକ ଆଣିଲାଣି ତ ଆଉ କିଏ ମୀରାଙ୍କ ଭଳି କୃଷ୍ଣ ପ୍ରେମରେ ତଲ୍ଲୀନ ହେବା ପାଇଁ ଆଇପିଏସ୍ ସର୍ଭିସରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେଣି । ହେଲେ ଏଇଠି ଜଣେ ମୀରା ଓଡ଼ିଶା ମାଟିରେ ରୋଗ କଷ୍ଠରେ କଲବଲ ହେଉଛନ୍ତି ଏବଂ ଅନ୍ୟର ହାତଟେକାରେ ମୁଠେ ଖାଇବାକୁ ମିଳୁଛି । ପୂର୍ବରୁ ସ୍ୱାମୀ ଚାଲିଯାଇଥିଲେ, ପରେ ଗୋଟିଏ ବୋଲି ପୁଅ ଦୁର୍ଘଟଣାରେ ଆଖି ବୁଜିଦେଲା । ଘର କହିଲେ ବିଧବା ବୋହୂ ଆଉ ନିଜେ ମୀରା । ଏପଟେ ମଧୁମେହରେ ଆକ୍ରାନ୍ତ ମୀରାଙ୍କ ଗୋଟିଏ ଗୋଡ଼ ଖରାପ ହୋଇଛି, ହେଲେ ଔଷଧ କିଣିବାକୁ ବି ଯୁ ନାହିଁ ତାଙ୍କର ।

ପୁରୁଣା ଭୁବନେଶ୍ୱର (ଓଲ୍ଡ ଟାଉନ୍) ଅଞ୍ଚଳରେ ରହୁଥିବା ମୀରାଙ୍କ ଦୁର୍ଦ୍ଦଶା ଦେଖି ମୁଖ୍ୟମନ୍ତ୍ରୀ ଦେଇଥିଲେ ଚିକିତ୍ସା ନିର୍ଦ୍ଦେଶ । ପ୍ରଶାସନ ପକ୍ଷରୁ କିଛି ଆର୍ଥିକ ସହାୟତା ମଧ୍ୟ କରାଯାଇଥିଲା । ତେବେ ତାହା ଥିଲା ସମୁଦ୍ରକୁ ଶଙ୍ଖେ ଭଳି । ଅନ୍ୟପକ୍ଷରେ ଏଭଳି ଦୁଃଖ ଯନ୍ତ୍ରଣାରେ ସଢ଼ୁଥିବା ମୀରାଙ୍କୁ ଅନ୍ୟ କେତେକ କଳାକାର ସହାୟତାର ହାତ ବଢ଼ାଇଛନ୍ତି । ତେବେ ଅନେକ କଳାକାର କହିଛନ୍ତି ବ୍ୟକ୍ତିଗତ ଭାବେ କେତେ ଅବା ସାହାଯ୍ୟ କରିବୁ! ସରକାର ଦେଉଥିବା ଭତ୍ତା ପରିମାଣ ଟିକେ ବଢ଼ାନ୍ତୁ, ଆଉ ମୀରାଙ୍କ ଭଳି ଦୁଃଖରେ ପଡ଼ିଥିବା କଳାକାରଙ୍କୁ ସ୍ୱତନ୍ତ୍ର ସହାୟତାର ବ୍ୟବସ୍ଥା କରନ୍ତୁ ବୋଲି କଳାକାରମାନେ ଦାବି କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ କେତେ ସ୍ୱାର୍ଥପର ହୋଇଯାଏ ସମାଜ? ଯୌବନ ଥିଲା ଆଉ ଚମକୁ ଥିଲା ପ୍ରତିଭା । ମୁହଁରେ ରଙ୍ଗମାରି ମୀରା ଲୋକଙ୍କୁ କରାଉଥିଲେ ମନୋରଞ୍ଜନ । ବୟସ ଖସିଲା, ନିଜ ଲୋକ ଚାଲିଗଲେ, ହେଲେ ଭୁଲିଗଲା ବି ସମାଜ । ବାସ୍ତବରେ ମୀରାଙ୍କ ପାଇଁ ତାଙ୍କ ଅଭିନୀତ ଚଳଚ୍ଚିତ୍ର ସବୁ ଖୁବ୍ ଭାବାର୍ଥବୋଧକ ହୋଇଯାଉଛି । ମୀରାଙ୍କ ମନରେ ଏବେ ଅସରନ୍ତି ପ୍ରଶ୍ନ- ସତରେ ଏଠି କିଏ କାହାର? ସମୟ ବଡ଼ ବଳବାନ । ଯାଯାବର ଭଳି ଜୀବନ ଜୀଉଁଥିବା ମୀରା ନିଶ୍ଚିତ ଭାବେ କୋହରେ ଭାଙ୍ଗି ପଡ଼ିବାବେଳେ କହୁଥିବେ- ପ୍ରତାରଣା ଏଠି କିଏ କାହାକୁ ଦେଇଛି… ପ୍ରତିଧ୍ୱନି କୁହେ ତୁମେ ତୁମେ । ରାମାୟଣରେ ସତେ ସୁବର୍ଣ୍ଣସୀତାର ମହତ୍ତ୍ୱ କେତେ? କେବଳ ଏକ କା’ ନା? ହଁ ଏକା ଏକା ସମୟ ସାଥେ ଦୁଃଖର ତ୍ରିନାଥ ମେଳା କରୁଛନ୍ତି ମୀରା ମହାନ୍ତି । ଅଭିନୟଠୁ ବଳି ଯାଇଛି ତାଙ୍କ ବାସ୍ତବ ଜୀବନର ଗତିପଥ ।

ସରକାର ନିଶ୍ଚିତ କିଛି କରିବେ, ମୀରାଙ୍କୁ ସହାୟତା ଯୋଗାଇ ଦେବେ । ଏଇ ଆଶା ସହିତ କଳାକାର ସଂଗଠନ ଏଦିଗରେ ଆହୁରି କ୍ରିୟାଶୀଳ ହେଉ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏଥିସହ ଗୁଣ୍ଡୁଚି ଭଳି ସାହାଯ୍ୟ ବି ସମାଜର ବିଭିନ୍ନ ବର୍ଗରୁ ମିଳିଲେ, ମୀରା ପୁଣି ହସିପାରନ୍ତେ ବୋଲି ମତ ପ୍ରକାଶ ପାଉଛି । ମୀରାଙ୍କ ସହ ଯୋଗାଯୋଗ କରିବାକୁ ଚାହୁଥିଲେ ୮୦୯୩୪୪୧୩୨୩ ନମ୍ବରରେ କରିପାରନ୍ତି ।

Get real time updates directly on you device, subscribe now.